ରକ୍ଷକ ସାଜିଲା ଭକ୍ଷକ । ଫାଣ୍ଡି ଭିତରେ ରାତି ଅଧରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଡ୍ୟୁଟିରେ ଥିବା ହୋମଗାର୍ଡ ।

443

କନକ ବ୍ୟୁରୋ : ଟାଙ୍ଗି ଥାନା ମଙ୍ଗୁଳି ପୁଲିସ ଆଉଟପୋଷ୍ଟ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଡ଼୍ୟୁଟିରେ ଥିବା ଜଣେ ହୋମଗାର୍ଡ଼ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ହୋମଗାର୍ଡ଼ଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି ପୋଲିସ୍ । ଅଧିକ ତଦନ୍ତ ଜାରି ରହିଛି ।

ଫାଣ୍ଡିରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ । ଧରାପଡିଗଲେ ହୋମଗାର୍ଡ । ପୁଣି ନିନ୍ଦିତ ହେଲା ଟାଙ୍ଗୀ ପୁଲିସ । ଲୋକଙ୍କୁ ସୁରକ୍ଷା ଦେବାକୁ ପୁଲିସର କାମ । କିନ୍ତୁ ଯେତେବେଳେ ପୁଲିସ ବିଭାଗର କର୍ମଚାରୀ ନିଜ ଦାୟିତ୍ୱକୁ ଭୁଲିଯାଏ, ସେ ସମୟରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୁଏ । କଟକ ଟାଙ୍ଗିରୁ ଏଭଳି ଏକ ସମ୍ବେଦନ ଶୀଳ ଖବର ନଜରକୁ ଆସିଛି । ଫାଣ୍ଡି ଭିତରେ ଡ୍ୟୁଟି ସମୟରେ ଜଣେ ହୋମଗାର୍ଡ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି ।

ହାଜତରେ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ, ପାଟ୍ରୋଲିଂ ବେଳେ ୩ ପୁଲିସ କର୍ମଚାରୀ ଜେଲ ଯିବା ଘଟଣାରେ ଚର୍ଚ୍ଚାରେ ଥିବା ଟାଙ୍ଗୀ ପୁଲିସ ଏବେ ପୁଣି ଏକ ବିବାଦରେ ଛନ୍ଦି ହୋଇପଡିଛି । ଏବେ ଫାଣ୍ଡି ଭିତରେ ମହିଳାଙ୍କୁ ହୋମଗାର୍ଡଙ୍କ ଦୁଷ୍କର୍ମ ଉଦ୍ୟମ ଟାଙ୍ଗୀ ପୁଲିସକୁ ନିନ୍ଦିତ କରିଛି ।

ଖବର ଅନୁସାରେ, ଜଣେ ପୁରୁଷ ବନ୍ଧୁ ସମ୍ପୃକ୍ତ ମହିଳାଙ୍କୁ ପ୍ରଲୋଭନ ଦେଖାଇ ପୁରୀରୁ ଚୌଦ୍ୱାରକୁ ଆଣିଥିଲା । ଆଉ ତା ସହ ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ବୟସ୍କଙ୍କ ସହ ବିବାହ କରିବାକୁ ବାଧ୍ୟ କରିଥିଲା । ଆଉ ଏଥିରେ ରାଜି ନ ହେବାରୁ ସମ୍ପୃକ୍ତ ବୟସ୍କ ବ୍ୟକ୍ତି ରାତିରେ ମଙ୍ଗୁଳିଛକରେ ଛାଡି ପଳାଇଥିଲା ।

ମହିଳା କିଛି ଅସାମାଜିକ ଯୁବକଙ୍କ ହାବୁଡରେ ପଡି ପୋଷ୍ଟକୁ ଚାଲିଯାଇଥିଲେ । ଏହି ସମୟରେ ଲାଇଟ ଲିଭାଇ କାର୍ଯ୍ୟରତ ହୋମଗାର୍ଡ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରି ହୋମଗାର୍ଡଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଦୁଷ୍କର୍ମ ଉଦ୍ୟମ କରିଥିବା ହୋମଗାର୍ଡ ବିନୟ ଦାସଙ୍କ ସମେତ ସମ୍ପୃକ୍ତ ମହିଳାଙ୍କ ପୁରୁଷ ବନ୍ଧୁ ଓ ବୟସ୍କ ବ୍ୟକ୍ତିଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ଏବେ ପ୍ରଶ୍ନ ଉଠୁଛି, ସମ୍ପୃକ୍ତ ମହିଳାଙ୍କୁ ନ୍ୟାୟ ମିଳିବ ତ ।