ପିଶାଚଙ୍କ ପଂଝାରେ କୁନିଝିଅ । କଙ୍କଡ଼ାହାଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୫ ଅଟକ । ଏପଟେ ୫ ମାସ ପରେ ବି ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଧରାପଡ଼ିନି ଅଭିଯୁକ୍ତ ।

595

କନକ ବ୍ୟୁରୋ : ଇଏ ଏକ ଏମିତି କାହାଣୀ ଯାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଇଛି । ମାତ୍ର ପାଂଚ ବର୍ଷର କୁନି ଝିଅ ସହିତ ଏମିତି କିଛି ଘଟିଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଗତ ପାଂଚ ମାସ ମଧ୍ୟରେ ଦୁଇ ଦୁଇଟି ହତ୍ୟା ଘଟଣା ଘଟିଛି । ହେଲେ କୌଣସି ଘଟଣାରେ ବି ହତ୍ୟାକାରୀ ପାଖରେ ପହଁଚି ପାରି ନାହିଁ ପୋଲିସ ।

ଆମେ ଆପଣଙ୍କୁ ଏମିତି ଦୁଇଟି ସମ୍ବେଦନଶୀଳ କାହାଣୀ କହିବୁ ଯାହା ଜାଣିବା ମାତ୍ରେ, ଆପଣ ହୁଏତ ଏହାକୁ ଗ୍ରହଣ କରିବା ମୁସକିଲ ହୋଇଯିବ । ଏ କାହାଣୀ ହେଉଛି ୨ ଜଣ ନାବାଳିକାଙ୍କର । ଯାହାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତଦନ୍ତ ଚାଲିଥିଲେ ମଧ୍ୟ ପୋଲିସ ହାତ ଖାଲି ।

ନୟାଗଡରେ ନାବାଳିକାକୁ ହତ୍ୟା । ବସ୍ତାରେ ମିଳିଥିଲା ମୃତଦେହ । ଜୁଲାଇ ୧୪- ନୟାଗଡ ସଦର ଥାନା ଯଦୁପୁରର ଜଣେ ବ୍ୟକ୍ତିଙ୍କର ୫ବର୍ଷର ନାବାଳିକା ନିଖୋଜ ହୋଇଗଲା । ଆଉ ୧୦ ଦିନ ପରେ ଘର ପଛପଟେ ଥିବା ବାରିରୁ ମିଳିଥିଲା ନାବାଳିକାଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶ । ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ, ତାଙ୍କ ଝିଅକୁ କେହି ହତ୍ୟା କରିଛନ୍ତି । କାରଣ ଶରୀରର କିଛି ଅଂଶ ଥିଲା ଆଉ କିଛି ଅଂଶ ନଥିଲା ।

ଏହି ଘଟଣାରେ ପୋଲିସ ମୃତକଙ୍କ ବାପା ଓ ମାଙ୍କୁ ଥାନାକୁ ଆଣି ପଚରାଉଚରା କରିଛି । ଏପିରିକି ମୃତକଙ୍କ ବଡ ବାପା ଏବଂ ବଡ ମାଙ୍କର ଲାଇ-ଡିଟେକସନ ଟେଷ୍ଟ ମଧ୍ୟ କରିଛି । ହେଲେ ଏବେ ବି ପୋଲିସ ହତ୍ୟାକାରୀ ପାଖରେ ପହଂଚିପାରିନାହିଁ । କିନ୍ତୁ ପୋଲିସର ସନ୍ଦେହ ଏହି ହତ୍ୟାକାଣ୍ଡରେ ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି ।

ଢେଙ୍କାନାଳରେ ଚାଂଚଲ୍ୟ । ୫ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ନାଳକଡରୁ ମିଳିଲା ମୃତଦେହ । ୧୨ ତାରିଖ ସନ୍ଧ୍ୟାରେ କଙ୍କଡାହାଡ ଥାନା ଖରଖରି ଗାଁର ଜଣେ ୫ ବର୍ଷ ନାବାଳିକା ନିଖୋଜ ହୋଇଯାଇଥିଲେ । ଘର ଲୋକ ସାରା ରାତି ଖୋଜାଖୋଜି କରି ନାବାଳିକାଙ୍କୁ ପାଇନଥିଲେ । ୧୩ ତାରିଖ ସକାଳୁ ତାଙ୍କ ମୃତଦେହ ସ୍ଥାନୀୟ ହାଟ ପଡିଆ ପଛପଟ ଜଙ୍ଗଲରେ ପଡିଥିବା ଦେଖିବାକୁ ମିଳିଥିଲା । ଅଭିଯୁକ୍ତମାନେ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ନାବାଳିକାଙ୍କୁ ହତ୍ୟା କରିଥିବା ନେଇ କଙ୍କଡାହାଡ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ କିଛି କଂଗ୍ରେସ ନେତା ମୃତକଙ୍କ ପରିବାରଲୋକଙ୍କୁ ଭେଟିଛନ୍ତି । ଦୁଇଟି ଯାକ ଘଟଣାରେ ହତ୍ୟାକାରୀ ଧରାପଡିନଥିବା ବେଳେ ବାରମ୍ବାର ନାବାଳିକା ଦୁଷ୍କର୍ମ ଓ ହତ୍ୟାର ଶିକାର ହେବା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଇଛି ।