କ୍ରିକେଟକୁ ବାଏ ବାଏ କଲେ ଡିଭିଲିୟର୍ସ, ରସିଦ କହିଲେ ଆମେ ରକ୍ଷା ପାଇଗଲୁ ।

283

କନକ ବ୍ୟୁରୋ : କ୍ରିକେଟରୁ ସବୁ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି ବିଧ୍ୱଂସୀ ଏବି ଡିଭିଲିୟର୍ସ । ଦକ୍ଷିଣ ଆଫ୍ରିକାର ଏହି ଷ୍ଟାର ଖେଳାଳୀ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବେଳେ କେବଳ ଘରୋଇ ଲିଗ୍ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ । ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟରେ ଡିଭିଲିୟର୍ସଙ୍କୁ ନେଇ ଜବରଦସ୍ତ କ୍ରେଜ ରହିଥିଲା । କିନ୍ତୁ ଏବେ ଘରୋଇ ଲିଗରେ ମଧ୍ୟ ଡିଭିଲିୟର୍ସଙ୍କର ଆଉ ଷ୍ଟାଇଲିସ ସଟ୍ ଦେଖିବାକୁ ମିଳିବନି । ଖାସକରି ଆଇପିଏଲକୁ ଭଲ ପାଉଥିବା କ୍ରିକେଟପ୍ରେମୀ ଡିଭିଲିୟର୍ସଙ୍କ ଖେଳକୁ ବହୁତ ମିସ୍ କରିବେ । ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କରିଥିଲେ ଡିଭିଲିୟର୍ସ । କିନ୍ତୁ ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟରେ ଖେଳି ଆସୁଥିଲେ ଏବିଡି । ଆଇପିଏଲରେ ବାଙ୍ଗାଲୋର ପକ୍ଷରୁ ଖେଳି ଆସୁଥିଲେ ଡିଭିଲିୟର୍ସ । ଟି-୨୦ ଫର୍ମାଟରେ ପଡିଆକୁ ଡିଭିଲିୟର୍ସଙ୍କ ଏଣ୍ଟ୍ରି ବୋଲରଙ୍କ ମନରେ ଭୟ ସୃଷ୍ଟି କରୁଥିଲା । ପଡିଆର ଚତୁଃଦିଗକୁ ସଟ୍ ମାରିବାରେ ମାହିର ଥିବା ଏବିଡି ବିଭିନ୍ନ ଦଳର ଷ୍ଟାର ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରୁଥିଲେ । ଯେଉଁଥିପାଇଁ ଡିଭିଲିୟର୍ସ ବ୍ୟାଟିଂ ବେଳେ ବୋଲର ବୋଲିଂ କରିବାକୁ ମଧ୍ୟ ଡରୁଥିଲେ । ଆଉ ଏହାର ତାଜା ଝଲକ ଦେଖିବାକୁ ମିଳିଛି ରସିଦ ଖାନଙ୍କ ଟ୍ୱିଟରେ । ଡିଭିଲିୟର୍ସ ବୋଲିଂ କରିବାକୁ କେତେ ଭୟ ଲାଗେ ତାହାର ସଂକେତ ଦେଇଛନ୍ତି ରସିଦ ।

ଗୋଟିଏ ପଟେ ଡିଭିଲିୟର୍ସ କ୍ରିକେଟରୁ ସନ୍ନ୍ୟାସ ନେବା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । କିନ୍ତୁ ଅନ୍ୟପଟେ ଡିଭିଲିୟର୍ସଙ୍କ ଏଭଳି ନିଷ୍ପତ୍ତି ଆଫଗାନିସ୍ତାନ ତଥା ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ବୋଲର ରସିଦ ଖାନଙ୍କୁ ଖୁସି କରିଛି । ଯାହାକୁ ନିଜ ଟ୍ୱିଟରରେ ବୟାନ କରିଛନ୍ତି ରସିଦ । ଟ୍ୱିଟ୍ କରି ରସିଦ ଲେଖିଛନ୍ତି, କ୍ରିକେଟରୁ ଡିଭିଲିୟର୍ସଙ୍କ ସନ୍ନ୍ୟାସ ନିଷ୍ପତ୍ତି  ମୋତେ ଓ ଅନ୍ୟ ବୋଲରଙ୍କୁ ଟିକିଏ ଆଶ୍ୱସ୍ତି ଆଣି ଦେଇଛି । ଆମେ ରକ୍ଷା ପାଇ ଯାଇଛୁ । ତେବେ ଯୁବ ଖେଳାଳୀଙ୍କୁ ପ୍ରେରଣା ସାଜିଥିବାରୁ ଆପଣଙ୍କୁ ଧନ୍ୟବାଦ । ଅନେକ ସ୍ମରଣୀୟ ମୁହୂର୍ତ୍ତ ର ସାକ୍ଷୀ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । ଆମେ ଆପଣଙ୍କୁ  ନିଶ୍ଚୟ ମିସ୍ କରିବୁ ମିଷ୍ଟର ୩୬୦ ।

ରସିଦ ଖାନଙ୍କର ଏଭଳି ଟ୍ୱିଟ୍ କରିବା ପଛର କାରଣ ହେଲା ଡିଭିଲିୟର୍ସଙ୍କ ପ୍ରତି ଥିବା ବୋଲରଙ୍କ ଭୟ । କ୍ରିଜରେ ଥରେ ସେଟ ହେବା ମାତ୍ରେ ଷ୍ଟାର ବୋଲରଙ୍କ ଧଜିଆ ଉଡାଇଥାନ୍ତି ଡିଭିଲିୟର୍ସ । ପଡିଆର ବିଭିନ୍ନ ଦିଗକୁ ସଟ୍ ମାରି ବୋଲରଙ୍କ ଲୟକୁ ଧ୍ୱସ୍ତବିଧ୍ୱସ୍ତ କରିଥାନ୍ତି ଏବିଡି । ମୈଦାନରେ ଅବିଶ୍ୱସନୀୟ ସଟ୍ ମାରୁଥିବାରୁ ତାଙ୍କୁ ମିଷ୍ଟର ୩୬୦ ଡିଗ୍ରୀର ଟ୍ୟାଗ୍ ମିଳିଛି । ଏହାସହ ବିଭିନ୍ନ ସମୟରେ ଆକର୍ଷଣୀୟ ଫିଲ୍ଡିଂ ଓ କ୍ୟାଚ୍ ଧରି ନିଜର ଏକ ନୂଆ ପରିଚୟ ସୃଷ୍ଟି କରିପାରିଥିଲେ ଡିଭିଲିୟର୍ସ । ଦକ୍ଷିଣ ଆଫ୍ରିକାର କ୍ରିକେଟର ହୋଇଥିଲେ ମଧ୍ୟ ଡିଭିଲିୟର୍ସଙ୍କର ଲକ୍ଷାଧିକ ଫ୍ୟାନ୍ ଭାରତରେ ମଧ୍ୟ ରହିଛନ୍ତି । ଯେଉଁଥିପାଇଁ ଡିଭିଲିୟର୍ସ ମଧ୍ୟ ନିଜକୁ ଅଧା ଭାରତୀୟ ବୋଲି କହିଛନ୍ତି ଏବଂ ଏଥିପାଇଁ ମୁଁ ଗର୍ବିତ କହିବାକୁ ପଛାଇ ନାହାନ୍ତି । ଏପରିକି ନିଜ ଟ୍ୱିଟର ପେଜରେ ସନ୍ନ୍ୟାସ ନେବାର ଘୋଷଣା କରିବା ସହ ଭାରତୀୟ ପ୍ରଂଶସକଙ୍କୁ ହିନ୍ଦୀରେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଆଉ ଗୋଟିଏ ଶବ୍ଦ ହିଁ ଭାରତ ପ୍ରତି ଥିବା ତାଙ୍କର ଭଲପାଇବାକୁ ଦର୍ଶାଉଛି ।

ଆଇପିଏଲରେ ଶ୍ରେଷ୍ଠ ଖେଳାଳୀ ଭାବେ ନିଜକୁ ପରିଚିତ କରିପାରିଛନ୍ତି ଡିଭିଲିୟର୍ସ । ୧୮୪ଟି ଇନିଂସରୁ ମୋଟ ୫୧୬୨ ରନ୍ କରିଛନ୍ତି ଏବିଡି । ଯେଉଁଥିରେ ୩ ଶତକ ଓ ୪୦ ଅର୍ଦ୍ଧଶତକ ରହିଛି । ତେବେ ୨୦୨୧ ଆଇପିଏଲରେ ଡିଭିଲିୟର୍ସଙ୍କୁ ପୁରୁଣା ଫର୍ମରେ ଦେଖିବାକୁ ମିଳିନଥିଲା । ଭାରତରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟ ମ୍ୟାଚରେ ଡିଭିଲିୟର୍ସ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ୟୁଏଇରେ ଖେଳାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚରେ ତାଙ୍କ ବ୍ୟାଟରୁ ବଡ ସ୍କୋର ଦେଖିବାକୁ ମିଳିନଥିଲା । ଆଉ ଏହାପରେ ଏବିଡିଙ୍କ ଫର୍ମକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ତେବେ ଆଇପିଏଲ ୨୦୨୨ ପୂର୍ବରୁ କ୍ରିକେଟରୁ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ଡିଭିଲିୟର୍ସ ।