କଳା, ସଂସ୍କୃତି, ଐତିହ୍ୟର ସହରରେ ରଙ୍ଗ ଖୋଜୁଛି ରଙ୍ଗମଞ୍ଚ: ଜରାଜୀର୍ଣ୍ଣ କଟକର ଜନତା ରଙ୍ଗମଞ୍ଚ, ମାଟିରେ ମିଶିଲାଣି ଅଡିଟରିୟମ୍

65

କନକ ବ୍ୟୁରୋ: କଳା, ସଂସ୍କୃତି, ଐତିହ୍ୟ ସମ୍ପନ୍ନ ସହର ହଜାର ବର୍ଷର ରୌପ୍ୟ ନଗରୀ କଟକ। ଏ ସହର କଳା ଓ କଳାକାରଙ୍କ ଏନ୍ତୁଡ଼ିଶାଳ। ହେଲେ ଯେଉଁ କଳା ଓ କଳାକାର ମାନେ ଯେଉଁ ମଞ୍ଚ ରେ ନାଟକ ପରିବେଷଣ କରନ୍ତି ସେଇ ମଞ୍ଚ ଆଜି ଜରାଜୀର୍ଣ୍ଣ ଓ ରୁଗଣ ଅବସ୍ଥାରେ। ବଞ୍ଚି ରହିବା ପାଇଁ ସଂଘର୍ଷ କରୁଛି କଟକର ରଙ୍ଗମଞ୍ଚ। ସମୟ ଆସିଛି ନାଟକ ଓ ରଙ୍ଗମଞ୍ଚକୁ ବଞ୍ଚାଇବା ପାଇଁ ପ୍ରଚେଷ୍ଟା କରିବାର। ରଙ୍ଗମଞ୍ଚ ବଞ୍ଚିଲେ କଳା ବଞ୍ଚିବ, କଳା ବଞ୍ଚିଲେ କଳାକାର ବଞ୍ଚିବେ।

ମନୋରଞ୍ଜନର ମାଧ୍ୟମ ଯେତେ ବି’ ଆକର୍ଷଣୀୟ ଓ ଭିନ୍ନ ହେଉନା କାହିଁକି ମଞ୍ଚ-ନାଟକକୁ ଭୁଲି ନାହାନ୍ତି ଦର୍ଶକ। ନାଟକ, କଳା ପ୍ରଦର୍ଶନର ଏକ ଜୀବନ୍ତ ମାଧ୍ୟମ। ‘ନାଟକ’ ପ୍ରଦର୍ଶନ ପାଇଁ କଟକରେ ଥିଲା ଅନେକ ନାଁକରା ରଙ୍ଗମଞ୍ଚ। ହେଲେ ପରେ ରଙ୍ଗମଞ୍ଚରେ ଭଟ୍ଟା ପଡିଛି ।୧୯୫୩ରେ ପ୍ରତିଷ୍ଠିତ କଟକ ବାଙ୍କା ବଜାର ସ୍ଥିତ ଜନତା ରଙ୍ଗମଞ୍ଚ ଏବେ ରୁଗ୍ଣ ଓ ଜରାଜୀର୍ଣ୍ଣ। ଜାଗା ବିବାଦରେ ଛନ୍ଦି ହୋଇ ଅସ୍ତିତ୍ୱ ଖୋଜୁଛି ଜନତା ରଙ୍ଗମଞ୍ଚ। ଦିନେ ସେଠାରେ ନାଟ୍ୟରୂପ ନେଉଥିଲା ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟ। ଜନତା ମଞ୍ଚରେ ମଞ୍ଚସ୍ଥ ନାଟକ ଯାଯାବର, ଭରସା, ପରକଲମ ଓ ମାଟିର ମଣିଷ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା।

ହଜାର ହଜାର କଳାକାରଙ୍କୁ ପରିଚୟ ଦେଇଥିବା ପ୍ରମୁଖ ରଙ୍ଗମଞ୍ଚ ଅଣ୍ଟା ସଳଖିବାକୁ ସଂଘର୍ଷ କରୁଛି। ଅଡିଟରିୟମ୍ ମାଟି ସାଙ୍ଗରେ ସମାନ ହୋଇଯାଇଛି। ସନ୍ତକ ବୋଲି କେବଳ ଟିକେଟ କାଉଣ୍ଟର ପଡ଼ିରହିଛି। ସେହିପରି ଅନ୍ନପୂର୍ଣ୍ଣା ଥିଏଟର ଓ କଳାଶ୍ରୀ ଥିଏଟର ବି ନିଜ ଅସ୍ତିତ୍ବ ବଜାୟ ରଖିବା ପାଇଁ କରୁଛନ୍ତି ସଂଘର୍ଷ। ଅନ୍ନପୂର୍ଣ୍ଣା ଥିଏଟରରେ କିଛି କିଛି ନାଟକ ପରିବେଷଣ ହେଉଛି। କିନ୍ତୁ କଳାଶ୍ରୀ ଥିଏଟର ତା’ର ଅସ୍ତିତ୍ବକୁ ହଜାଇବାକୁ ବସିଲାଣି। ନାଟ୍ୟପ୍ରେମୀ, କଳାକାର ଓ ବୁଦ୍ଧିଜୀବୀ କୁହନ୍ତି କଳାର ଜନ୍ମ ସ୍ଥାନ ରଙ୍ଗମଞ୍ଚକୁ ବଞ୍ଚାଇ ରଖିବା ପାଇଁ ସରକାର ଆଗେଇ ଆସିବାର ସମୟ ଆସିଛି ।

କଟକ ଜନତା ରଙ୍ଗମଞ୍ଚ ହେଉ ବା କଳାଶ୍ରୀ, ସମସ୍ତେ ଅପେକ୍ଷା କରିଛନ୍ତି ସରକାରଙ୍କ ପ୍ରୋତ୍ସାହନକୁ। ପୁଣି ପୂର୍ବ ଅବସ୍ଥାକୁ ଫେରି, ଦର୍ଶକଙ୍କୁ ବସାଇ ଆଗଭଳି ଦେଖାଇବେ ଜୀବନ୍ତ ନାଟକ।