ଦିନେ ଥିଲେ ରାତି ଜଗୁଆଳି ଏବେ ଆଇଆଏମର ଆସିଷ୍ଟାଣ୍ଟ ପ୍ରଫେସର । ରଞ୍ଜିତ ରାମଚନ୍ଦ୍ରନଙ୍କ କାହାଣୀ ଅନେକଙ୍କ ପାଇଁ ପ୍ରେରଣା ।

Advertisment
ଦିନେ ଥିଲେ ରାତି ଜଗୁଆଳି ଏବେ ଆଇଆଏମର ଆସିଷ୍ଟାଣ୍ଟ ପ୍ରଫେସର । ରଞ୍ଜିତ ରାମଚନ୍ଦ୍ରନଙ୍କ କାହାଣୀ ଅନେକଙ୍କ ପାଇଁ ପ୍ରେରଣା ।

କନକ ବ୍ୟୁରୋ : ସବୁ ଅସମ୍ଭବକୁ ସମ୍ଭବରେ ପରିଣତ କରିଥାଏ ନିଜର ଦୃଢ଼ ଇଚ୍ଛାଶକ୍ତି । ଏଇ କଥାକୁ ଆଉଥରେ ପ୍ରମାଣିତ କରି ଦେଖାଇଥିବା ୨୮ ବର୍ଷୀୟ ରଞ୍ଜିତ ରାମଚନ୍ଦ୍ରନଙ୍କ ସଫଳତା ଏବେ ପାଲଟିଛି ଦେଶବ୍ୟାପି ଚର୍ଚ୍ଚାର ବିଷୟ । ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ୍‌ ଏକ୍ସଚେଞ୍ଜରେ ନାଇଟ୍‌ ୱାଚମ୍ୟାନ୍‌ ବା ରାତି ଜଗୁଆଳି ଭାବରେ କାର୍ଯ୍ୟ କରୁଥିବା ରଞ୍ଜିତ ରାମଚନ୍ଦ୍ରନ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଟିରୁ ସଫଳତାର ସହ ସ୍ନାତକ ଡିଗ୍ରି ହାସଲ କରିବା ପରେ ଏବେ ଅବସ୍ଥାପିତ ହୋଇଛନ୍ତି ରାଞ୍ଚିସ୍ଥିତ ଆଇଆଇଏମ୍‌ର ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ । ଜଣେ ରାତି ଜଗୁଆଳି ଠାରୁ ଆରମ୍ଭ କରି ଆଇଆଇଟିରୁ ସ୍ନାତକ ଡିଗ୍ରି ହାସଲ କରିବା ଏବଂ ବର୍ତ୍ତମାନ ରାଞ୍ଚିରେ ଆଇଆଇଏମ୍‌ରେ ଆସିଷ୍ଟାଣ୍ଟ ପ୍ରଫେସର ହେବା ୨୮ ବର୍ଷୀୟ ରଞ୍ଜିତ ରାମଚନ୍ଦ୍ରନଙ୍କ ପାଇଁ ଏକ ଉଲ୍ଲେଖନୀୟ ଯାତ୍ରା ହୋଇପାରିଛି, ଯାହା ଅନେକଙ୍କୁ ସେମାନଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତି ସହ ଲଢ଼ିବାକୁ ଏବେ ପ୍ରେରଣା ଯୋଗାଇଛି ।

ବହୁ ଦୁର୍ଦ୍ଦଶା ମଧ୍ୟରେ ବିତିଥିବା ତାଙ୍କର ସଂଘର୍ଷମୟ ଜୀବନକୁ ଏତେ ସଫଳତା ପାଇବା ପରେ ବି ଭୁଲିପାରି ନାହାନ୍ତି ରଞ୍ଜିତ। ନିଜର ଫେସବୁକ ପେଜ୍‌ରେ ଏକ କଣା ଫଟା ତାର୍ପୋଲିନ୍‌ ଆଚ୍ଛାଦିତ ଭଙ୍ଗା କୁଡ଼ିଆର ଫଟୋକୁ ପୋଷ୍ଟ କରି ସେ ଲେଖିଛନ୍ତି, ‘ଏ ହେଉଛି ସେଇ ଘର; ଯେଉଁଠି ଜନ୍ମ ନେଇଥିଲେ ଜଣେ ଆଇଆଏମ୍‌ ପ୍ରଫେସର’।

