ଉଷୁନା, ଅରୁଆ ଚାଉଳ ରାଜନୀତି ଭିତରେ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ । ପିୟୂଷ ଗୋୟଲଙ୍କୁ ଚିଠିଲେଖି ତୁରନ୍ତ ସମାଧାନ ପାଇଁ କଲେ ଅନୁରୋଧ ।

202

କନକ ବ୍ୟୁରୋ : ଅରୁଆ, ଉଷୁନା ଚାଉଳ ରାଜନୀତି ତେଜିବାରେ ଲାଗିଛି । ଆଜି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କେନ୍ଦ୍ର ସରକାରଙ୍କୁ ସଂଗ୍ରହ ହୋଇଥିବା ଉଷୁନା ଚାଉଳ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚିଠିରେ ଲେଖିଛନ୍ତି, କେନ୍ଦ୍ର ସରକାରଙ୍କଠାରୁ ଧାନ ସଂଗ୍ରହ ବାବଦକୁ ସବ୍‌ସିଡ଼ି ଅର୍ଥ ଠିକ୍‌ ସମୟରେ ପାଉନଥିବାରୁ ଧାନ ସଂଗ୍ରହ କ୍ଷେତ୍ରରେ ଅସୁବିଧା ଉପୁଜୁଛି । ରାଜ୍ୟରେ ଧାନ ସଂଗ୍ରହ ନିମନ୍ତେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୧୫,୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ କରିଥିବାବେଳେ ସବ୍‌ସିଡି ବାବଦକୁ ପ୍ରାପ୍ୟ ୬୦୩୯ କୋଟି ଟଙ୍କା ଠିକ୍‌ ସମୟରେ ନପାଇବା ଦ୍ୱାରା ନିଗମ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି ଏବଂ ଧାନସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।

ରାଜ୍ୟରେ ଖରିଫ୍‌ ଧାନ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ଅଦ୍ୟାବଧି ଗତବର୍ଷ ଆଜିର ତାରିଖ ତୁଳନାରେ ୨୨ ପ୍ରତିଶତରୁ ଅଧିକ ଖରିଫ ଧାନ ସଂଗ୍ରହ କରାଯାଇସାରିଲାଣି । ଅଧିକ ସଂଖ୍ୟାରେ ଚାଷୀ ଧାନ ବିକ୍ରି କରି ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇପାରିଛନ୍ତି । ରାଜ୍ୟରେ କୃଷି କ୍ଷେତ୍ରରେ ସର୍ବାଧିକ ଲୋକ ନିୟୋଜିତ ହୋଇଥିବାବେଳେ ଏହା ଲକ୍ଷ ଲକ୍ଷ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବା ସହିତ କୃଷି ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରୁଛି । ଧାନସଂଗ୍ରହ କ୍ଷେତ୍ରରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବା ସହ ଧାନ ବିକ୍ରି ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍‌ ମାଧ୍ୟମରେ ସିଧାସଳଖ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଲ୍ଲେଖ କରିଛନ୍ତି ।

ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି । ଓଡିଶାରେ ଚାଷୀମାନଙ୍କର ଅବସ୍ଥା ସମସ୍ତେ ଜାଣିଛନ୍ତି । ଲକ୍ଷ ଲକ୍ଷ ଚାଷୀ ମଣ୍ଡିରେ ଧାନ ଧରି ବସି ରହିଛନ୍ତି, କିନ୍ତୁ ସରକାର କଥା ହେଉନାହାନ୍ତି । ଓଡିଶାରେ ଚାଷୀଙ୍କୁ ଭ୍ରମିତ କରିବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର । ଉଷୁନା ଚାଉଳ ଅପେକ୍ଷା ଅରୁଆ ଚାଉଳ ଜଲଦି ଭାଙ୍ଗିଯାଇ ନଷ୍ଟ ଅଧିକ ହୁଏ । ତେଣୁ ମିଲରମାନେ ଚାହୁଁଛନ୍ତି ଉଷୁନା ଚାଉଳ ଏଫସିଆଇ ନେଉ । ଆଉ ରାଜ୍ୟ ସରକାର ଚାଷୀଙ୍କ କଥା ଚିନ୍ତା ନକରି ମିଲର ମାନଙ୍କ ପାଇଁ ଓକିଲାତି କରୁଛନ୍ତି । ଏହି ଚିଠି ଡିସେମ୍ବର ମାସରୁ ପାଇଥିଲେ ମଧ୍ୟ ଏନେଇ ସାଧାରଣ ଜନତା କିମ୍ବା ମିଲର ମାନଙ୍କୁ ଅବଗତ କରାଇନାହାନ୍ତି ବୋଲି ଲେଖାଶ୍ରୀ ଅଭିଯାଗ କରିଛନ୍ତି ।