ଆଜି ରସଗୋଲା ଦିବସ । ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ ।

411

କନକ ବ୍ୟୁରୋ: ରସଗୋଲା..। ବାସ୍ ଏତିକି ଶବ୍ଦ କାନରେ ପଡ଼ିଗଲେ ଜିଭ ସମ୍ଭାଳ ପଡ଼େନି। ନଜର ପଡ଼ିଲେ ନଖାଇ ଲେଉଟି ହୁଏନି। ବଜାରରେ ରକମ ରକମର ମିଠା ଉପଲବ୍ଧ । ମାତ୍ର ମିଠା ଭିତରେ ଏବେ ବି ରାଜା ରସଗୋଲା..। ଗୁଲାପ ଜାମୁନ, ଅନାରକଲି, ହୀରାମଣି, ମଲାଇ ଚପ୍, କେଶର ପେଡ଼ା, ସନ୍ଦେଶ ଆଦି ଶତାଧିକ ମିଠା ରହିଛି । ମାତ୍ର ମିଠା କଥା ପଡ଼ିଲେ ମନ ଆଗେ ଖୋଜେ ରସଗୋଲା । ମିଠା ରଙ୍କୁଣାଙ୍କ ମନ ଚାହିଁ ପାହାଳରେ ଖୋଲିଛି ବୃହତ୍ ରସଗୋଲା ବଜାର । ଆଜି ନୀଳାଦ୍ରି ବିଜେକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ସଜେଇ ହେଉଛି ରାଜଧାନୀର ରସଗୋଲା ବଜାର ।

ପତିତଜନଙ୍କୁ ଦର୍ଶନ ଦେବା ସହିତ ଘୋଷଯାତ୍ରା ଶେଷ କରିବା ପରେ ବୁଧବାର ରାତି ଚତୁର୍ଦ୍ଧା ମୂରତି ରତ୍ନମଣ୍ଡପକୁ ବିଜେ କରିବେ। ରଥାରୁଢ଼ ଚତୁର୍ଦ୍ଧା ମୂରତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ । ଏତେ ଦିନ ଧରି ମାନ କରି ରହିଥିବା ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀମନ୍ଦିର ପରଂପରା ଅନୁସାରେ ଶ୍ରୀଜିଉମାନଙ୍କୁ ବର୍ଷର କେବଳ ଗୋଟିଏ ଦିନ (ନିଳାଦ୍ରୀ ବିଜେ) ଅବସରରେ ବାହାରୁ ପ୍ରସ୍ତୁତ ରସଗୋଲା ଭୋଗ ଅର୍ପଣ କରାଯାଇ ଥାଏ ।

କେବେଠାରୁ ଆରମ୍ଭ ହୋଇଛି ଏହି ରସଗୋଲା ଦିବସ

୨୦୧୫ ଜୁଲାଇ ୪ ତାରିଖ ( ନିଳାଦ୍ରୀ ବିଜେ ଦିନ) ଏହା ପ୍ରଥମେ ଆରମ୍ଭ ହୋଇଥିଲା । ସୋସିଆଲ ମିଡ଼ିଆରେ ପ୍ରଥମେ ରସଗୋଲା ଦିବସକୁ ଗୁରୁତ୍ୱ ଦିଆଗଲା । ପରେ ପରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରସଗୋଲା ଦିବସ ପାଳନ ହେଲା ।

ଓଡ଼ିଶାର ପୁରୀ ସହରରେ ପ୍ରଥମେ ରସଗୋଲା ତିଆରି ଆରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା କଟକର ସାଲେପୁର ଓ ଭୁବନେଶ୍ୱର ପାହଳ ଠାରେ ପରମ୍ପରାଗତ ବେଉସାରେ ପରିଣତ ହୋଇଥିଲା । ପ୍ରମାଣର ଅଭାବ ହେତୁ ରସଗୋଲା ବିଷୟରେ ସଠିକ ମସିହା ଲିପିବଦ୍ଧ ହୋଇପାରିନାହି । ଜଗନ୍ନାଥ ମନ୍ଦିରର ରୋଷଘରେ ତିଆରି ହେଉଥିଲା କ୍ଷୀରମୋହନ (ରସଗୋଲା) ।

୨୦୧୫ ମସିହା ଜୁଲାଇ ୩୦ ତାରିଖରେ ନିଳାଦ୍ରୀ ବିଜେ ଅବସରରେ କେଳୁ ବେହେରା ମିଠା ବ୍ୟବସାୟୀ ସଙ୍ଘ ତରଫରୁ ପ୍ରଥମ କରି ଏହି ଦିବସ ପାଳନର କରିବାର ଯୋଜନା ହୋଇଥିଲା । ଯେଉଁଥିରେ ସୋସିଆଲ ମିଡ଼ିଆ ଏକ ଗୁରତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା ।