କନକ ବ୍ୟୁରୋ: ଡୋରଣ୍ଡା କୋଷାଗାର ସହ ଜଡିତ ଚାରା ଘୋଟାଲା ମାମଲାରେ ସିବିଆଇର ସ୍ପେଶାଲ ଅଦାଲତ ଫଇସଲା ଶୁଣାଇଛନ୍ତି । ସିବିଆଇର ସ୍ପେଶାଲ ଜଜ୍ ବିଶାଲ ଶ୍ରୀବାସ୍ତବ ଏହି ମାମଲାରେ ଫଇସଲା ଶୁଣାଇଛନ୍ତି । ମିଳିଥିବା ସୂଚନା ମୁତାବକ, ଏହି ମାମଲାରେ ୧୨୫ ଅଭିଯୁକ୍ତଙ୍କ ଭିତରୁ ୩୫ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦିଆଯାଇଛି । ଅନ୍ୟପଟେ ୫୨ ଜଣ ଦୋଷୀଙ୍କୁ ତିନି ବର୍ଷ ଲେଖାଏଁ ସଜ୍ଜା ଶୁଣାଯାଇଛି । ତେବେ ବାକି ଥିବା ଦୋଷୀମାନେ କେତେ ଦଣ୍ଡ ପାଇବେ ସେ ନେଇ ଫଇସଲା ଆସିବା ବାକି ଅଛି ।

Advertisment

ଅସଲ କଥା ହେଲା, ସେତେବେଳେ ଏହି ଚାରା ଘୋଟାଲାକୁ ନେଇ ବେଶ ଚର୍ଚ୍ଚା ହେଇଥିଲା । ସେତେବେଳେ ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ ଲାଲୁ ପ୍ରସାଦ ଯାଦବ । ସେ ସମୟରେ ଡୋରଣ୍ଡା କୋଷାଗାରର ୩୬ କୋଟି ୫୯ ଲକ୍ଷ ଟଙ୍କା ଅବୈଧ ଭାବେ ଖର୍ଚ୍ଚ କରାଯାଇଥିଲା । ୧୯୯୦ ମସିହାରୁ ୧୯୯୫ ମସିହା ଭିତରେ ଏହା ଘଟିଥିଲା । ତେଣୁ ଏହି ମାମଲାରେ ସିବିଆଇର ବିଶେଷ ଅଦାଲତ ସମସ୍ତ ଯୁକ୍ତି ଶୁଣିବା ପରେ ଏହିି ଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗଲା ୨୭ ବର୍ଷ ଧରି ଚାଲିଆସିଥିବା ଏହି ମାମଲାରେ ୬୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ୧୯୨ ଜଣ ଅଭିଯୁକ୍ତଙ୍କ ଭିତରୁ ୬୨ ଜଣ ଅଭିଯୁକ୍ତ ମୃତ୍ୟୁବରଣ କରିସାରିଲେଣି । ତେବେ ଅଭିଯୁକ୍ତଙ୍କ ଭିତରେ ୩୮ ଜଣ ଲୋକ ସେବକ ଥିଲେ, ୮ ଜଣ ଲୋକ କୋଷାଗର ପଦାଧିକାରୀ ରହିଥିଲେ । ଅଭିଯୁକ୍ତଙ୍କ ଭିତରେ ୧୬ ଜଣ ମହିଳା ମଧ୍ୟ ଅଛନ୍ତି ।