ରଜରେ ଆସିଲା ଅଘଟଣର ଖବର: ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଗଲା ୬ ଜୀବନ; ନବରଙ୍ଗପୁର ଘାଟିରେ ଟ୍ରକ ଓଲଟି ଜଳିଗଲା ଇଂଜିନ୍, ଡ୍ରାଇଭର-ହେଲପର ମୃତ

ସେପଟେ, କେନ୍ଦୁଝରରେ ବାଇକ-ଟ୍ରକ ଧକ୍କା, ୨ ମୃତ, ୨ ଗୁରୁତର । ଯାଜପୁରରେ ସଡକ ଦୁର୍ଘଟଣାରେ ଗଲା ୨ ଜୀବନ

308

କନକ ବ୍ୟୁରୋ: ରଜ ମଉଜ ହେଲା କାଳ । ରଜ ପାଳନ କରି ଗୋଟିଏର ବାଇକରେ ୪ ଜଣ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ ସହ ଧକ୍କା ହୋଇଛି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଂଚଳର ଗୋପୀନାଥପୁର ଛକରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଝୁମ୍ପୁରା ବ୍ଲକ ଗୁମାର ପଂଚାୟତ ଶିଜୁକଳା ଗାଁର ବିଷ୍ଣୁ ମୁଣ୍ଡା ଓ ପିଙ୍କୁ ମୁଣ୍ଡା । ସେହିପରି କୃଷ୍ଣମୁଣ୍ଡା ଓ ସୁନିଲ ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସୂଚନା ଅନୁସାରେ ଶିଜୁକଳା ଗାଁରେ ୪ ଜଣ ସାଙ୍ଗ ରଜ ପାଳନ କରିବା ପରେ ଏକ ସ୍ପେଲେଣ୍ଡର ବାଇକରେ ଫେରୁଥିଲେ । ରାସ୍ତାରେ ଭାରସାମ୍ୟ ହରାଇ ଟ୍ରକ ସହ ଧକ୍କା ପରେ ୪ ଜଣ ରାସ୍ତାରେ ଛିଟିକି ପଡିଥିଲେ । ରକ୍ତାକ୍ତ ଅବସ୍ଥାରେ ୪ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ଚମ୍ପୁଆ ଡାକ୍ତରଖାନାକୁ ପଠାଇଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖି ପଚରା ଉଚରା କରିଛି ।

ସଡକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ । ରଜ ଉତ୍ସବ ଅବସରରେ ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଯଖପୁରା ଥାନା ମାଣତିରା ଛକ ନିକଟରେ । ରାସ୍ତାରେ ବାଇକକୁ ଏକ ହାଇୱା ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ରାବଣା ଗାଁର କଳାକାର ପତି ଓ ପଙ୍କପାଳ ଅଂଚଳର ଶିଶିର ବେହୁରା । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ନାବାଳକ ଭାଇ ଭଉଣୀ ରହିଛନ୍ତି । ଗୁରୁତରଙ୍କୁ କଳିଙ୍ଗନଗର ଟାଟା ମେଡିକାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଲା ଲୁହା ପାଇପ୍ ବୋଝେଇ ଟ୍ରକ । ଘାଟିରେ ଓଲଟି ପଡିବା ପରେ ଟ୍ରକର ଇଂଜିନ ଓ ଡାଲା ଅଲଗାଇ ହୋଇଯାଇଥିବା ବେଳେ ଇଂଜିନ ଜଳି ଯାଇଛି । ଘଟଣାସ୍ଥଳରେ ଗାଡିର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଛି । ଗୋଟିଏ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ବେଳେ ଅନ୍ୟ ମୃତଦେହଟି ପାଇପ ତଳେ ଚାପି ହୋଇ ରହିଥିଲା । ଖବର ପାଇ ଝରିଗାଁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଦୀର୍ଘ ୪ ଘଂଟାର ଉଦ୍ଧାର କାର୍ଯ୍ୟପରେ ଦୁଇ ମୃତଦେହକୁ ଉଦ୍ଧାର କରିଛନ୍ତି । ଉଦ୍ଧାର କାର୍ଯ୍ୟ ସମୟରେ ଝରିଗାଁ ଆଇଆଇସି ଓ ତହସିଲଦାର ଉପସ୍ଥିତ ରହିଥିଲେ ।