ବାତ୍ୟା ଅମ୍ପାନ କ୍ଷୟକ୍ଷତିର ଆସିଲା ରିପୋର୍ଟ: ନଷ୍ଟ ହୋଇଛି ୧୫୧ କିଲୋମିଟରର ଗ୍ରାମ୍ୟ ରାସ୍ତା, ମରାମତି ପାଇଁ ଆବଶ୍ୟକ ୩ କୋଟି ୮୮ ଲକ୍ଷ

ରାସ୍ତାଉପରେ ଗଛ ପଡିଥିବାରୁ ସଫା ପାଇଁ ଦରକାର ୫୦ କୋଟି ୯୨ ଲକ୍ଷ: ଗ୍ରାମ୍ୟ ଉନ୍ନୟନ୍ନ ଯୁଗ୍ମ ସଚିବଙ୍କୁ ଚିଠି ଲେଖିଲେ ସିଇଆରଡବ୍ଲୁ

427

କନକ ବ୍ୟୁରୋ:  ସାମୁଦ୍ରିକ ବାତ୍ୟା ଅମ୍ଫାନ ଯୋଗୁଁ ଆସିଛି ଓଡିଶାର କ୍ଷୟକ୍ଷତି ରିପୋର୍ଟ । ବାତ୍ୟା ଅମ୍ଫାନ ଯୋଗୁଁ ଓଡିଶାରେ ୧୫୧ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏହାର ମରାମତି ପାଇଁ ୩ କୋଟି ୮୮ ଲକ୍ଷ ଟଂକାର ପାଣ୍ଠି ଆବଶ୍ୟକ । ସେହିପରି ରାସ୍ତାରେ ପଡିଥିବା ଗଛ ସଫା କରିବା ପାଇଁ ୫୦ ଲକ୍ଷ ୯୨ ହଜାର ଟଙ୍କାର ଆବଶ୍ୟକ ରହିଛି । ଗ୍ରାମ୍ୟ ଉନ୍ନୟନ ଯୁଗ୍ମ ସଚିବଙ୍କୁ ଏନେଇ ଚିଠି ଲେଖିଛନ୍ତି ଚିଫ୍ ଇଂଜିନିୟର୍ସ ରୁରାଲ୍ ୱାର୍କ ।

ରାଜ୍ୟରେ ସାମୁଦ୍ରିକ ଝଡ ଅମ୍ଫାନର କ୍ଷୟକ୍ଷତିର ଆକଳନ ପାଇଁ ଗତକାଲି ଓଡିଶା ଭ୍ରମଣରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟର ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଥିଲେ । ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ ସେ ଏହି ଘୋଷଣା କରିଥିଲେ । ପରିଦର୍ଶନରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କ୍ଷୟକ୍ଷତିର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସହାୟତା ରାଶି ଘୋଷଣା କରିଥିଲେ ।

ତେବେ ମୋଦୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାକୁ ଆସି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ନେଇ ପୁଙ୍ଖାନୁପୁଙ୍ଖ ଆକଳନ କରିବେ । କ୍ଷୟକ୍ଷତି ନେଇ ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ । ଏଥିସହ ସେ କହିଥିଲେ, କୋଭିଡ୧୯ ମହାମାରୀ ସମୟରେ ଏପରି ମହାବାତ୍ୟା ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସଠିକ ଢଙ୍ଗରେ ବାତ୍ୟାର ପରିଚାଳନା ଓ ମୁକାବିଲା କରିଥିବାରୁ ଅନେକ ଜୀବନରକ୍ଷା ହୋଇପାରିଛି । ସେଥିପାଇଁ ଓଡ଼ିଶା ସରକାରଙ୍କୁ ଅନେକ ଧନ୍ୟବାଦ ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।