ଚାଲିବାକୁ ସେ ଅକ୍ଷମ, ତଥାପି ସେ ହାରିନାହାଁନ୍ତି । ଟ୍ରାଇ ସାଇକେଲ ଧରି ଜୀବନ ଯୁଦ୍ଧ ଲଢୁଛନ୍ତି ରଞ୍ଜିତ ।

41

କନକ ବ୍ୟୁରୋ: ଚାଲିବାକୁ ସେ ଅକ୍ଷମ, ତଥାପି ବି ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି । କେତେବେଳେ ଟିଉସନ୍ ତ ଆଉ କେତେବେଳେ ରାସ୍ତା କଡରେ ପେଟ୍ରୋଲ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ଆଉ ତାଙ୍କର ସାହାରା ପାଲଟିଛି ଟ୍ରାଇ ସାଇକେଲ । ତେବେ ଜଣେ ଦିବ୍ୟାଙ୍ଗ ହୋଇ ବି ହାର ମାନିନାହାନ୍ତି ରଞ୍ଜିତ । ସଠିକ୍ ଭାବେ ଚାଲିପାରୁନାହାନ୍ତି କି ହାତ ଦୁଇଟି ବି ଭଲ ଭାବରେ କାମ କରୁନି । ଜୀବନ ବଞ୍ଚିବା ଅସହଜ ହୋଇପଡୁଥିବା ବେଳେ ତାରି ଭିତରେ ଜୀବନ ଜୀଇଁବାର ସଂଘର୍ଷ ଜାରି ରଖିଛନ୍ତି କୋରାପୁଟ କଳାହାଣ୍ଡି କଲୋନୀର ଦିବ୍ୟାଙ୍ଗ ରଞ୍ଜିତ ଖରା ।

ସକାଳ ହେଲେ ଟ୍ରାଇ ସାଇକେଲ ଧରି ରାସ୍ତା କଡରେ ରଞ୍ଜିତ ପେଟ୍ରୋଲ୍ ବିକ୍ରି କରନ୍ତି । ପ୍ରତିଦିନ କୋଡ଼ିଏରୁ ପଚିଶି ଲିଟର ପେଟ୍ରୋଲ ବିକ୍ରି ହୁଏ । ସେଥିରୁ ଯାହା ମିଳେ ମାଆ ଓ ଭାଇଙ୍କ ଔଷଧ ଖର୍ଚ୍ଚ ଉଠାଉଛନ୍ତି । ନିଜକୁ ଅକ୍ଷମ ନୁହେଁ ସକ୍ଷମ କରି ବଞ୍ଚୁଛନ୍ତି ରଞ୍ଜିତ । ସ୍ୱଳ୍ପ ଆୟ ପରେ ବି ଘରେ ମାଆ ଓ ଦିବ୍ୟାଙ୍ଗ ଭାଇର ଔଷଧ ଖର୍ଚ୍ଚ ପାଇଁ କେବେ କାହାକୁ ହାତ ପତାଇ ନାହାନ୍ତି ରଞ୍ଜିତ୍ ।

ଖରା, ବର୍ଷା, ଶୀତ, କାକରକୁ ନ ଡରି ରାସ୍ତାକଡ଼ରେ ଘଣ୍ଟା ଘଣ୍ଟା ଗ୍ରାହକଙ୍କୁ ଅପେକ୍ଷା କରି ବସନ୍ତି ରଞ୍ଜିତ । ଘର ଖଣ୍ଡେ ନ ଥିବା ଯୋଗୁ ଭଙ୍ଗା ଟିଣ ଘରେ ତିନି ପ୍ରାଣୀ ଦିନ କାଟୁଛନ୍ତି । ବର୍ଷା ଦିନରେ ଘରେ ପାଣି ଗଳୁଥିବା ବେଳେ ଅତି ଦୟନୀୟ ଅବସ୍ଥାରେ ସେଇ ଭଙ୍ଗା ଘରେ ଦିନ କାଟୁଛନ୍ତି ପରିବାର ସହ । ଟ୍ରାଇ ସାଇକେଲଟି ଭାଙ୍ଗିଗଲାଣି । ଗୋଟିଏ ଟ୍ରାଇ ସାଇକେଲ ଯୋଗାଇ ଦେବାକୁ ରଞ୍ଜିତ ଆକୁଳ ନିବେଦନ କରିଛନ୍ତି । ଏହାସହ ତାଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଯୋଗାଇବାକୁ ଅନୁରୋଧ କରିଥିବା ବେଳେ ସାହାଯ୍ୟ ପାଇଁ ମିଳିଛି ପ୍ରତିଶ୍ରୁତି ।