ବେଣୁ ମଉସା ଜିନ୍ଦାବାଦ: ରାଜନୀତିରେ ରାନୀ । ଯାତ୍ରା ପେଣ୍ଡାରୁ ରାଜନୀତି ମୈଦାନକୁ ଓହ୍ଲାଇଲେ ରାନୀ ପଣ୍ଡା । ୯୦ ବର୍ଷର ବେଣୁ ମଉସାଙ୍କ ପାଇଁ କରିବେ ପ୍ରଚାର, ମାଗିବେ ଭୋଟ ।

971

କନକ ବ୍ୟୁରୋ: ବେଣୁ ମଉସାଙ୍କ ପାଇଁ ବାହାରିଲେ ରାନୀ ପଣ୍ଡା । ଘର ଘର ବୁଲି ବୁଢା ମଉସାଙ୍କ ପାଇଁ ମାଗଣାରେ ପ୍ରଚାର କରିବେ ବୋଲି କହିଲେ ରାନୀ । ଏକ ଭିଡିଓ ମାଧ୍ୟମରେ ମଉସାଙ୍କୁ ସମର୍ଥନ କରି ସେ ତାଙ୍କ ପାଇଁ ମୈଦାନକୁ ଓହ୍ଲାଇବେ ଆଉ ବେଣୁ ମଉସାଙ୍କ ସାଇକେଲ ପଛରେ ବସି ଲୋକଙ୍କୁ ଭୋଟ ମାଗିବେ ବୋଲି ରାଣୀ ସୂଚନା ଦେଇଛନ୍ତି ।

ତେବେ ବାଲେଶ୍ୱର ସଦର ଉପ ନିର୍ବାଚନରେ ବେଣୁଧର ବାରିକ ହେଉଛନ୍ତି ସବୁଠାରୁ ଗରିବ ଏବଂ ବୟସ୍କ ପ୍ରାର୍ଥୀ । ୯୦ ବର୍ଷ ବୟସରେ ସ୍ୱାଧୀନପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ବେଣୁଧର । ନା କୌଣସି ଅର୍ଥବଳ, ନା କୌଣସି ଦଳ । ଲୋକଙ୍କ ଭଲପାଇବା ଓ ସେମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଛନ୍ତି ସେ । ସବୁଠାରୁ ବଡ କଥା ହେଉଛି ଖୁର କଇଁଚି ଧରି ଘର ଘର ବୁଲି କ୍ଷିଅର କରୁଥିବା ବେଣୁ ମଉସା ପ୍ରଚାର ପାଇଁ ଗାଡି ଘୋଡାରେ ଯାଉ ନାହାନ୍ତି ବରଂ ଖଣ୍ଡିଏଭଙ୍ଗା ସାଇକେଲରେ କେଟିଲି ଚିହ୍ନ ନେଇ କୁରୁକ୍ଷେତ୍ରକୁ ଓହ୍ଲାଇଛନ୍ତି ।

ତେବେ ବିନା ସ୍ୱାର୍ଥରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବେଣୁ ମଉସାଙ୍କ ପାଇଁ ଆଗେଇ ଆସିଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା । ବୟସର ଅପରାହ୍ଣରେ ମଉସାଙ୍କ ଏମିତି ଝୁଙ୍କ ପାଇଁ ବାଲେଶ୍ୱରବାସୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିବା ସହ ନୂଆ ସାଇକେଲଟେ ଉପହାର ଦେବେ ରାନୀ କହିଛନ୍ତି । ଯେଉଁଥିରେ ମଉସା ଚଲାଇବେ ଆଉ ରାନୀ ପଛରେ ବସି ପ୍ରଚାର କରିବେ । ତେବେ ମହାରଥୀଙ୍କୁ ଆଦର୍ଶ ମାନିଥିବା ରାନୀ ତାଙ୍କ ଦେହାନ୍ତ ପରେ ଏବେ ପୁଣି ବେଣୁ ମଉସାଙ୍କ ପାଇଁ ପ୍ରଚାର କରିବାକୁ ଆଗେଇ ଆସି ରାଜନୈତିକ କରିଡରରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ।