କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ପୁଣି ଏକ ବର୍ବର କାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପିତାଙ୍କୁ ଗତ ଗୁଳି କରି ହତ୍ୟା କରାଯାଇଛି। ଉତ୍ତରପ୍ରଦେଶର ଫିରୋଜାବାଦ୍ରେ ଜଣେ ୧୫ ବର୍ଷୀୟା ନାବାଳିକା ଗତବର୍ଷ ଅଗଷ୍ଟରେ ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଏନେଇ ଅଭିଯୁକ୍ତ ଅଚମନ୍ ଉପାଧ୍ୟାୟ ବିରୋଧରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଏଯାବତ୍ ଏହି ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ତା’ର ସମ୍ପତ୍ତି ଜବତ କରିଥିଲେ ମଧ୍ୟ ଉପାଧ୍ୟାୟକୁ ଠାବ କରିବାରେ ପୁଲିସ ସକ୍ଷମ ହୋଇନାହିଁ। ଅନ୍ୟପକ୍ଷେ ଉପାଧ୍ୟାୟ ତା’ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ବାରମ୍ବାର ଧମକ ଦେଇଚାଲିଥିଲା ଏବଂ ସୋମବାର ପୀଡ଼ିତାଙ୍କ ବାପାଙ୍କୁ ଗୁଳି କରି ହତ୍ୟା କରିଛି।
ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ଉପାଧ୍ୟାୟ ଏବଂ ତା’ର କେତେକ ସାଥୀ ତୁହାକୁ ତୁହା ଧମକ ଦେଉଥିଲେ ମଧ୍ୟ ପୁଲିସ ଏ ଦିଗରେ ନିଷ୍କ୍ରିୟ ରହିଥିଲା। ମାମଲା ପ୍ରତ୍ୟାହାର ନକଲେ ୫ ଦିନ ମଧ୍ୟରେ ପରିବାରର ଜଣଙ୍କୁ ମାରିଦେବ ବୋଲି ସେ ଗତ ସପ୍ତାହ ଧମକ ଦେଇଥିଲା। ପୀଡ଼ିତାଙ୍କ ପରିବାର ପକ୍ଷରୁ ପୁଲିସକୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଥିଲେ ମଧ୍ୟ ପରିବାରର ସୁରକ୍ଷା ପାଇଁ ସାମାନ୍ୟତମ ପଦକ୍ଷେପ ନିଆଯାଇନଥିଲା।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ୩ ଜଣ ପୁଲିସ ଅଧିକାରୀ ସେମାନଙ୍କ ଦାୟିତ୍ବରେ ଅବହେଳା କରିଛନ୍ତି। ଏହି ୩ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଅଭିଯୁକ୍ତ ଉପାଧ୍ୟାୟକୁ ଧରିବାପାଇଁ ୟୁପି ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଅଭିଯୁକ୍ତ ସଂପର୍କରେ ଖବର ଦେଲେ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ୨୦୧୮ରେ ମଧ୍ୟ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ପିତାଙ୍କର ହାଜତ ମୃତ୍ୟୁ ହୋଇଥିଲା। ବିଧାୟକ କୁଲଦୀପ ସିଂହ ସେଙ୍ଗରର ସହଯୋଗୀଙ୍କ ଦ୍ବାରା ଉନ୍ନାଓ ପୀଡ଼ିତାଙ୍କ ପିତାଙ୍କୁ ଅମାନୁଷିକ ନିର୍ଯାତନା ଦିଆଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ଉନ୍ନାଓ ପୀଡ଼ିତାଙ୍କୁ ମଧ୍ୟ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିଲା। ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।