ରାମଚନ୍ଦ୍ରନ କାସରାଗୋଡର ପାନଥୁରରେ ବିଏସଏନଏଲ ଟେଲିଫୋନ୍‌ ଏକ୍ସଚେଞ୍ଜରେ ରାତି ଜଗୁଆଳି ଭାବରେ କାର୍ଯ୍ୟ କରୁଥିବାବେଳେ ସେ ଜିଲ୍ଲାର ପିଆନ୍‌ ଏକ୍ସ କଲେଜରୁ ଅର୍ଥନୀତିରେ ଡିଗ୍ରି ହାସଲ କରିଥିଲେ। ନିଜ ପୋଷ୍ଟରେ ସେ ଲେଖିଛନ୍ତି, ମୁଁ ଦିନରେ କଲେଜରେ ପଢ଼ୁଥିଲି ଏବଂ ରାତିରେ ଟେଲିଫୋନ୍‌ ଏକ୍ସଚେଞ୍ଜ ଜଗୁଥିଲି।

ପରେ ସମ୍ମାନ ସହିତ ସ୍ନାତକ କରି ମୁଁ ଆଇଆଇଟି, ମାଡ୍ରାସରେ ପ୍ରବେଶ କରିଥିଲି। ମାତ୍ର ମୁଁ କେବଳ ମାଲାୟାଲମ୍‌ ଜାଣିଥିବାରୁ ଏଠାରେ ଅଧ୍ୟୟନ କରିବା ମୋ ପକ୍ଷରେ କଷ୍ଟକର ହୋଇପଡିଥିଲା। ନିରାଶ ହୋଇ ମୁଁ ପିଏଚଡି କାର୍ଯ୍ୟକ୍ରମ ଛାଡିବାକୁ ନିଷ୍ପତ୍ତି ନେଇଥିଲି, କିନ୍ତୁ ଏପରି ନକରିବାକୁ ମୋ ଗାଇଡ୍‌ ମୋତେ ପ୍ରବର୍ତ୍ତାଇ ଥିଲେ।

ରଞ୍ଜିତ ଲେଖିଛନ୍ତି, ମୁଁ ଯୁଦ୍ଧ କରିବା ଏବଂ ମୋର ସ୍ୱପ୍ନକୁ ସାକାର କରିବାକୁ ସ୍ଥିର କଲି। ମୁଁ ସଂଗ୍ରାମ କରିଥିଲି ଏବଂ ଗତ ବର୍ଷ ସଫଳତାର ସହ ମୋ ଡକ୍ଟରେଟ୍‌ ଉପାଧି ଅର୍ଜନ କରିଥିଲି। ଗତ ଦୁଇମାସ ଧରି ମୁଁ ବେଙ୍ଗାଲୁରୁର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ମଧ୍ୟ ରହିଥିଲି।

ରଞ୍ଜିତ କହିଛନ୍ତି, ମୁଁ କେବେ ଭାବି ନଥିଲି ମୋର ଏହି ପୋଷ୍ଟ ଭାଇରାଲ ହେବ! ଯେଉଁଥିରେ ମୁଁ ମୋର ଜୀବନ କାହାଣୀ ପୋଷ୍ଟ କରିଛି। ହେଲେ, ଏବେ ଆଶା କରୁଛି ଯେ ଏହା ଅନ୍ୟମାନଙ୍କୁ ପ୍ରେରଣା ଦେବ। ମୁଁ ଚାହେଁ ସମସ୍ତେ ଭଲ ସ୍ୱପ୍ନ ଦେଖନ୍ତୁ ଏବଂ ନିଜ ସ୍ୱପ୍ନ ପାଇଁ ଲଢ଼ନ୍ତୁ ଓ ତାକୁ ସାକାର କରନ୍ତୁ। ରାମଚନ୍ଦ୍ରନ ତାଙ୍କ ପୋଷ୍ଟରେ ମନେ ପକାଇ ଦେଇଛନ୍ତି ଯେ ଆର୍ଥିକ ଅସୁବିଧା ହେତୁ ସେ ପ୍ରାୟ ସ୍କୁଲ ଶିକ୍ଷା ଛାଡି ଦେଇଥିଲେ। ତାଙ୍କ ପିତା ଜଣେ ଦର୍ଜୀ ଏବଂ ମାତା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ମନରେଗା) ଅନ୍ତର୍ଗତ ଦିନ ମଜୁରିଆ ଥିଲେ। ତେବେ, ବିଭିନ୍ନ ସଙ୍କଟ କାରଣରୁ ନିରାଶ ହେବାକୁ ମନା କରୁଥିବା ତଥା ସାମାଜିକ ତଥା ଅଥନୈତିକ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଶିକ୍ଷାକୁ ଅସ୍ତ୍ର ଭାବରେ ବ୍ୟବହାର କରୁଥିବା ରଞ୍ଜିତଙ୍କ ପରି ଆଦର୍ଶ ଯୁବକଙ୍କ ଜୀବନ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ହେଉ ବୋଲି ସମସ୍ତେ ଚାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe