କନକ ବ୍ୟୁରୋ: ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ନଗ୍ନ ଫଟୋସୁଟକୁ ନେଇ ବିବାଦ ଦେଖାଦେଇଥିବାବେଳେ, ଏହି ଫଟୋସୁଟକୁ ନେଇ ଏବେ ବି ଲୋକମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଆଉ ଏହାରି ଭିତରେ ଏବେ ରଣବୀରଙ୍କ ଅଡୁଆ ବଢିଛି, ମୁମ୍ବାଇରେ ରଣବୀରଙ୍କ ନଗ୍ନ ଫଟୋକୁ ନେଇ ଏଫଆଇଆର ରୁଜୁ ହେଇଛି । ତା ସହିତ ତାଙ୍କ ଗିରଫଦାରୀ ପାଇଁ ଦାବି କରାଯାଇଛି ।
ରଣବୀରଙ୍କ ବିରୋଧରେ ଆଇପିସି ଧାରା ୫୦୯, ୨୯୨, ୨୯୪ରେ ମାମଲା ରୁଜୁ କରାଯାଇଛି । ତା ସହିତ ଆଇଟି ଆକ୍ଟର ସେକ୍ସନ ୬୭ ଏ ଆଧାରରେ ମଧ୍ୟ ତାଙ୍କ ନାଁରେ କେସ୍ ରୁଜୁ ହୋଇଛି । ମିଳିଥିବା ସୂଚନା ମୁତାବକ ଗୋଟିଏ ଏନଜିଓ ଚଲାଉଥିବା ଲଲିତ ଶ୍ୟାମ ନାମକ ବ୍ୟକ୍ତି ରଣବୀରଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି । ତାଙ୍କ ଅଭିଯୋଗ ଏହା ଅଛି ଯେ, ରଣବୀରଙ୍କ ନଗ୍ନ ଫଟୋ ଦେଖିବା ପରେ ମହିଳାଙ୍କ ମନରେ ଲଜ୍ଜ୍ୟା ଅନୁଭବ ହେବ । ତେଣୁ ଏହି ସବୁ ଫଟୋକୁ ସୋସିଆଲ୍ ମିଡିଆରୁ ହଟାଇବାକୁ ସେ ଦାବି କରିଛନ୍ତି । ସୋମବାର ଏହି ଘଟଣାରେ ଅଭିଯୋଗ ହେବା ପରେ ମଙ୍ଗଳବାର ଏଫଆଇଆର ରୁଜୁ ହୋଇଥିବା ଜଣାପଡିଛି ।
ଉକ୍ତ ଏନଜିଓ ତରଫରୁ ମାମଲା ରୁଜୁ କରିଥିବା ଓକିଲଙ୍କ କହିବା ମୁତାବକ, ସେ ରଣବୀରଙ୍କ ଗିରଫଦାରୀ ଚାହୁଁଛନ୍ତି । ପୋଲିସ ଏହାର ଯାଞ୍ଚ ପାଇଁ ତାଙ୍କୁ ୪୮ ଘଣ୍ଟା ସମୟ ମାଗିଥିଲା । ତେଣୁ ମଙ୍ଗଳବାର ସକାଳୁ ରଣବୀରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଓକିଲଙ୍କ କହିବା ମୁତାବକ ଆଇପିସି ଧାରା ୨୯୨ ଅନୁସାରେ ରଣବୀରଙ୍କୁ ୫ ବର୍ଷ ଓ ଧାରା ୨୯୩ ଅନୁସାରେ ୩ ବର୍ଷ ପାଇଁ ଜେଲ୍ ହୋଇପାରେ । ତା ସହିତ ଧାରା ୬୭ ଏ ଅନୁସାରେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ ।
Follow Us