ମମିତାଙ୍କ ମା’ଙ୍କ ଆଖିର ଲୁହ ନବୀନ ଦେଖିଥିଲେ, ଆଜି ହିଁ ଦିବ୍ୟଶଙ୍କରଙ୍କୁ ପଦରୁ ବହିଷ୍କାର କରିଥାନ୍ତେ । ସରକାରଙ୍କୁ ଟାର୍ଗେଟ କଲେ ସୁରଜେୱାଲା ।

Advertisment
ମମିତାଙ୍କ ମା’ଙ୍କ ଆଖିର ଲୁହ ନବୀନ ଦେଖିଥିଲେ, ଆଜି ହିଁ ଦିବ୍ୟଶଙ୍କରଙ୍କୁ ପଦରୁ ବହିଷ୍କାର କରିଥାନ୍ତେ । ସରକାରଙ୍କୁ ଟାର୍ଗେଟ କଲେ ସୁରଜେୱାଲା ।

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜେୱାଲା ମମିତାଙ୍କ ପରିବାରକୁ ଭେଟିବା ପରେ ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ଦିଗରୁ ଟାର୍ଗେଟ କରିଛନ୍ତି । ସୁରଜେୱାଲା କହିଛନ୍ତି, ଓଡ଼ିଶାକୁ ଅପରାଧ ରାଜ୍ୟ କରିସାରିଲାଣି ବିଜେଡି । ଯେବେ ରକ୍ଷକ ଭକ୍ଷକ ପାଲଟିଯାଏ ଓ ପୋଲିସ ଅପରାଧକୁ ଗୁରୁତ୍ୱ ଦିଏନି ସେତେବେଳେ ରାଜ୍ୟର ମହିଳାଙ୍କ ରକ୍ଷା କିଏ କରିବ? ଯେତେବେଳେ ଅଭିଯୋଗ ଗୃହମନ୍ତ୍ରୀଙ୍କ ଉପରେ ରହିଛି ସେତେବେଳେ ଯାଞ୍ଚ କିଏ କରିବ ଓ ନ୍ୟାୟ କେମିତି ମିଳିବ? ବିଜେଡି ନା କେବଳ ଅପରାଧୀଙ୍କୁ ସୁରକ୍ଷା ଦେଉଛି ତାହା ନୁହେଁ ବରଂ ମମିତା ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଉପରେ ଅଙ୍ଗୁଳି ଉଠିଛି । ବିଜେଡି ସରକାରରେ ଅପରାଧ ବ୍ୟବସାୟ ହୋଇସାରିଲାଣି ।

ଯଦି ନବୀନ ପଟ୍ଟନାୟକ ମମିତାଙ୍କ ଗାଁକୁ ଯାଇ ପରିବାରର ଅବସ୍ଥା ଦେଖିଥାନ୍ତେ, ଝିଅକୁ ହରାଇ କିଭଳି ପୂରା ପରିବାର କାନ୍ଦୁଛି ଦେଖିଥାନ୍ତେ ତେବେ ଆଜି ହିଁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ପଦରୁ ବିଦା କରିଥାନ୍ତେ । କିଭଳି ଜଣେ ଝିଅର ଶରୀରକୁ କାଟି ଫିଙ୍ଗି ଦିଆଯାଇଥିଲା ତାହା ଯଦି ନବୀନ ଦେଖିଥାନ୍ତେ ତେବେ ରାତିରେ ନିଦ ଆସିନଥାନ୍ତା ।

୫ ଦିନ ମମିତା ନିଖୋଜ ହେବା ପରେ ମଧ୍ୟ ପୋଲିସ ଏଫଆଇଆର ରୁଜୁ କରିନଥିଲା । ଫିଲ୍ମରେ ସବୁଠୁ ଖରାପ ଗୁଣ୍ଡାଶ୍ରେଣୀର ବ୍ୟକ୍ତି ଯାହା କରିନଥାନ୍ତି ତାହା ଓଡ଼ିଶା ପୋଲିସ ଅଫିସର କରିଛନ୍ତି । ପୋଲିସ ହେପାଜତରୁ ଫିଲ୍ମ ଷ୍ଟାଇଲରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ହୋଇଯାଇଥିଲା । ଏହାପରେ ବି ଝିଅ ବଞ୍ଚିଥିବା ନେଇ ମମିତାଙ୍କ ପରିବାରକୁ ଆଶ୍ୱସନା ଦେଇଥିଲା ପୋଲିସ । ପୂରା ଦେଶ ଜାଣିଛି ଗୋବିନ୍ଦ ସାହୁଙ୍କ ସଂସ୍ଥା ଉପରେ କାହା ହାତ ରହିଛି? କିଏ ସବୁବେଳେ ଗୋବିନ୍ଦ ସାହୁଙ୍କ ସ୍କୁଲକୁ ଯାଉଥିଲା? କଣ ପାଇଁ ଯାଉଥିଲେ ଦିବ୍ୟଶଙ୍କର?

ଏତେସବୁ ଘଟଣା ପରେ କାହିଁକି ଚୁପ୍ ମୁଖ୍ୟମନ୍ତ୍ରୀ? ସରକାରଙ୍କୁ ନିଦ କିଭଳି ଆସୁଛି? ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ ଅଭିଯୋଗ ଆସିଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି କାହିଁକି ଯାଞ୍ଚ କରୁନାହାନ୍ତି ସରକାର? ପୂରା ମାମଲାର ନିରପେକ୍ଷ ଯାଞ୍ଚ ସମ୍ଭବ କି? ଏଭଳି ପ୍ରଶ୍ନ ଉଠାଇବା ସହ ୩ ଦାବି କରିଛି କଂଗ୍ରେସ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଉ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏକ ଏସଆଇଟି ଟିମ୍ ଗଠନ କରାଯାଉ ଓ ୯୦ ଦିନ ଭିତରେ ଏହାର ଯାଞ୍ଚ ଶେଷ କରାଯାଉ । ସେହିଭଳି ମମିତାଙ୍କ ପରିବାରକୁ ୧ କୋଟି ଟଙ୍କା ସହ ଭାଇଙ୍କୁ ସରକାରୀ ଚାକିରି ଦିଆଯାଉ । ଆଉ ଭଗବାନ  ନକରନ୍ତୁ କାହା ସହିତ ଏମିତି ନହେଉ । ମମିତାଙ୍କ ନ୍ୟାୟ ନ ମିଳିବା ଯାଏଁ ଜନଆନ୍ଦୋଳନ ଜାରି ରଖିବୁ, ଯେତେବେଳେ ଯାଏଁ ନ୍ୟାୟ ନ ମିଳିବ ସେତେବେଳ ଯାଏଁ ଲଢେଇ କରିବୁ ବୋଲି କହିଛନ୍ତି ସୁରଜେୱାଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe