କନକ ବ୍ୟୁରୋ: ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ ଜେଲ । ୬୦ ହଜାର ଟଙ୍କାର ଫାଇନ । ୨୦୨୨ରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ହେମନ୍ତ ମଲ୍ଲିକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୬୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ଫୁଲବାଣୀର ପୋକସୋ କୋର୍ଟ । ଜୋରିମାନା ଅନାଦେୟ ହେଲେ ଅଧିକ ୭ ମାସ କାରାଦଣ୍ଡାଦେଶ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୀଡ଼ିତା ନାବାଳିକାକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି କୋର୍ଟ ।
ସୂଚନା ଅନୁସାରେ, ଗାଁ ନିକଟ ଏକ ଜଙ୍ଗଲରେ ଭୋଜିରେ ଯୋଗଦେବା ପାଇଁ ଯାଇଥିଲେ ନାବାଳିକା ଜଣକ । ଭୋଜି ସରିବା ପରେ ପୀଡ଼ିତା ନାବାଳିକାଙ୍କୁ ଘରେ ଛାଡ଼ିଦେବାକୁ କହି ବାଟରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । କାହାକୁ କହିଲେ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲା । ଘଟଣା ସମ୍ପର୍କରେ ପୀଡ଼ିତା ମା’ ଜାଣିବା ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଖଜୁରୀପଡ଼ା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଏବଂ ଡାକ୍ତରୀ ରିପୋର୍ଟ ଆଧାରରେ ପୋକସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
--