ଦେଶରେ ପଡିରହିଛି ନାବାଳିକାଙ୍କୁ ଦୁଷ୍କର୍ମର ୨୦,୦୦୦ ମାମଲା ! ଶୁଣାଣୀ ପାଇଁ ୪୦୦ ଜଜ ରହିଲେ ଲାଗିବ ୧୦ ମାସ ସମୟ ।

33

ସାରାଦେଶରେ ନାବାଳିକାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । କଠୁଆ ଦୁଷ୍କର୍ମ ଘଟଣା ଠାରୁ ଆରମ୍ଭ କରି ସୁରଟ ଏବଂ ହିମାଚଳରେ ହୋଇଥିବା ଦୁଷ୍କର୍ମ ମାମଲାକୁ ନେଇ ଦେଶରେ ଆକ୍ରୋଶ ବଢି ବଢି ଚାଲିଛି । ନାବାଳିକା ମାନଙ୍କ ପ୍ରତି ଏଭଳି ଜଘନ୍ୟ ଅପରାଧ ଭିଆଉଥିବା ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡବିଧାନ ପାଇଁ ସାଧାରଣରେ ଦାବି ହେଉଛି । କିନ୍ତୁ ଦେଶରେ ପୂର୍ବରୁ ମଧ୍ୟ ଅନେକ ଦୁଷ୍କର୍ମ ମାମଲା ସମାଧାନ ନହୋଇ ପଡିହୋଇରହିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ୨୦୧୬ ମସିହାରେ ହୋଇଥିବା ଆକଳନ ଅନୁଯାୟୀ, ଦେଶର ବିଭିନ୍ନ ଅଦାଲତରେ ଦୁଷ୍କର୍ମ ସହ ଯୋଡିହୋଇଥିବା ୩୬,୬୫୭ ମାମଲା ଏପର୍ଯ୍ୟନ୍ତ ସମାଧାନ ନହୋଇ ପଡିହୋଇରହିଛି । ଏକ ରିସର୍ଚ୍ଚ ଅନୁଯାୟୀ, ଦେଶରେ ପ୍ରତିଦିନ ୫୫ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥାଏ । ଦେଶରେ ପ୍ରତିବର୍ଷ ୨୦ ହଜାରରୁ ଅଧିକ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଥାଏ ।

ଯଦି ଦୁଷ୍କର୍ମର ଏହି ସମସ୍ତ ମାମଲାକୁ ୧୦ ମାସରେ ସମାଧାନ କରିବାକୁ ହୁଏ, ତେବେ ଏଥି ପାଇଁ କେତେଜଣ ଜଜ୍ ଙ୍କର ଆବଶ୍ୟକତା ପଡିବ ଏବଂ ପ୍ରତିଦିନ ଜଣେ ଜଜଙ୍କୁ କେତୋଟି ମାମଲାର ଶୁଣାଣୀ କରିବାକୁ ପଡିବ ? ଯଦି ଦେଶରେ ଜଜ୍ ପ୍ରତିଦିନ ୫୦ଟି ମାମଲାର ଶୁଣାଣୀ କରନ୍ତି । ଦେଶରେ ଯଦି ୪୦୦ଜଣ ଜଜଙ୍କୁ ପ୍ରତିଦିନ ୫୦ଟି ଲେଖାଏଁ ମାମଲାର ଶୁଣାଣୀ କରନ୍ତି ତେବେ ୧୦ମାସରେ ସେମାନେ ୨୦ହଜାର ମାମଲାକୁ ସମାଧାନ କରିପାରିବେ ।

ଶୁଣାଣୀରେ ଆଇନର ପ୍ରତିବନ୍ଧକ :

ଦିଲ୍ଲୀର ପୂର୍ବତନ ମୁଖ୍ୟ ପବ୍ଲିକ ପ୍ରୋସିକ୍ୟୁଟର ଓକିଲ କେଡି ଭରଦ୍ୱାଜଙ୍କ କହିବା ଅନୁଯାୟୀ, ସରକାର ଦୁଷ୍କର୍ମ ସହ ଯୋଡିହୋଇଥିବା ସମସ୍ତ ମାମଲାକୁ ୧୦ ମାସରେ ସମାଧାନ କରିବାକୁ ଚାହୁଁଥିଲେ ମଧ୍ୟ ଏହା ଅସମ୍ଭବ ଅଟେ । ଏଥି ପାଇଁ ଦେଶରେ ଥିବା ଆଇନ ବ୍ୟବସ୍ଥା ହିଁ ଦାୟୀ ଅଟେ । ଉଦାହରଣ ସ୍ୱରୂପ, ଅଦାଲତରେ କେତେବେଳେ ସାକ୍ଷୀ ଉପସ୍ଥିତ ନଥାନ୍ତି ତ ଆଉ କେତେବେଳେ ଅଭିଯୁକ୍ତଙ୍କୁ ଅଣାଯାଇନଥାଏ । ଏପରିକି ବେଳେବେଳେ ଓକିଲମାନେ ମଧ୍ୟ ଅନୁପସ୍ଥିତ ରହିଥାନ୍ତି ଏବଂ ଜଜଙ୍କ ପାଖରେ ଅଧିକ କମ ରହିଯାଇଥିବାରୁ ଶୁଣାଣୀର ନମ୍ବର ଆସିନଥାଏ ।

