ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ପରେ ଉଠୁଛି ପଡୁଛି ଦେଶ। ତଥାପି କମୁନି ମହିଳା ଓ ଶିଶୁଙ୍କୁ ଦୁଷ୍କର୍ମ। ଗତ ୨୪ ଘଂଟାରେ ଯୌନ ପିଶାଚଙ୍କ ପଞ୍ଝାରେ ୫ ନାବାଳିକା

ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱରଷ୍ଟ୍ର ସଚିବଙ୍କ ଚିଠି

888

କନକ ବ୍ୟୁରୋ: ହାଇଦ୍ରାବାଦରୁ ଆରମ୍ଭ କରି ଉନ୍ନାଓ ଦୁଷ୍କର୍ମକୁ ନେଇ ସାରାଦେଶରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ଦୁଷ୍କର୍ମକାରୀଙ୍କୁ ହାଇଦ୍ରାବାଦରେ ଏନକାଉଂଟର ପରେ ଦେଶ ଉଠୁଛି ପଡ଼ୁଛି । ହେଲେ ମହିଳା ଓ ଶିଶୁଙ୍କ ଉପରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ କମିବାର ନାଁ ନେଉ ନାହିଁ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ବେଳେ କଟକ ଓ ବାଲେଶ୍ୱରରେ ୨ ଶିଶୁକନ୍ୟାଙ୍କ ସହିତ ଦୁଷ୍କର୍ମ ଉଦ୍ୟମ ହୋଇଛି । ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଂଚଳରେ ଜଣେ ୬ ବର୍ଷର ନାବାଳିକାକୁ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସେହିପରି ମୟୁରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅଂଚଳରେ ଜଣେ ୧୬ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜଣେ ୭ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଜଣେ ୪୮ ବର୍ଷର ବ୍ୟକ୍ତିକୁ ଅଟକ ରଖିଛି । ବାଲେଶ୍ୱର ସୋର ଥାନା ଅଂଚଳରେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଥିବାର ଖବର ସାମ୍ନାକୁ ଆସିଛି । କଟକ ସହରର ବାଦାମବାଡ଼ି ଥାନା ଅଂଚଳରେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ହୋଇଛି ।

ଏପଟେ ସାରା ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବାରୁ ଉଦବେଗ ପ୍ରକାଶ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଗୃହ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଦୁଷ୍କର୍ମ ମାମଲାରେ ତୁରନ୍ତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ମହିଳାଙ୍କ ନିରାପତାକୁ ପ୍ରାଥମିକତା ଦେବାକୁ ଚିଠିରେ ଲେଖାଯାଇଛି । ମହିଳା ବିରୋଧୀ ହିଂସା କ୍ଷେତ୍ରରେ ପୁଲିସ୍ ତୁରନ୍ତ ସେଠାରେ ପହଂଚି ତତ୍ପରତା ପ୍ରକାଶ କରିବାକୁ ନିର୍ଦେଶ ଦିଆଯାଇଛି । ପୂର୍ବରୁ ମଧ୍ୟ ଗୃହ ମନ୍ତ୍ରାଳୟ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ଜିରୋ ଏଫଆଇଆର ନୀତି ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ଏଥିରେ ଯଦି କୌଣସି ପୁଲିସ୍ ଅଧିକାରୀ ଏଫଆଇଆର ରୁଜୁ କରିବାକୁ ମନା କରନ୍ତି, ତେବେ ତାଂକ ବିରୋଧ ଅତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଥିଲେ ।