ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ । ବିଶ୍ୱରେ ଚିହ୍ନଟ ହେଉଥିବା ପ୍ରତି ତିନି ଜଣଙ୍କ ମଧ୍ୟରେ ଜଣେ ଭାରତୀୟ ସଂକ୍ରମିତ । 

158

କନକ ବ୍ୟୁରୋ: କରୋନା ମହାମାରୀ ଆରମ୍ଭ ହେବାର ପ୍ରାୟ ବର୍ଷକ ପରେ ସାରା ବିଶ୍ୱରେ ଏହା ପୂର୍ବ ଶୀର୍ଷକୁ ଟପିଯାଇଛି । ଏବେ ପ୍ରତି ଦିନ ସାମ୍ନାକୁ ଆସୁଥିବା ନୂଆ ମାମଲା ଏକ ଅଲୋଡା ରେକର୍ଡ ସୃଷ୍ଟି କରୁଛି । ନୂଆ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଯେପରି ଭାବରେ ବଢିଚାଲିଛି ତାହା ନିଶ୍ଚିତ ଭାବରେ ଚିନ୍ତାଜନକ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧାନମ ।

ଭାରତରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଯୋଗୁଁ ସାରା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶ୍ୱରେ ଦୈନିକ ଚିହ୍ନଟ ହେଉଥିବା ପ୍ରତି ତିନି ଜଣଙ୍କ ମଧ୍ୟରେ ଜଣେ ଭାରତର ସଂକ୍ରମିତ ।

ସଂକ୍ରମଣର ଏହି ଦ୍ରୁତ ଗତି ଚିନ୍ତାଜନକ । ଚଳିତ ବର୍ଷ ପ୍ରାରମ୍ଭରେ ଭାରତରେ ଏହି ମହାମାରୀ ଶେଷ ହେବାକୁ ଯାଉଥିବା ଅନୁମାନ କରାଯାଉଥିଲା । ଦୈନିକ ସଂକ୍ରମଣ ସଂଖ୍ୟା ୧୦ହଜାର ତଳକୁ ଖସିଥିବା ବେଳେ ଏହାପରେ ସରକାରୀ ଦେଶୀ ଟିକାରେ ଟିକାକରଣ ଯୋଜନା ଆରମ୍ଭ କରିଥିଲେ । କିନ୍ତୁ ବିଶେଷଜ୍ଞଙ୍କ ମତରେ କରୋନା ଭୂତାଣୁ ବାରମ୍ବାର ରୂପ ବଦଳାଉଥିବା ଯୋଗୁଁ ଦ୍ୱିତୀୟ ଲହର, ପ୍ରଥମ ଲହର ଠାରୁ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି ।

ମିଚିଗାନ ବିଶ୍ୱବିଦ୍ୟାଳୟର ଜୈବବିଜ୍ଞାନୀ ଭ୍ରମର ମୁଖାର୍ଜୀଙ୍କ ଅନୁଯାୟୀ, ଭାରତରୁ ପ୍ରତିଦିନ ପ୍ରାୟ ଅଢେଇ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଏହିପରି ଭାବରେ ସଂକ୍ରମଣର ଗତି ରହିଲେ ମାସକ ଭିତରେ ଦିନକୁ  ୫ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେବେ । ତେବେ ଦେଶର ରାଜଧାନୀ ଦିଲ୍ଲୀ ଓ ୬ଟି ରାଜ୍ୟରେ ଏହି ସଂକ୍ରମଣ ଚିନ୍ତା ବଢାଇଛି । ଦିଲ୍ଲୀରେ ୯ତାରିଖରେ ୮ହଜାର ୫ଶହ ମାମଲା ଚିହ୍ନଟ ହୋଇଥିଲା । ଏହାର ୪ଦିନ ପରେ ଏହି ସଂଖ୍ୟା ୧୩ହଜାର ୫ଶହ ଟପିଥିବା ବେଳେ ଏହାର ୪ଦିନ ପରେ ଏହି ସଂଖ୍ୟା ୧୮ହଜାର ୫ଶହରୁ ଅଧିକ ରହିଥିଲା । ଦିଲ୍ଲୀରେ ଅକ୍ସିଜେନର ଅଭାବ ଥିବା କହିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ମହାରାଷ୍ଟ୍ରରେ ବି ସ୍ଥିତି ସଙ୍ଗୀନ ରହିଛି । ପ୍ରତିଦିନ ୬୦ହଜାର ପାଖାପାଖି ନୂଆ ମାମଲା  ଚିହ୍ନଟ ହେଉଛି । ଫଳରେ ଘରୁ ନବାହାରିବାକୁ ମହାରାଷ୍ଟ୍ରବାସୀଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର । ଏହାସହ ସମଗ୍ର ରାଜ୍ୟରେ କଡାକଡି କରାଯାଇଛି କଟକଣା । ସକାଳ ୭ରୁ ୧୦ଟା ଯାଏଁ ତେଜରାତି ଦୋକାନ ସମେତ ମାଛ, ମାଂସ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ସେହିପରି ଗୁଜରାଟରେ ମଧ୍ୟ କରୋନା ସଂକ୍ରମଣର ସ୍ଥିତି ଉଦବେଗଜନକ ରହିଛି । ମହାରାଷ୍ଟ୍ର, ଉତରପ୍ରଦେଶ, ଦିଲ୍ଲୀ, ଗୁଜରାଟ ଓ ୧୦ଟି ରାଜ୍ୟରୁ ମୋଟ ସଂକ୍ରମଣର ୭୭ ଦଶମିକ ୬୭ପ୍ରତିଶତ ମାମଲା ଚିହ୍ନଟ ହୋଇଛି ।