ଅଭାବୀ ପରିବାରକୁ ମିଳୁନି ସରକାରୀ ଆବାସ । ୨ ବଖରା ଭଙ୍ଗା ଘରେ ରହୁଛନ୍ତି ରସାନନ୍ଦ ମୁଣ୍ଡାଙ୍କ ପରିବାର ।

13

କନକ ବ୍ୟୁରୋ: ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରାଯାଉଥିବା ବାସ୍ତବରେ ଏହା ଧର୍ମକୁ ଆଖିଠାର ସଦୃଶ । ଅନେକ ପରିବାର ପାଇଁ ସରକାରୀ ଯୋଜନା ପାଲଟିଛି ଅପହଞ୍ଚ ।

  • ୨ ବଖରା ଭଙ୍ଗା ଘରେ ୧୩ ପ୍ରାଣୀ କୁଟୁମ୍ବ
  • ପହଞ୍ଚି ପାରିନାହିଁ ସରକାରୀ ଆବାସ
  • ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ୧୩ରୁ ୧୦!

ଆଦିବାସୀ ଅଧୁଷିତ ଅଞ୍ଚଳ ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କଣ୍ଟାପାଳ ଗାଁ । ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା ଥିବାବେଳେ, ରସାନନ୍ଦ ମୁଣ୍ଡାଙ୍କର ପରିବାର ପାଇଁ ଯୋଜନା ପାଲଟିଛି ସାତ ସପନ । ଘରର ମୁଖିଆ ରସାନନ୍ଦ ଓ ଦୁଇ ପୁଅ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ବେଳେ ୨ ବଖରା ଭଙ୍ଗା ଘରେ ଦୟନୀୟ ସ୍ଥିତିରେ ରହୁଛନ୍ତି ପିଲାଛୁଆ । ୧୩ ପ୍ରାଣୀ କୁଟୁମ୍ବରୁ ମାତ୍ର ୩ ଜଣଙ୍କୁ ରାସନ ସାମଗ୍ରୀ ମିଳୁଛି । ଅନ୍ୟମାନେ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି ।

ରାସନକାର୍ଡରେ ୬ ଜଣଙ୍କ ନାଁ ରହିଛି, କିନ୍ତୁ ୩ ଜଣଙ୍କୁ ରାସନ ମିଳୁଛି । ଅର୍ଥ ଅଭାବରୁ କୁନିକୁନି ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି । କେବଳ ଏତିକି ନୁହେଁ, ମାଟି ଘରେ ରହୁଥିବା ରସାନନ୍ଦଙ୍କ ପରିବାର ପାଖରେ ସରକାରୀ ଆବାସ ପହଞ୍ଚି ପାରିନାହିଁ । ବର୍ଷ ବର୍ଷ ଧରି ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥାରେ ରହୁଥିବା ପରିବାର ପକ୍କା ଘରଟିଏ ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକର ଅଧିକାରୀ, ସମସ୍ତଙ୍କୁ ବାରମ୍ବାର ଜଣାଇଛନ୍ତି । ହେଲେ କାହାରି ନଜର ନପଡିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଗରିବ ଅସହାୟ ଲୋକଙ୍କୁ ମୌଳିକ ସୁବିଧା ନମିଳିବା ଏକ ପରିତାପର ବିଷୟ । କଙ୍କଡାହାଡ଼ ବ୍ଲକକୁ ଆକାଂକ୍ଷା ବ୍ଲକ ଭାବେ ମନୋନୀତ କରାଯାଇ ଅନ୍ୟ ବିକଶିତ ଅଞ୍ଚଳ ଭଳି ବିକଶିତ କରିବା ପାଇଁ ସରକାରୀ ବାବୁମାନେ ବାରମ୍ବାର ସମୀକ୍ଷା ବୈଠକ କରୁଥିବା ବେଳେ ବାସ୍ତବରେ ଏହା କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ ହେଉଛି । ରସାନନ୍ଦଙ୍କ ପରିବାର ଏହାର ଏକ ଉଦାହରଣ ବୋଲି କୁହାଯାଉଛି ।