ସୋସିଆଲ ମଡ଼ିଆରେ କୋହଲିଙ୍କ ଝିଅକୁ ଦେଇଥିଲେ ଦୁଷ୍କର୍ମ ଧମକ, ହାଇଦ୍ରାବାଦରୁ ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ ।

199

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ କୁନି ଝିଅକୁ ଟ୍ୱିଟର ପ୍ଲାଟଫର୍ମରେ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୁକ୍ତ ଗିରଫ । ବୁଧବାର ଅଭିଯୁକ୍ତ ଯୁବକକୁ ହାଇଦ୍ରାବାଦରୁ ଗିରଫ କରିଛି ମୁମ୍ବାଇ ପୋଲିସ । ଅଭିଯୁକ୍ତ ଯୁବକ ଜଣକ ହେଉଛନ୍ତି ରାମନାଗେଶ ଅଲିବଥିନି । ୨୩ ବର୍ଷୀୟ ରାମନାଗେଶଙ୍କୁ ମୁମ୍ବାଇର ସାଇବର ସେଲ ପୋଲିସ ଗିରଫ କରିଛି ।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ରାମନାଗେଶ ପେଶାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର । ପୂର୍ବରୁ ଏକ ଫୁଡ୍ ଡେଲିଭରୀ ଆପ୍ ପାଇଁ ସଫ୍ଟୱେୟାର ପ୍ରସ୍ତୁତ କରୁଥିଲେ ରାମନାଗେଶ । ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ପରାଜିତ ହେବା ପରେ ବିରାଟ କୋହଲି ଓ ତାଙ୍କ ପରିବାରକୁ ଲଗାତାର ଧମକ ମିଳି ଆସୁଥିଲା । ଟ୍ୱିଟରରେ ଏକ ଅଜଣା ଆକାଉଣ୍ଟରୁ କୋହଲିଙ୍କ ଝିଅକୁ ନେଇ ଦୁଷ୍କର୍ମ ଧମକ ମିଳିଥିଲା । ତେବେ ଯେଉଁ ଆକାଉଣ୍ଟରୁ ଏହି ଟ୍ୱିଟ୍ କରାଯାଇଥିଲା ତାହାକୁ ପରବର୍ତ୍ତୀ ସମୟରେ ଡିଲିଟ୍ କରାଯାଇଥିଲା ।

ଟ୍ୱିଟରରେ ଏହି ଧମକ ମିଳିବା ପରେ ଦିଲ୍ଲୀ ମହିଳା ଆୟୋଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ କହିଥିଲା । ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାକୁ ଦିଲ୍ଲୀ ପୋଲିସକୁ ନୋଟିସ କରିଥିଲା ଦିଲ୍ଲୀ ମହିଳା ଆୟୋଗ । କେବଳ କୋହଲିଙ୍କ ପରିବାରକୁ ନୁହେଁ ବରଂ ମହମ୍ମଦ ସାମିଙ୍କୁ ମଧ୍ୟ ସୋସିଆଲ ମିଡ଼ିଆରେ କିଛି ୟୁଜର୍ସ ଟାର୍ଗେଟ କରିଥିଲେ । ସାମିଙ୍କ ଧର୍ମକୁ ନେଇ ଆପତ୍ତିଜନକ ବୟାନ ଦେଇଥିଲେ ୟୁଜର୍ସ । ସେତେବେଳେ ସାମିଙ୍କ ସମର୍ଥନରେ ବାହାରିଥିଲେ କ୍ୟାପଟେନ କୋହଲି । ଧର୍ମକୁ ନେଇ କାହାକୁ ଟାର୍ଗେଟ କରିବା ଅତି ନିମ୍ନସ୍ତରର ମାନସିକତା ବୋଲି କୋହଲି କହିଥିଲେ ।