ଗତ ୨୨ବର୍ଷ ଧରି ୧ଟଙ୍କାରେ ବିକ୍ରି କରୁଛନ୍ତି ସିଙ୍ଗଡା, ସ୍ୱାଦ ଏଭଳି ଯେ ଦୂର ଦୂରାନ୍ତରୁ ଆସୁଛନ୍ତି ଗ୍ରାହକ

945

କନକ ବ୍ୟୁରୋ : କରୋନା ମହାମାରୀ ପରେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି । ଏହାସହ ଦେଶରେ ପ୍ରତିଟି ଜିନିଷର ଦାମ ଅହେତୁକ ଭାବେ ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି । ପାଠ ପଢାରୁ ନେଇ ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସବୁଠି ମହଙ୍ଗା ମାଡ । ହେଲେ ଏହି ମହଙ୍ଗା ଯୋଗରେ ଜଣେ ଦୋକାନୀ ଦୀର୍ଘ ୨୨ ବର୍ଷ ହେବ ୧ଟଙ୍କାରେ ସିଙ୍ଗଡା ବିକ୍ରି କରିବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ହେଲେ କଥାଟି ସତ ।

ମହଙ୍ଗା ଯୋଗରେ ଝାଡଖଣ୍ଡ ରାଞ୍ଚିରେ ଜଣେ ଦୋକାନୀ ଦୀର୍ଘ ୨୨ବର୍ଷ ହେବ ୧ଟଙ୍କାରେ ସିଙ୍ଗଡା ବିକ୍ରି କରୁଛନ୍ତି । ଏହି ଖବର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି  । ଯେତେବେଳେ ଅନ୍ୟମାନେ ଗୋଟିଏ ସିଙ୍ଗଡାକୁ ୫ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି ସେହି ସମୟରେ ଜଣେ କିଭଳି ଗୋଟିଏ ସିଙ୍ଗଡାକୁ ୧ଟଙ୍କାରେ ବିକ୍ରି କରି ଲାଭବାନ ହେଉଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି ।

ରାଞ୍ଚିର ଧୁର୍ବାରେ ରହିଛି ଏହି ୧ଟଙ୍କିଆ ସିଙ୍ଗଡା ଦୋକାନ । ଏହି ସିଙ୍ଗଡା ଦୋକାନର ନାମ ହେଉଛି ‘ରାଞ୍ଚି ଅରୁଣ ସମୋସା ବାଲା’ । ରାଞ୍ଚିର ପ୍ରାୟ ଅଧିକାଂଶ ଲୋକେ ଏହି ସିଙ୍ଗଡା ଦୋକାନ ବାବଦରେ ଜାଣିଛନ୍ତି । ଦାମ କମକୁ ପୁଣି ସୁସ୍ୱାଦୁ ପାଇଁ ଅନେକ ଦୂର ଦୂରାନ୍ତରୁ ଲୋକ ଏଠାକୁ ସମୋସା ବା ସିଙ୍ଗଡା ଖାଇବାକୁ ଆସିଥାନ୍ତି ।

୧ ଟଙ୍କାରେ ସିଙ୍ଗଡା ବିକ୍ରି କରୁଥିବା ଏହି ଦୋକାନୀଙ୍କ ନାମ ଅରୁଣ । ସେ କହିବା ମୁତାବକ ଛୋଟବେଳୁ ସେ ବେଶ୍ ଉଚ୍ଚମନା ଥିଲେ । ପାଠ ପଢି ବଡ ହେବା ପରେ ଯେତେବେଳେ ତାଙ୍କୁ ଚାକିରି ନମିଳିଲା ସେତେବେଳେ ସେ ବିରକ୍ତି ହୋଇ ରୋଜଗାର ମାଧ୍ୟମ ଭାବେ ରାଞ୍ଚିର ଧୁର୍ବାର ବଜାରରେ ଏକ ସିଙ୍ଗଡା ଦୋକାନ ଆରମ୍ଭ କରିଥିଲେ । ଚଳିତ ବର୍ଷକୁ ମିଶାଇ ଅରୁଣଙ୍କ ଦୋକାନ ୨୨ ବର୍ଷ ହୋଇଗଲାଣି । ଦୋକାନ ଆରମ୍ଭ କରିବା ଠାରୁ ଆଜି ପର୍ଯ୍ୟନ୍ତ ସେ ୧ଟଙ୍କାରେ ସିଙ୍ଗଡା ବିକ୍ରି କରୁଛନ୍ତି ।