ଇଡି ହେପାଜତରେ ବିବାହ ବାର୍ଷିକ ପାଳନ କଲେ ହେମନ୍ତ ସୋରେନ । ସାଥିରେ ଥିଲେ ପତ୍ନୀ କଳ୍ପନା

277

କନକ ବ୍ୟୁରୋ : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଗିରଫ କରି ଜେଲରେ ରଖିଛି । ହେଲେ ବୁଧବାର ଦିନ ସେ ଜେଲ ଭିତରେ ଥାଇ ନିଜର ବିବାହ ବାର୍ଷିକ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ପତ୍ନୀ କଳ୍ପନା ସୋରେନ ମଧ୍ୟ ହେମନ୍ତଙ୍କ ନିକଟରେ ଉପସ୍ଥିତ ଥିଲେ । କଳ୍ପନା ବୁଧବାର ଦିନ ସକାଳେ ଇଡି କାର୍ଯ୍ୟାଳୟରେ ପହଂଚିଥିଲେ । ବିବାହ ବାର୍ଷିକ ପାଳନ କରିବା ଅବସରରେ କଳ୍ପନା ହେମନ୍ତଙ୍କ ନିକଟରେ ୩୦ ମିନିଟରୁ ଅଧିକ ସମୟ ରହିଥିଲେ ।

ପ୍ରତିବର୍ଷ ହେମନ୍ତ ଓ କଳ୍ପନା ନିଜର ବିବାହ ବାର୍ଷିକକୁ ବେଶ୍ ଧୁମଧାମରେ ପାଳନ କରିଥାନ୍ତି । ହେଲେ ବିଡମ୍ବନାର ବିଷୟ ଚଳିତ ବର୍ଷ ଜେଲ ଭିତରେ ଥାଇ ହେମନ୍ତ ଏହି ଦିନକୁ ପାଳନ କରିଛନ୍ତି । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗରିଫ କରି ୫ ଦିନିଆ ରିମାଣ୍ଡରେ ନେଇଛି ।

ସୂଚନା ଥାଉକି ଆଜି ହେମନ୍ତ ସୋରେନଙ୍କ ବିବାହକୁ ୧୮ ବର୍ଷ ପୁରିଛି । ଏପଟେ ଆଜି ରିମାଣ୍ଡ ଅବଧି ସମାପ୍ତ ହେଉଥିବାରୁ ଇଡି ଆଜି ହେମନ୍ତଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିବ । ଏହା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି ।