କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରିଛନ୍ତି । କେବଳ ମମିତା ନୁହେଁ ନାରୀ ସୁରକ୍ଷାକୁ ନେଇ ନବୀନ ସରକାରଙ୍କୁ ପ୍ରଶ୍ନବାଣ ମାରିଛନ୍ତି । ତଥ୍ୟ ସହ ସରକାରଙ୍କୁ ଘେରିଛନ୍ତି ସୁରଜେୱାଲା । ପରୀ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ମମିତା ହତ୍ୟାକାଣ୍ଡ ପର୍ଯ୍ୟନ୍ତ ସବୁଥିରେ କିଭଳି ଶାସକ ଦଳ ନେତାଙ୍କ ସମ୍ପୃକ୍ତି ରହୁଛି ତାହାର ହିସାବ ନିକାଶ କରିଛନ୍ତି । ଆଉ ଏହାସହ ମମିତା ପ୍ରସଙ୍ଗରେ କ୍ୟାପଟେନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେନେଇ ନବୀନଙ୍କୁ ପ୍ରଶ୍ନ କରିଛନ୍ତି । ଯଦି ନବୀନଙ୍କ ମମିତାଙ୍କ ମା’ ଆଖିରେ ଲୁହ ଦେଖିଥାନ୍ତେ ତେବେ ଦିବ୍ୟଶଙ୍କରଙ୍କୁ  ମନ୍ତ୍ରୀପଦରୁ ଆଜି ବିଦା କରିଥାନ୍ତେ । ଯେଉଁଭଳି ଭାବେ ମମିତାଙ୍କ ଶରୀରକୁ କାଟି ଜାଳି ଦିଆଯାଇଥିଲା ତାହା ଦେଖିଥିଲେ ନବୀନଙ୍କୁ ରାତିରେ ନିଦ ହୋଇନଥାନ୍ତା । ଏଭଳି ଏକ ପାଶବିକ ଓ ସମ୍ବେଦନଶୀଳ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ସମ୍ପୃକ୍ତି ନେଇ ଅଭିଯୋଗ ଆସୁଥିଲେ ମଧ୍ୟ ସରକାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନ ନେଇ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି?ଓଡ଼ିଶାର ମହିଳାଙ୍କ  ପ୍ରତି ଯଦି ନବୀନଙ୍କର ଟିକିଏ ବି ଭଲପାଇବା ଥିବ ତେବେ ମନ୍ତ୍ରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ? କାରଣ ଏଭଳି ଘଟଣା ଦେଖିବା ପରେ ଓଡ଼ିଶାବାସୀଙ୍କ ଆତ୍ମା କାନ୍ଦୁଛି ।

Advertisment

ଏହାସହ ସୁରଜେୱାଲା କହିଛନ୍ତି,  ମହିଳାଙ୍କ ସୁରକ୍ଷା ସରକାରଙ୍କର ଦାୟିତ୍ୱ ନୁହେଁ କି? ଯିଏ ଦ୍ୱିତୀୟ ଥର ବିଧାୟକ ହୋଇଛନ୍ତି ତାଙ୍କୁ ୪ଟି ବିଭାଗର ମନ୍ତ୍ରୀ କରିଛନ୍ତି । କିନ୍ତୁ ଯେତେବେଳେ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସୁଛି ସେତେବେଳେ ତାଙ୍କୁ ବହିଷ୍କାର ନକରି କାହିଁକି ଚୁପ୍ ରହିଛନ୍ତି ମୁଖ୍ୟମନ୍ତ୍ରୀ? ଦେଶରେ ମୋଦୀ ଓ ରାଜ୍ୟରେ ନବୀନ, ଅପରାଧକୁ ଦେଖିଲେ ମଧ୍ୟ ଚୁପ୍ ରହୁଛନ୍ତି । ମୌନୀ ବାବା ସାଜିଛନ୍ତି । କିନ୍ତୁ ମୌନ ରହିଲେ ବି ଅପରାଧ ଲୁଚି ରହିବ ନାହିଁ । ମମିତାଙ୍କୁ ନ୍ୟାୟ ଦେବାକୁ କଂଗ୍ରେସ ଜନଆନ୍ଦୋଳନ ଜାରି ରଖିବ । ଯେତେବେଳେ ଯାଏଁ ନ୍ୟାୟ ନ ମିଳିବ ସେତେବେଳ ଯାଏଁ ଲଢେଇ କରିବୁ ବୋଲି କହିଛନ୍ତି ସୁରଜେୱାଲା ।