ମାଟିରେ ମିଶିଲା ରୂପେଶଙ୍କ ରଙ୍ଗଶାଳା । ଧୂଳିସାତ ହେଲା ସ୍ମିତାରାଣୀଙ୍କ ମୃତ୍ୟୁର ମୁକସାକ୍ଷୀ, ଗେଷ୍ଟହାଉସ ଗୁମର ଫିଟିବା ପରେ ତେଜିଥିଲା ‘ରଙ୍ଗଶାଳା’ ରାଜନୀତି । ଗେଷ୍ଟହାଉସ ଭାଙ୍ଗିବା ପରେ ବି ଫିଟି ପାରିଲାନି ସ୍ମିତାରାଣୀଙ୍କ ମୃତ୍ୟୁ ଗୁମର

194

କନକ ବ୍ୟୁରୋ: ମାଟିରେ ମିଶିଲା ରୂପେଶର ରଙ୍ଗଶାଳା । ଭାଙ୍ଗିଲା ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ । ଯାଜପୁର ଧର୍ମଶାଳା ବ୍ଲକ ହରିଦାସପୁରର ସେହି ବିବାଦୀୟ ରଙ୍ଗଶାଳା, ଯାହାକୁ ମାଟିରେ ମିଶାଇ ଦେଇଛି ପ୍ରଶାସନ । ଏ ହେଉଛି ସେହି ରଙ୍ଗଶାଳା, ଯେଉଁଠି ପଂଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଅତି ସଂଦେହ ଜନକ ଭାବେ ହୋଇଥିଲା । ଯାହାକୁ ନେଇ ଗତ ଅକ୍ଟୋବର ମାସରୁ ରାଜ୍ୟ ରାଜନୀତି ସରଗରମ ରହିଆସିଛି । ସରକାରୀ ଜମିରେ ବେଆଇନ ଭାବେ ଗଢ଼ାଯାଇଥିବା ରଙ୍ଗଶାଳାକୁ ଭାଙ୍ଗିଦେଇଛି ପ୍ରଶାସନ । ଯାଜପୁର କଲେକ୍ଟର, ଏଡିଏମ, ଧର୍ମଶାଳା ତହସିିଲଦାରଙ୍କ ସମେତ ଯାଜପୁରର ବହୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଥିଲା ରୂପେଶ ଭଦ୍ରାଙ୍କ ଏହି ଗେଷ୍ଟହାଉସର ଭଙ୍ଗା କାର୍ଯ୍ୟ । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଛାଉଣୀରେ ପରିଣତ ହୋଇଥିଲା ସମଗ୍ର ଅଂଚଳ ।

ତେବେ ସ୍ମିତାରାଣୀଙ୍କ ମୃତ୍ୟୁ କିଭଳି ହୋଇଥିଲା, ଏହା ପଛରେ କାହାର ଭୂମିକା ରହିଛି, ସବୁକିଛିର ମୁଖସାକ୍ଷୀ ଥିଲା ରୂପେଶ ଭଦ୍ରଙ୍କ ଏହି ଗେଷ୍ଟହାଉସ । ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ବିବାଦ ତେଜିବା ପରେ ଏହି ଗେଷ୍ଟହାଉସର ଗୁମର ଖୋଲିଥିଲା । ତେବେ ରଙ୍ଗଶାଳା ଭାଙ୍ଗିବା ପାଇଁ ଦଳବଳ ନେଇ ପୋଲିସ-ପ୍ରଶାସନ ପହଁଚିବା ପରେ ଏହାକୁ ବିରୋଧ କରିଥିଲେ ରୂପେଶଙ୍କ ପତ୍ନୀ ତଥା ହରିଦାସପୁର ପଂଚାୟତର ସରପଂଚ ମଧୁସ୍ମିତା ଭଦ୍ର ଓ ତାଙ୍କ ସମର୍ଥନ । ବେଶ କିଛି ସମୟ ଧରି ଚାଲିଥିଲା ବିରୋଧ ।

ସ୍ମିତାରାଣୀଙ୍କ ମୃତ୍ୟୁ ପଛରେ ହାତ ଥିବା ଅଭିଯୋଗରେ ରୂପେଶ ଭଦ୍ର ଗିରଫ ହୋଇ ଜେଲକୁ ଯାଇଥିବା ବେଳେ ବେଆଇନ ଭାବେ ନିର୍ମିତ ଗେଷ୍ଟହାଉସକୁ ଭାଙ୍ଗି ଦିଆଯାଇଛି । ଅଭିଯୋଗ ହୋଇଆସୁଛି ଯେ ଗେଷ୍ଟହାଉସ ନାଁରେ ଏହାକୁ ରଙ୍ଗଶାଳା ସଜାଇ ଦେଇଥିଲେ ରୂପେଶ । ଏପରିକି ଅନେକ କଳା କାମର ସାକ୍ଷୀ ପାଲଟିଥିଲା ଏହି ଗେଷ୍ଟହାଉସ । ତେବେ ଏହି ଗେଷ୍ଟହାଉସ ଭଙ୍ଗା ଯିବାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏବେ ପ୍ରଶ୍ନ ଉଠୁଛି,ବେଆଇନ କୋଠା ଭାଙ୍ଗିବା ବେଳେ କାହିଁକି ଏତେ ବିରୋଧ? ରୂପେଶ ଭଦ୍ରଙ୍କ ପଛରେ ରହିଛି କି ବଡ଼ବଡ଼ିଆଙ୍କ ସମର୍ଥନ?