ବିଜେଡି ଛାଡ଼ିଲେ ରାସେଶ୍ୱରୀ ପାଣିଗ୍ରାହୀ: ସମ୍ବଲପୁର ରାଜନୀତି ଉପରେ ପଡ଼ିବ କି ପ୍ରଭାବ?

124

କନକ ବ୍ୟୁରୋ: ଟିକେଟ୍ କଟିବା ପରେ ବିଜେଡି ଛାଡିଛନ୍ତି ରାଶେଶ୍ୱରୀ ପାଣିଗ୍ରାହୀ । ସମ୍ବଲପୁରରୁ ଟିକେଟ୍ ଆଶାୟୀ ଥିଲେ ପୂର୍ବତନ ବିଧାୟିକା । ରୋହିତ ପୂଜାରୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ପଠାଇ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ଝାଡିଛନ୍ତି ରାସେଶ୍ୱରୀ । ସେପଟେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ କହିଛନ୍ତି, ରାଶେଶ୍ୱରୀଙ୍କ ଇସ୍ତଫା ଦଳ ପାଇଁ କ୍ଷତିକାରକ । କିନ୍ତୁ ଭୋଟ୍ ବ୍ୟାଙ୍କ୍ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ । ତଥାପି ତାଙ୍କୁ ଦଳକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି ।

ସମ୍ବଲପୁର ବିଧାନସଭା ଆସନ ପାଇଁ ଟିକେଟ୍ ଆଶାୟୀ ଥିବା ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ବିଜେଡି ଛାଡ଼ିଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି । ଆଉ ଦଳ ଛାଡ଼ିବା ପରେ ସାମ୍ବାଦିକ ସମ୍ମିଳନୀ କରି ବିଷୋଦକାର କରିଛନ୍ତି । କହିଛନ୍ତି- ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଦଳ ଛାଡ଼ିଛି । ଯାହାଙ୍କୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ ଦେଲେ । ସମ୍ବଲପୁର ଲୋକଙ୍କୁ ଅଣଦେଖା କରାଗଲା । ତାହା ବାଧୁଛି ।

ଏପଟେ ରାସେଶ୍ୱରୀଙ୍କ ଦଳ ଛାଡିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀ । ରୋହିତ କହିଛନ୍ତି- ରାସେଶ୍ୱରୀଙ୍କ ଇସ୍ତଫା ଦଳ ପାଇଁ କ୍ଷତିକାରକ । ମାତ୍ର ଏହାର ପ୍ରଭାବ ଭୋଟ୍ ବ୍ୟାଙ୍କ୍ ଉପରେ ପଡିବନାହିଁ । ରାସେଶ୍ୱରୀ ଦେବୀଙ୍କୁ ମାଆ ଭଳି ସମ୍ମାନ ଦିଅନ୍ତି ବୋଲି କହିବା ସହ ଟିକେଟ୍ ମିଳିବା ପରେ, ତାଙ୍କୁ ଭେଟି ଆଶୀର୍ବାଦ ମଧ୍ୟ ନେଇଥିବା କହିଛନ୍ତି ରୋହିତ । ଏହାସହ ଦଳକୁ ଫେରିଆସିବାକୁ ତାଙ୍କୁ ଅନୁରୋଧ କରିଛନ୍ତି ।

୨୦୧୪ ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ରାସେଶ୍ୱରୀ । ଜୟନାରାୟଣ ମିଶ୍ରଙ୍କ ଭଳି ବିଜେପିର ଟାଣୁଆ ନେତାଙ୍କୁ ପରାସ୍ତ କରି ସମ୍ବଲପୁରରେ ବିଜେପିର ବିଜୟ ଧାରାରେ ବ୍ରେକ୍ ଲଗାଇଥିଲେ । ପ୍ରାୟ ୧୦ ହଜାର ଭୋଟ୍ ବ୍ୟବଧାନରେ ପରାସ୍ତ କରି ନିଜର ନେତୃତ୍ୱର ପ୍ରମାଣ ଦେଇଥିଲେ । ସେହିପରି ବିଗତ ୫ ବର୍ଷ ଧରି ବିଜେଡି ଦଳ ପାଇଁ ଅନବତର କାର୍ଯ୍ୟ କରି ଆସୁଥିଲେ । ଆଉ ଯେତେବେଳେ ସମ୍ବଲପୁର ଟିକେଟ୍ ପାଇଁ ନାଁ ଚର୍ଚ୍ଚା ହେଉଥିଲା, ସବା ଆଗରେ ରହୁଥିଲେ ରାସେଶ୍ୱରୀ ପାଣିଗ୍ରାହୀ ।
ଚର୍ଚ୍ଚାରେ ଥିଲେ ୪ ଚେହେରା
– ରାସେଶ୍ୱରୀ ପାଣିଗ୍ରାହୀ
– ସିଦ୍ଧାର୍ଥ ଦାସ
– ସଂଜୟ ବାବୁ
– ସଂଚିତ ମହାନ୍ତି

ତେଣୁ ରାସେଶ୍ୱରୀଙ୍କ ଅନୁପସ୍ଥିତିର ପ୍ରଭାବ ବିଜେଡି ଉପରେ କ’ଣ ପଡ଼ୁଛି, ତାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ୍ । କାରଣ, ସମ୍ବଲପୁର ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ । ଲୋକସଭା ଲଢ଼େଇରେ ବିଜେଡିର ସାଂଗଠିନକ ସଂପାଦକ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁକାବିଲା କରୁଥିବା ବେଳେ ବିଧାନସଭା ଲଢ଼େଇରେ ଜୟନାରାୟଣ ମିଶ୍ର ଏବଂ ରୋହିତ ପୂଜାରୀଙ୍କ ମଧ୍ୟରେ ମୁକାବିଲା ହେବ ।

ରେଢ଼ାଖୋଲ ଓ ସମ୍ବଲପୁର ଆସନ ପାଇଁ ପ୍ରାର୍ଥୀ ଅଦଳବଦଳ କରିବା ଏବଂ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡି ଛାଡ଼ିବା, ଏହି ଦୁଇଟି ଘଟଣା ସମ୍ବଲପୁର ନିର୍ବାଚନକୁ ପ୍ରଭାବିତ କରିବ ନା’ ନାହିଁ, ତାହା ପରବର୍ତୀ ସମୟରେ ସ୍ପଷ୍ଟ ହେବ ।