ଜୟପୁରରେ ଭାଇକୁ ଆକ୍ରମଣ କରି ଭଉଣୀକୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ । ହେଲେ ଦୁର୍ବୃତ୍ତଙ୍କୁ ଚକମା ଦେଇ ଖସିଆସିଲା ଭାଇ । ପୋଲିସ ସହୟତାରେ ଧରାପଡିଲେ ଅଭିଯୁକ୍ତ, ଦୁଷ୍କର୍ମ ଉଦ୍ୟମ ପଣ୍ଡ

647

କନକ ବ୍ୟୁରୋ: ଭାଇକୁ ଆକ୍ରମଣ କରି ଭଉଣୀକୁ ଅପହରଣ । ଆଉ ତାପରେ ନିଛାଟିଆ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ । ହେଲେ ଦୁର୍ବୃତଙ୍କୁ ଚକମା ଦେଇ ଭାଇ ଖସିଯିବା ପରେ ପୁଲିସକୁ ଖବର ଦେଇଥିଲେ । ଦୁଇ ଦୁର୍ବୃତଙ୍କ କବଳରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ ।

ଜୟପୁର ସହରରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଭାଇକୁ ଆକ୍ରମଣ ପରେ ଭଉଣୀକୁ ଅପହରଣ କରିନେଲେ ଦୁଇ ଦୁର୍ବୃତ । ନିଛାଟିଆ ଜଙ୍ଗଲକୁ ନେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରିଛି ପୁଲିସ । ଦୁର୍ବୃତଙ୍କ ଆକ୍ରମଣ ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ସେଠାରୁ ଖସିଯାଇ ପୁଲିସକୁ ଖବର ଦେଇଥିଲେ ଯୁବତୀଙ୍କ ଭାଇ । ପୁଲିସ ଘଟଣାସ୍ଥଳରେ ପହଂଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇ ଦୁର୍ବୃତଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି । ଏଥିସହ ଅପହରଣରେ ବ୍ୟବହୃତ କାରକୁ ଜବତ କରାଯାଇଛି ।

ପୁଲିସ ସୂଚନା ଅନୁସାରେ ପୀଡିତା ଜଣକ ଛତିଶଗଡ ବାସିନ୍ଦା । ବିଶାଖାପାଟଣା ଯିବାକୁ ଶନିବାର ରାତିରେ ଏକ ଅଟୋରେ ଭାଇ ସହ ପହଂଚିଥିଲେ ଜୟପୁର । ବସ ନ ମିଳିବାରୁ ରାତିରେ ରହିବାକୁ ଲଜ ଖୋଜିଥିଲେ । ହେଲେ ପାଖରେ ଆଧାର କାର୍ଡ ନଥିବାରୁ ହୋଟେଲ ରୁମ ମିଳିନଥିଲା । ଭାଇ ଭଉଣୀ ବୁଲୁଥିବା ଦେଖି ଦୁଇ ଦୁର୍ବୃତ ଲଜରେ ରଖାଇ ଦେବେ କହି ଜାଲରେ ଫସାଇଥିଲେ । ଦୁହିଁଙ୍କୁ ମୁଖ୍ୟ ରାସ୍ତାର ଏକ ଲଜରେ ରଖିବା ପରେ ରାତିରେ ଭାଇକୁ ଆକ୍ରମଣ କରି ଭଉଣୀକୁ ଏକ କାରରେ ନିକଟସ୍ଥ ଜଙ୍ଗଲକୁ ଅପହରଣ କରିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ପ୍ରଥମେ ସହଯୋଗର ହାତ ବଢାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି ।