ବଲିଉଡ ଷ୍ଟାରଙ୍କ ‘ସ୍ୱଦେଶୀ’ ବାହାଘର । ଚର୍ଚ୍ଚାରେ ରଣଦୀପ ହୁଡାଙ୍କ ବିବାହ, ସଂସ୍କୃତି ଓ ପରମ୍ପରାକୁ ଦେଲେ ପ୍ରାଧାନ୍ୟ

240

କନକ ବ୍ୟୁରୋ : ବଲିଉଡ ଷ୍ଟାର ରଣଦୀପ ହୁଡାଙ୍କ ବିବାହ ଏବେ ଚର୍ଚ୍ଚାରେ । ନିଜ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ୍ ଲେସରାମଙ୍କ ହାତ ଧରିଛନ୍ତି ରଣଦୀପ । ଇମ୍ପାଲର ଏକ ରିସର୍ଟରେ ସମ୍ପୂର୍ଣ୍ଣ ମୈତେଇ ରୀତିନୀତିରେ ହୋଇଛି ଏହି ବିବାହ । ଉଭୟଙ୍କ ବିବାହ ବେଳର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ବିବାହ ଏଇଥିପାଇଁ ଚର୍ଚ୍ଚାରେ କାରଣ ଅନେକ ବଲିଉଡ ଷ୍ଟାର ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହାଁନ୍ତି  । ଏଥିପାଇଁ ଇଟାଲୀ, ସଇଜରଲ୍ୟାଣ୍ଡ, ମାଲଦ୍ୱୀପ ଭଳି ସ୍ଥାନକୁ ସ୍ଥିର କରନ୍ତି । କିନ୍ତୁ ରଣଦୀପଙ୍କ କ୍ଷେତ୍ରରେ ଏହା ଭିନ୍ନ ରହିଛି । ନିଜ ରାଜ୍ୟରେ ଏବଂ ନିଜ ପରମ୍ପରାକୁ ଅଗ୍ରାଧିକାର ଦେଇ ଏହି ଷ୍ଟାର ଜଣଙ୍କ ସମାଜକୁ ବଡ ବାର୍ତା ଦେଇଛନ୍ତି ।

ଏହି ପାରମ୍ପରିକ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ରଣଦୀପ ମୈତେଇ ସଂସ୍କୃତି ଅନୁଯାୟୀ ବର ରାଜା ବେଶରେ ଆସିଛନ୍ତି । ଧଳା ଧୋତି କୁର୍ତ୍ତା ଏବଂ ମୁଣ୍ଡରେ ପଗଡିରେ ଅଭିନେତାଙ୍କ ଲୁକ୍ ଦେଖିବାକୁ ମିଳିଛି । ବର ପରି କନ୍ୟା ଲିନ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ସିମ୍ପିଲ ଲୁକରେ ଅନେକ ସୁନା ଅଳଙ୍କାର ପିନ୍ଧିଛନ୍ତି । ଆପଣ ଦେଖିପାରୁଥିବେ ଯେ ଉଭୟେ ମଧ୍ୟ ପରସ୍ପରକୁ ଧଳା ରଙ୍ଗର ଫୁଲମାଳ ପକାଉଛନ୍ତି । ୪୭ ବର୍ଷୀୟ ଏହି ତାରକା ଜିସ୍ମ-ଟୁ, ହାଇୱେ ଏବଂ ସୁଲତାନ ଭଳି ବଲିଉଡ ମୁଭିରେ ଅଭିନୟ କରିଛନ୍ତି । ତାଙ୍କ ପାଖରେ ସମ୍ବଳରେ ମଧ୍ୟ ଅଭାବ ନାହିଁ । କିନ୍ତୁ ସେ ତାଙ୍କ ବିବାହକୁ ବିଦେଶରେ କରାଇବା ଅପେକ୍ଷା ନିଜ ରାଜ୍ୟରେ କରି ନିଜ ଫ୍ୟାନ୍ସ ମାନଙ୍କୁ ବଡ ବାର୍ତା ଦେଇଛନ୍ତି ।

ଆଜିର ସମାଜରେ ନିଜ ବିବାହକୁ ସ୍ମରଣୀୟ କରିବାକୁ ଅନେକ ଟଂକା ଖର୍ଚ୍ଚ କରୁଛନ୍ତି । ଯାହା ପ୍ରତିପତି ଦେଖାଇବାରେ ଏକ ପ୍ରତିଯୋଗିତା ପାଲଟିଛି । ଏପରି ସ୍ଥିତିରେ ରଣଦୀପଙ୍କ ବିବାହ ସମାଜକୁ ଗୋଟିଏ ବଡ ବାର୍ତା ଦେଉଛି ।