କନକ ବ୍ୟୁରୋ: ମୋଦୀ ସରନେମ୍ ମାମଲାକୁ ନେଇ ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନି ସମସ୍ୟା । ଗୁଜରାଟ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ, ତାଙ୍କର ସାଂସଦ ପଦ ରଦ୍ଦ ହେଇଥିଲା । ଆଉ ଏବେ ରାଞ୍ଚି କୋର୍ଟ ତାଙ୍କୁ ଏହି ମାମଲାରେ ସମନ୍ ଜାରି କରିଛି । ଖାଲି ସେତିକି ନୁହେଁ, ରାଞ୍ଚି କୋର୍ଟ ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ଆଦେଶ ଦେଇଛନ୍ତି ।

Advertisment

ରାହୁଲ ଗାନ୍ଧୀଙ୍କ ବିରୋଧରେ ୨୦୧୯ ମସିହା ଏପ୍ରିଲ ୧୩ ତାରିଖରେ ପ୍ରଦୀପ ମୋଦୀ ଏହି ମାମଲା କରିଥିଲେ । ଯାହାପରେ ରାଞ୍ଚି କୋର୍ଟ ଏବେ ରାହୁଲ ଗାନ୍ଧୀଙ୍କୁ ସମନ୍ ଜାରି କରିଛି । ତେବେ ପୂର୍ବରୁ ବି କୋର୍ଟ ଏହି ଘଟଣାରେ ରାହୁଲ ଗାନ୍ଧୀଙ୍କୁ ସମନ୍ ଜାରି କରିଥିଲେ । ହେଲେ ସେତେବେଳେ ରାହୁଲ ଗାନ୍ଧୀଙ୍କ ଓକିଲ କୋର୍ଟର ହାଜର ହେଇନପାରିବା ନେଇ କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ କୋର୍ଟ ଏହାପରେ ସମୟ ଦେବା ସହିତ ଏବେ ପୁଣିଥରେ ରାହୁଲଙ୍କୁ ହାଜର ହେବାକୁ ସମନ୍ ପଠାଇଛନ୍ତି ।

ଏହି ମାମଲାରେ ଅଭିଯୋଗ କରିଥିବା ପ୍ରଦୀପ ମୋଦୀଙ୍କ ଓକିଲ କୁଶଲ ଅଗ୍ରୱାଲଙ୍କ କହିବା କଥା, ରାହୁଲ ଗାନ୍ଧୀଙ୍କୁ ଏହା ଶେଷ ସମନ୍ । ଯଦି ସେ ଏଥର କୋର୍ଟରେ ହାଜର ନହୁଅନ୍ତି, ତେବେ କୋର୍ଟ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେବେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ସହିତ ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ମୁଡ୍ ବନେଇ ନାହାଁନ୍ତି । ତେଣୁ କୋର୍ଟ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଲୋକସଭା ନିର୍ବାଚନ ବେଳେ, ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ରାହୁଲ ଗାନ୍ଧୀ ନୀରବ ମୋଦୀ, ଲଳିତ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା କହିଥିଲେ । ମୋଦୀ ସରନେମ୍ ଲୋକ ଚୋର ବୋଲି କହିଥିଲେ ରାହୁଲ ଗାନ୍ଧୀ । ଏହି ଘଟଣାରେ ଅଭିଯୋଗ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଯାହା ପରେ ତାଙ୍କ ସଂସଦ ପଦ ରଦ୍ଦ ହେଇଥିଲା ।