କନକ ବ୍ୟୁରୋ: ପୁଣି ବିବାଦରେ ରାଫେଲ ଚୁକ୍ତି । ଲଢୁଆ ବିମାନ କିଣାରେ ହୋଇଛି ଲାଞ୍ଚ କାରବାର । ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୨୦୧୬ରେ ହୋଇଥିବା ରାଫେଲ ଚୁକ୍ତିକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ରାଫେଲ ତିଆରି କରୁଥିବା ଡାସଲ୍ଟ କମ୍ପାନୀ ଭାରତର ଜଣେ ମଧ୍ୟସ୍ଥିଙ୍କୁ ଏହି ଲାଞ୍ଚ ଟଙ୍କା ଦେଇଥିବା ଅଭିଯୋଗ ଉଠିଛି । ଫ୍ରାନ୍ସର ମିଡିଆ ରିପୋର୍ଟ ଅନୁସାରେ
- ରାଫେଲ ଚୁକ୍ତି ପାଇଁ ଜଣେ ମଧ୍ୟସ୍ଥିକୁ ଲାଞ୍ଚ ଦେଇଥିଲା ଡାସଲ୍ଟ କମ୍ପାନୀ
- ସୁଶୈନ ଗୁପ୍ତା ନାମକ ବ୍ୟକ୍ତିଙ୍କୁ ୬୫କୋଟିର କମିଶନ ଦେଇଥିଲା ଫ୍ରାନ୍ସ ଏଭିଏସନ୍ କମ୍ପାନୀ
- ସୁଶୈନ୍ ଗୁପ୍ତାଙ୍କ ମରିସସ୍ ସ୍ଥିତ କମ୍ପାନୀ ଇଂଟରେଷ୍ଟଲର ଟେକ୍ନୋଲୋଜିକୁ ୨୦୦୭-୨୦୧୨ ଭିତରେ ଡାସଲ୍ଟ କମ୍ପାନୀ ୭.୫ ମିଲିଅନ ୟୁରୋ ବା ୬୫ କୋଟି ଟଙ୍କା ଟ୍ରାନ୍ସଫର କରିଛି
- ୨୦୧୮ସୁଦ୍ଧା ଠକେଇ ନେଇ ସବିଶେଷ ତଥ୍ୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରେ ମଧ୍ୟ ରହିଥିଲା
ମିଡିଆ ରିପୋର୍ଟ ଅନୁସାରେ ୪ ଅକ୍ଟୋବର, ୨୦୧୮ରେ ରାଫେଲ ଚୁକ୍ତିରେ ଦୁର୍ନୀତି ନେଇ ସିବିଆଇ ପାଖରେ ଅଭିଯୋଗ ହୋଇଥିଲା । ୧୧ ଅକ୍ଟୋବର ସୁଦ୍ଧା ଠକେଇ ନେଇ ଦସ୍ତାବିଜ ସିବିଆଇକୁ ହସ୍ତଗତ ମଧ୍ୟ ହୋଇଥିଲା । ତଥାପି ଏହି ମାମଲାରେ ଆଗ୍ରହ ଦେଖାଇ ନଥିଲା ସିବିଆଇ । ଫ୍ରାନ୍ସ ପବ୍ଲିକେସନ୍ ଖୁଲାସା କରିଛି ଯେ,
- ୨୦୦୧ରେ ଭାରତ ସରକାର ଯେତେବେଳେ ରାଫେଲ ଯୁଦ୍ଧ ବିମାନ କିଣିବାର ଯୋଜନା କଲେ, ସେତେବେଳେ ସୁଶୈନ ଗୁପ୍ତା ନାମକ ମଧ୍ୟସ୍ଥିକୁ ସ୍ଥିର କରାଗଲା
- ତେବେ ୨୦୦୭ରୁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା
- ମିଡିଆ ରିପୋର୍ଟ ମୁତାବକ ଭାରତୀୟ ଆଇଟି କମ୍ପାନୀ ଆଇଡିଏସ ମଧ୍ୟ ଏହି ଦୁର୍ନୀତିରେ ସାମିଲ ରହିଛି
- ଆଇଡିଏସ ଅଧିକାରୀ ସିବିଆଇକୁ ଏ ବିଷୟରେ ଜଣାଇଥିଲେ
- ଲାଞ୍ଚ ଟଙ୍କାର ୪୦ ପ୍ରତିଶତ ଆଇଡିଏସ କମ୍ପାନୀକୁ ମିଳିଥିଲା
ସବୁଠାରୁ ବଡ କଥା ହେଉଛି ରାଫେଲ ଡିଲ୍ରେ ଫ୍ରାନ୍ସ କମ୍ପାନୀ ଠାରୁ ଯେଉଁ ଅର୍ଥ ଲାଞ୍ଚ ଭାବରେ ଆସିଥିଲା ଏଥିରେ ଅନେକ ବଡ ବଡ ସରକାରୀ ଅଧିକାରୀଙ୍କ କମିଶନ ରହିଥିଲା । ଏ ବିଷୟରେ ସୁଶୈନ ଗୁପ୍ତା ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଜଣାଇବା ସହ ଦସ୍ତାବିଜ ମଧ୍ୟ ହସ୍ତାନ୍ତର କରିଥିଲା । ରାଫେଲ ଡିଲରେ ଦୁର୍ନୀତି ନେଇ ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ ପାଖରେ ତଥ୍ୟ ଥିଲେ ବି ଏନେଇ ଭାରତ ପକ୍ଷରୁ କୌଣସି ତଦନ୍ତ କରାଯାଉ ନଥିବା ଫ୍ରାନ୍ସ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ୨୦୧୬ରେ ଭାରତକୁ ୩୬ଟି ରାଫେଲ ବିମାନ ଯୋଗାଇ ଦେବା ପାଇଁ ଫ୍ରାନ୍ସ କମ୍ପାନୀ ଡାସଲ୍ଟ ଏଭିଏସନ୍ ସହ ୫୯ହଜାର କୋଟି ଟଙ୍କାର ଡିଲ୍ ହୋଇଥିଲା । ତେବେ ଏହି ଡିଲ୍ ପାଇଁ ସୁଶୈନ ଗୁପ୍ତାକୁ ୬୮ କୋଟିର ଲାଂଚ ଦେଇଥିଲା ଫ୍ରାନ୍ସ କମ୍ପାନୀ ।