ରାଷ୍ଟ୍ରପତି ଭବନର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ରାତିରେ ଗାଡିସହ ରାଷ୍ଟ୍ରପତି ଭବନକୁ ପଶିଲେ ପ୍ରେମୀଯୁଗଳ

273

କନକ ବ୍ୟୁରୋ : ଦେଶର ସବୁଠାରୁ ଅଧିକ ସୁରକ୍ଷିତ ଭବନ ଭାବେ ରାଷ୍ଟ୍ରପତି ଭବନକୁ ଗଣନା କରାଯାଏ । ହେଲେ ସୋମବାର ରାତିରେ ଘଟିଥିବା ଘଟଣା ଆପଣ ଜାଣିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କେତେ ଢିଲା ତାହା ଅନୁମାନ କରିପାରିବେ । ଏହି ଘଟଣା ପରେ ରାଷ୍ଟ୍ରପତି ଭବନର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୂଚନା ମୁତାବକ ସୋମବାର ରାତିରେ ଜଣେ ପୁଅ ଓ ଜଣେ ଝିଅ ରାତିରେ ଗାଡିନେଇ ରାଷ୍ଟ୍ରପତି ଭବନ ଭିତରକୁ ପ୍ରବେଶ କରିଥିଲେ । ତେବେ ସେଠାରେ ତାଙ୍କୁ ସୁରକ୍ଷା କର୍ମୀମାନେ ଧରି ନେଇଥିଲେ । ଏହି ଘଟଣା ସୋମବାର ରାତି ୯ ଟା ବେଳେ ଘଟିଛି । ରାଷ୍ଟ୍ରପତି ଭବନ ଭିତରକୁ ପ୍ରବେଶ କରିବା ବେଳେ ଯୁବକ ଜଣଙ୍କ ଗାଡି ଚଳାଉଥିବା ବେଳେ ତାଙ୍କ ପାଖରେ ବସିଥିଲେ ପ୍ରେମିକା । ଏହି ଗାଡି ରାଷ୍ଟ୍ରପତି ଭବନର ୩୫ ନମ୍ବର ଗେଟରେ ପ୍ରବେଶ କରି ଆଗକୁ ୩ ଟି ବ୍ୟାରିକେଟ ପାର ହୋଇଯାଇଥିଲା ।

ପୋଲିସ କହିବା ମୁତାବକ ସୁରକ୍ଷା କର୍ମୀମାନେ ପ୍ରେମୀଯୁଗଳଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଏହାପରେ ପୋଲିସ ସେମାନଙ୍କୁ ପଚରା ଉଚରା କରି କୋର୍ଟରେ ହାଜର କରିଛି । ପୋଲିସ କହିଛି କି ଦୁଇଜଣଯାକ ନିଶାରେ ଥିଲେ । ଏହି ଘଟଣା ପରେ ସେଠାରେ ଥିବା ସମସ୍ତ ସୁରକ୍ଷା କର୍ମୀ ଆଲର୍ଟ ହୋଇଯାଇଥିଲେ ।

ହେଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ଗିରଫ ହୋଇଥିବା ପ୍ରେମୀଯୁଗଳ ନିଶାରେ ରାଷ୍ଟ୍ରପତି ଭବନ ଭିତରକୁ ଅନୁପ୍ରବେଶ କରିଥିଲେ ନା ସେମାନେ ଜାଣିଶୁଣି ଏଭଳି କରିଥିଲେ । ଏହାପରେ ରାଷ୍ଟ୍ରପତି ଭବନର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବା ସହ ସୁରକ୍ଷା କର୍ମୀମାନେ ଅଧିକ ଆଲର୍ଟ ଥିବା ଦେଖିବାକୁ ମିଳିଛି ।