ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀଙ୍କ ବିବୃତିରେ ଅସନ୍ତୁଷ୍ଟ ବିରୋଧୀ । ବିଜେପି କହିଲା, ବଳକା ଧାନର ନାହିଁ ହିସାବ ।

54

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ସତ୍ୱେ ଗୃହରେ ଧାନ ସଂଗ୍ରହକୁ ନେଇ ଉତ୍ତର ରଖିଛନ୍ତି ସମବାୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଯାଏ ୨୧ ପ୍ରତିଶ୍ରତ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ବର୍ଷ ଗତ ୧୯ ତାରିଖ ସୁଦ୍ଧା ୫୫ ଲକ୍ଷ ୩ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫ ଲକ୍ଷ ୬୧ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା । ବର୍ତମାନ ସୁଦ୍ଧା ୯ ଲକ୍ଷ ୯୩ ହଜାର ଚାଷୀଙ୍କୁ ସରକାର ଧାନ ବିକ୍ରି କରିଛନ୍ତି । ଏବାବଦକୁ ୧୦ ହଜାର ୨୮୧ କୋଟି ଟଙ୍କା ଚାଷୀଙ୍କ ଆକାଉଂଟକୁ ପଠାଯାଇଛି । ଧାନର କ୍ରୟ ଦିବସର ୭ ଦିନ ପୂର୍ବରୁ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସଂପର୍କରେ ଜଣାଇଦିଆଯାଉଛି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି ।

ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କର ଧାନ କିଣାଯିବ ନାହିଁ । କେବଳ ପଂଜିକୃତ ଚାଷୀଙ୍କ ଦାନ କିଣାଯିବ ବୋଲି ସମବାୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି । ଚାଷୀ ସମସ୍ୟା ଓ ମଣ୍ଡିରେ ଅବ୍ୟବସ୍ଥା ନେଇ ଗୃହକୁ ଗତକାଲି ବିରୋଧୀ ଅଚଳ କରିଦେଇଥିଲେ । ଆଜି ମଧ୍ୟ ଗୃହ ଆରମ୍ଭ ହେବା ପରେ ସମାନ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ବିଧାୟକ ହୋହାଲ୍ଲା କରିଥିଲେ ।

ବିଧାନସଭାରେ ମଣ୍ଡିରୁ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀଙ୍କ ବିବୃତି ପରେ ମଧ୍ୟ ଖୁସି ନାହାନ୍ତି ବିରୋଧୀ । ଗୃହ ବାହାରେ ବିଜେପି ବିଧାୟକ ଗାଉନ ପିନ୍ଧି ପ୍ରତିବାଦ କରିଛନ୍ତି । ବିଜେପି ବିଧାୟକ ମାନେ କହିଛନ୍ତି, ଅଧିକ ଧାନ ଅମଳ ହୋଇଥିବାରୁ ଅଧିକ ଧାନ ସଂଗ୍ରହ ହୋଇଛି । ହେଲେ ଏବେ ବି ପଶ୍ଚିମଓଡିଶାରେ ମଣ୍ଡିରେ ଧାନ ପଡିରହିଛି । ବଳକା ଧାନ ଉଠାଣ ନେଇ ମନ୍ତ୍ରୀ ଗୃହରେ କୌଣସି ସ୍ପଷ୍ଟ ଭାବେ ଉତ୍ତର ରଖିଲେନି । ଯେପର୍ଯ୍ୟନ୍ତ ମଣ୍ଡିରୁ ସମସ୍ତ ଧାନ ଉଠିବ ନାହିଁ ସେ ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିଜେପି ବିଧାୟକ ।

ମୋସନ ଆକାରରେ ମୁଲତବୀ ଅଣାଯାଇ ଗୋଟିଏ ଦିନ ଚାଷୀ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ପାଇଁ ବିରୋଧୀ ଦାବି କରିଛନ୍ତି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ସରକାର ପଳାୟନପନ୍ଥୀ ସାଜିଛନ୍ତ ଓ ଆଲୋଚନାକୁ ଭୟ କରୁଛନ୍ତି ବୋଲ ି କହିଛନ୍ତି ନରସିଂହ ମିଶ୍ର ।