ଆଜି ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ହେବ ଲଢୁଆ ବିମାନ ରାଫେଲ : ଅମ୍ବାଲା ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ; ରାଜନାଥଙ୍କ ସହ ସାମିଲ ହେବେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ

90

କନକ ବ୍ୟୁରୋ : ଭାରତୀୟ ବାୟୁସେନା ପାଇଁ ଆଜିର ଦିନ ଐତିହାସିକ । କାରଣ ଆନୁଷ୍ଠାନିକ ଭାବେ ଆଜି ଭାରତୀୟ ବାୟୁସେନାରେ ସାମିଲ ହେଉଛି ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । ପଂଜାବର ଅମ୍ୱାଲା ଏୟାରବେସ୍ ରେ ଏଥିନେଇ ପୁରା ପ୍ରସ୍ତୁତ ହୋଇ ରହିଛି । ଅପେକ୍ଷା କେବଳ ବାୟୁସେନାରେ ରାଫେଲର ସାମିଲ ହେବାର ସମୟକୁ । ଫ୍ରାନସରୁ ଆସିଥିବା ୫ଟି ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ , ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣ ବୃଦ୍ଧି ପାଇବ । ଗୋଟିଏ ପଟେ ଲଦାଖ ସୀମାରେ ଚୀନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି । ଏପଟେ ପାକିସ୍ତାନ ପଟେ ମଧ୍ୟ ସୀମାରେ ଲାଗି ରହିଛି ଉତେଜନା । ଏହାରି ଭିତରେ ଭାରତୀୟ ବାୟୁସେନାରେ ରାଫେଲର ଆନୁଷ୍ଠାନିକ ସାମିଲ ହେବା, ଶତ୍ରୁ ଦେଶଙ୍କ ପାଇଁ କଡା ଚେତାବନୀ ହେବ ।

ସେପଟେ ରାଫେଲର ଭାରତୀୟ ବାୟୁସେନାରେ ସାମିଲ ହେବା ଉତ୍ସବରେ ସାମିଲ ହେବେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପର୍ଲେ । ଏଥିପାଇଁ ଆଜି ସକାଳେ ନୂଆଦିଲ୍ଲୀରେ ପହଁଚିଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ । ପାଲାମ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ରାଫେଲ୍ ର ବାୟୁସେନାରେ ସାମିଲ ହେବା ଅବସରରେ ଧାର୍ମିକ ରୀତିନୀତିରେ ପୂଜା ପାଠ ପରେ ଏହାକୁ ବାୟୁସେନାରେ ସାମିଲ କରାଯିବ ବୋଲି ଜଣାପଡିଛି ।