୨ଟି ବଳାତ୍କାର, ଲୋମଟାଙ୍କୁରା ବାସ୍ତବତା ! ହେଲେ, ଦେଶର ଚୌକିଦାର ନିରବ ।କଥାରେ ନୁହେଁ, କାମରେ ଦେଖାଅ । ବେଟି ବଚାଓ, ବେଟି ପଢାଓ

70

କନକ ବ୍ୟୁରୋ : ନ୍ୟାୟ ଦେବ କିଏ? ନ୍ୟାୟ ମାଗିଲେ ମୃତ୍ୟୁ ମିଳୁଛି । ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଗୋଟିଏ ପଟେ ମୋଦି ସରକାର ‘ବେଟି ବଚାଓ ବେଟି ପଢାଓ’ ଅଭିଯାନକୁ ନେଇ ବିଜେପି ମନ୍ତ୍ରୀ ବାହାବା ନେଉଥିବା ବେଳେ ଅନ୍ୟପଟେ ବିଜେପିର ନେତା ମାନେ ହିଁ ଯୁବତୀଙ୍କ ଇଜ୍ଜତ ସହ ଖେଳିବା ଆରମ୍ଭ କରିଛନ୍ତି । ଆଉ ଏହାର ଝଲକ ଉତ୍ତର ପ୍ରଦେଶର ଉନ୍ନାଓ ଓ ଜମ୍ମୁ-କାଶ୍ମୀରର କଠୁଆରେ ଦେଖିବାକୁ ମିଳିଛି । ୨ଟି ବଳାକ୍ରାରର ଲୋମଟାଙ୍କୁରା ବାସ୍ତବତା ଏବେ ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଉନ୍ନାଓରେ ନାବାଳିକା ଯୁବତୀକୁ ବିଜେପି ବିଧାୟକ କୁଳଦୀପ ସିଂହ ସେନଗର ଓ ତାଙ୍କ ଭାଈ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଏହାକୁ ନେଇ ଏବେ ଜୋର ଧରିଛି ରାଜନୀତି । ସେହିଭଳି ଜମ୍ମୁ କଶ୍ମୀରର ୮ ବର୍ଷର କଅଁଳ ଶିଶୁ ଆସିଫାଙ୍କ ମୃତ୍ୟୁକୁ ନେଇ ମଧ୍ୟ ଏବେ ପୂରା ଦେଶରେ ବିରୋଧ ଆରମ୍ଭ ହୋଇଛି । ଜୀବନକୁ ବୁଝିବା ଆଗରୁ ଚାଲିଯାଇଛି କଅଁଳ ଶିଶୁ ଆସିଫାର ଜୀବନ । କାରଣ ଦେହର ଭୋକ ମେଣ୍ଟାଇବା ପାଇଁ ୮ ବର୍ଷର ଆସିଫାକୁ ଛାଡିନଥିଲେ ରାକ୍ଷସ ରୁପି ମଣିଷ । ପ୍ରଥମେ ଅପହରଣ ପରେ ନିଶା ଔଷଧ ଦେଇ ଗଣ ଦୁଷ୍କର୍ମ ତାହା ପୁଣି ମନ୍ଦିର ପରିସରରେ । ଏତିକିରେ ମଧ୍ୟ ମନ ବୁଝି ନଥିଲା ଦେହପିପାସୁ ରାକ୍ଷସଙ୍କର । ଦୀର୍ଘ ଦିନ ଧରି ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିବାକୁ ମଧ୍ୟ ପଛାଇ ନଥିଲେ ।

ଏଭଳି ଦୁଇଟି ସ୍ପର୍ଶକାତର ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି । ଉଭୟ ଉତ୍ତର ପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ବିଜେପି ସରକାର ଥିବା ବେଳେ ହିଁ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପଟେ ବେଟି ବଚାଓ ବେଟି ପଢାଓ ଅଭିଯାନକୁ ନେଇ ମୋଦି ସରକାର ଡିଣ୍ଡିମ ପିଟୁଛନ୍ତି ଆଉ ଅନ୍ୟପଟେ ବିଜେପି ଶାସିତ ରାଜ୍ୟରେ ହିଁ ଉନ୍ନାଓ ଓ କଠୁଆ ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଆଉ ସବୁଠୁ ବଡ କଥା ହେଲା ଏଭଳି ଘଟଣାରେ ଚୁପ ବସିଛନ୍ତି ନିଜକୁ ଦେଶର ଚୌକିଦାର କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ମୋଦି ନୁହେଁ ଦଳର ଅନ୍ୟ ବରିଷ୍ଠ ନେତା ସୁଷମା ସ୍ୱରାଜ, ସ୍ମୃତି ଇରାନୀ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଏହି ଦୁଇ ଘଟଣାରେ ଚୁପ ରହିଛନ୍ତି । ପ୍ରତି ଘଟଣାରେ ସୋସିଆଲ ମିଡିଆରେ ଟ୍ୱିଟ୍ କରି ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବିଜେପି ନେତା ମାନେ ଏବେ ଏହି ଉନ୍ନାଓ ଓ କଠୁଆ ଘଟଣାରେ ସମ୍ପୂର୍ଣ୍ଣ ଚୁପ୍ । ହେଲେ କାହିଁକି? ବିଜେପି ଶାସିତ ରାଜ୍ୟର ବିକାଶ ନକ୍ସାକୁ ନେଇ ପୂରା ଦେଶ ସାମ୍ନାରେ ରଖୁଥିବା ବିଜେପି ନେତା ଆଜି ସେହି ବିଜେପି ଶାସିତ ରାଜ୍ୟରେ ହୋଇଥିବା ସମ୍ବେଦନଶୀଳ ଘଟଣାରେ ନିରବ କାହିିଁକି । କାରଣ ଏହି ଘଟଣାରେ ଏବେ ବିଜେପି ନେତାଙ୍କ ଲିଙ୍କ୍ ସାମ୍ନାକୁ ଆସିଛି ।

ମହିଳାଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ଯୋଜନାରେ ବାହାବା ନେଉଥିବା ମୋଦି ସରକାର ବାସ୍ତବରେ ମହିଳାଙ୍କ ସୁରକ୍ଷାକୁ ନେଇ କେତେ ଯତ୍ନବାନ ତାହା ଉନ୍ନାଓ ଓ କଠୁଆ ଘଟଣାରେ ଦେଖିବାକୁ ମିଳିଛି । ମହିଳାଙ୍କ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶରେ ଯୋଗୀ ସରକାର ଆଣ୍ଟି ରୋମିଓ ସ୍କ୍ୱାର୍ଡ ଗଠନ କରି ଏକ ନୂଆ ଇତିହାସ ରଚିଥିଲେ । କିନ୍ତୁ ଯେତେବେଳେ ବିଜେପି ବିଧାୟକଙ୍କ ନାଁରେ ଗଣଦୁଷ୍କର୍ମ ଭଳି ଅଭିଯୋଗ ଆସିଛି ସେତେବେଳେ ଯୋଗୀ ଚୁପ ରହିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ପୂର୍ବଭଳି ଯୋଗୀଙ୍କ ତେଭର ଦେଖିବାକୁ ମିଳିନାହିଁ । କେବଳ ବିଜେପି ନେତା ନୁହେଁ ବରଂ ପୋଲିସ ପ୍ରଶାସନ ମଧ୍ୟ ଦୁଷ୍କର୍ମ ପୀଡିତାଙ୍କ ପାଇଁ ମଧ୍ୟ ଆଖି ଓ କାନ ବନ୍ଦ କରି ଦେଇଛି । ବିଜେପି ବିଧାୟକଙ୍କୁ ଗିରଫ କରିବା ତ ଦୂରର କଥା ବରଂ ଜେଲ ହାଜତରେ ଉନ୍ନାଓ ପୀଡିତାଙ୍କ ବାପାଙ୍କ ମୃତ୍ୟୁ ଏବେ ଯୋଗୀ ସରକାରକୁ କାଠଗଡାରେ ଛିଡା କରିଛି ।

ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ନବୀନ ସରକାର ଉପରେ ଦୋଷ ଲଦିଥିବା ବିଜେପି ଏବେ ଉନ୍ନାଓ ଓ କଠୁଆ ଘଟଣାରେ ଚୁପ୍ କାହିଁକି । କୁନ୍ଦୁଲି ଘଟଣାର ତଦନ୍ତ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏକ ଟିମ୍ ଗଠନ କରିବା ସହ ନବୀନ ସରକାରକୁ ଏଥିପାଇଁ ଦାୟୀ କରିଥିଲେ । କିନ୍ତୁ ଉନ୍ନାଓ ଓ କଠୁଆ ଭଳି ସ୍ପର୍ଶକାତର ଘଟଣାରେ ଅମିତ ହାତ ବାନ୍ଧି ବସିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁନାହିଁ କି ? ନା ଅମିତଙ୍କ ନଜରରେ ବିଜେପି ବିଧାୟକଙ୍କ ନାଁରେ ଆସିଥିବା ଅଭିଯୋଗ ପାଇଁ ସାତ ଖୁନ ମାଫ । ଉନ୍ନାଓ ଓ କଠୁଆର ଯେଉଁ ଦୁଇ ନାବାଳିକାଙ୍କ ସହ ଗଣ ଦୁଷ୍କର୍ମ କରାଯାଇଛି ସେମାନେ କଣ ପ୍ରଧାନମନ୍ତ୍ରୀଙ୍କ ବେଟି ବଚାଓ ବେଟି ପଢାଓ ଅଭିଯାନ ପାଇଁ ଜନ୍ମ ନେଇ ନଥିଲେ କି? ସେମାନଙ୍କର ସୁରକ୍ଷା ଦାୟିତ୍ୱ କଣ ନିଜକୁ ଦେଶର ଚୌକିଦାର କହୁଥିବା ମୋଦିଙ୍କର ନଥିଲା କି? ତେବେ ଉନ୍ନାଓ ଓ କଠୁଆ ଘଟଣା ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ବେଟି ବଚାଓ ବେଟି ପଢାଓ ଅଭିଯାନ କେବଳ କଥାରେ ରହି ଯାଇଥିବା ଭଳି ମନେ ହେଉଛି । ଗୋଟିଏ ପଟେ ରାମରାଜ୍ୟର ସ୍ୱପ୍ନ ଦେଖାଯାଉଛି ଆଉ ଅନ୍ୟପଟେ ମହିଳାଙ୍କ ଇଜ୍ଜତ ସହ ଖେଳାଯାଉଛି ସାଂଘାତିକ ଖେଳ । କିନ୍ତୁ ଏସବୁ ପରେ ମଧ୍ୟ ଦେଶର ଚୌକିଦାର ଚୁପ ।