ଏହା ଛଡା ଆଇନ କହିଥାଏ ଯେ, ଯଦି ମାମଲାରେ ସାକ୍ଷୀ କୋର୍ଟରେ ଅନୁପସ୍ଥିତ ଅଛି ତେବେ ତାଙ୍କୁ ଦ୍ୱିତୀୟ ଥର ଡକାଯାଉ । ଏବଂ ଯଦି ଦ୍ୱିତୀୟ ଥର ଅନୁପସ୍ଥିତ ରହନ୍ତି ତେବେ ତାଙ୍କୁ ସମନ ପଠାଯାଇ ତୃତୀୟ ଥର ପାଇଁ ଡକାଯାଉ । ଏହା ପରେ ମଧ୍ୟ ଯଦି ଅନୁପସ୍ଥିତ ରହନ୍ତୁ ତେବେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥାଏ । ଏହି ପ୍ରକ୍ରିୟା ତିନିଥର କରାଯାଇଥାଏ ଏବଂ ଏହା ପରେ ୱାରେଣ୍ଟ ଜାରି କରାଯାଇଥାଏ । ଏବଂ ପ୍ରତିପକ୍ଷ କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇପାରିବେ ।

ସୁପ୍ରିମକୋର୍ଟର ଓକିଲ ଡି ଭୌମିକଙ୍କ କହିବା ଅନୁଯାୟୀ, ଦେଶରେ ଚୁନିନ୍ଦା ମାମଲା ହିଁ ହୋଇଥାଏ, ଯେଉଁଥିରେ ସ୍ପିଡି ଟ୍ରାଏଲ ଦେଖିବାକୁ ମିଳିଥାଏ । ୨୦୧୨ ମସିହା ଡିସେମ୍ବର ମାସରେ ନିର୍ଭୟା ସାମୂହିକ ଦୁଷ୍କର୍ମ ମାମଲାରେ ତଳ ଅଦାଲତ ତିନି ମାସରେ କେସକୁ ସମାଧାନ କରିବା ସହ ଦୋଷୀମାନଙ୍କୁ ଫାସୀର ଦଣ୍ଡ ଦେଇଥିଲେ । ତେବେ ଏହି ମାମଲା ସମାଧାନ ହେବାର କାରଣ ହେଉଛି ଏହା ଗଣମାଧ୍ୟମରେ ବାରମ୍ବାର ପ୍ରସାରିତ ହେଉଥିଲା । ତେବେ ଦୁଷ୍କର୍ମ ମାମଲା ସମାଧାନ ହେବାରେ ପାଖାପାଖି ୧ ବର୍ଷରୁ ୨ ବର୍ଷ ସମୟ ଲାଗିଥାଏ ।

କେନ୍ଦ୍ର ଆଇନ ମନ୍ତ୍ରୀ ପିପି ଚୌଧୁରୀ ସଂସଦରେ ଏକ ରିପୋର୍ଟ ଦାଖଲ କରିବା ଅବସରରେ କହିଥିଲେ ଯେ, ସମଗ୍ର ଦେଶରେ ମହିଳାମାନଙ୍କ ସହ ହୋଇଥିବା ଅପରାଧର ୨୬,୮୨୦,୧୬ ମାମଲା କୋର୍ଟରେ ପଡିରହିଛି । ଏହି ସଂଖ୍ୟା କ୍ରମାଗତ ଭାବରେ ବଢି ବଢି ଚାଲିଛି । ଏହାର ପ୍ରମୁଖ କାରଣ ହେଉଛି ସମଗ୍ର ଦେଶର ପ୍ରତ୍ୟେକ ଜିଲ୍ଲାର ଅଦାଲତ ଗୁଡିକରେ ୫,୯୮୪ ଜଜ୍ ପଦ ଖାଲି ହୋଇପଡିଛି । ଏପରିକି ହାଇକୋର୍ଟରେ ୩୯୫ ଏବଂ ସୁପ୍ରିମକୋର୍ଟରେ ଜଜ୍ ଙ୍କର ୬ଟି ପଦବୀ ଖାଲି ପଡିଛି ।