ପୁରା ଶରୀର ପାଲଟିଛି ଶ୍ରୀରାମଙ୍କ ମନ୍ଦିର । ରାମ ନାମରେ କଟୁଛି ଜୀବନ । ଅତି ରୋଚକ ଏହି ସମ୍ପ୍ରଦାୟର କାହାଣୀ

267

କନକ ବ୍ୟୁରୋ: ଆଜି ଶ୍ରୀରାମ ମନ୍ଦିର ପ୍ରତିଷ୍ଠାର ଦିନ । ପୁରା ଦେଶରେ ରାମ ଭକ୍ତଙ୍କ ମଧ୍ୟ ଅଦ୍ଭୁତ ଉନ୍ମାଦନା । କେବଳ ଅଯୋଧ୍ୟା ନୁହେଁ ବିଦେଶରେ ମଧ୍ୟ ରାମ ଭକ୍ତିରେ ଭିଜୁଛନ୍ତି ଲୋକେ, ଯାହାର ଅନେକ ନ ଛବି ଦେଖିବାକୁ ମିଳୁଛି । ପ୍ରାଣପ୍ରିୟ ଶ୍ରୀରାମଙ୍କ ପ୍ରତି ନିଜର ଭକ୍ତି ପ୍ରଦର୍ଶନ କରିବାକୁ ଲୋକେ ଭିନ୍ନ ଭିନ୍ନ ମାଧ୍ୟମ ଅବଲମ୍ବନ କରୁଛନ୍ତି । ତେବେ ଶ୍ରୀରାମଙ୍କ ଠାରୁ ତାଙ୍କ ନାମ ଶକ୍ତିଶାଳୀ ବୋଲି କୁହାଯାଇଛି । କିନ୍ତୁ ଆପଣ ଜାଣନ୍ତି କି? ଏଭଳି ଏକ ସମାଜ ରହିଛି ଯେଉଁଠି ଲୋକେ ନିଜ ଶରୀରକୁ ହିଁ ଶ୍ରୀରାମଙ୍କ ପବିତ୍ର ମନ୍ଦିର ବନାଇଛନ୍ତି । ନିଜର ମନ ସହ ଶରୀରକୁ ଶ୍ରୀରାମଙ୍କୁ ସମପଁରଣ କରି ଆଜନ୍ମ ବଞ୍ଚନ୍ତି । ଏଭଳି ସମ୍ପଦାୟ ହେଉଛି ‘ରାମନାମୀ’ ସମ୍ପ୍ରଦାୟ, ଯାହା ମଧ୍ୟପ୍ରଦେଶ, ଛତିଶଗଡ ଓ ଝାରଖଣ୍ଡରେ ବସବାସ କରନ୍ତି ।

ଏହି ସମ୍ପଦାୟର ଲୋକେ ନିଜର ପୁରା ଶରୀରରେ ଶ୍ରୀରାମ ନାମ କୁଟେଇଥାନ୍ତି । ରାମାବଳୀ ବସ୍ତ୍ର ମଧ୍ୟ ପିନ୍ଧନ୍ତି । ଏମାନେ କେବଳ ରାମଚରିତ ମାନସ ଓ ରାମାୟଣ ପୁରାଣକୁ ପୂଜା କରନ୍ତି । ଏହି ସମ୍ପଦାୟର ଲୋକେ ନା କେଉଁ ମନ୍ଦିରକୁ ଯାଆନ୍ତି ନା ଶ୍ରୀରାମଙ୍କ ପୂଜା କରନ୍ତି । କାରଣ ଏହି ସମ୍ପଦାୟର ମାନ୍ୟତା ଅନୁସାରେ, ଶ୍ରୀରାମ କୌଣସି ମନ୍ଦିର କିମ୍ବା ମୂର୍ତ୍ତିରେ ସୀମିତ ନାହାଁନ୍ତି । ସେ ପ୍ରତି ମନୁଷ୍ୟ, ପଶୁ ପକ୍ଷୀ, ବୃକ୍ଷଲତାରେ ଅଛନ୍ତି । ସବୁ ସୃଷ୍ଟିକୁ ସମ ଦୃଷ୍ଟିରେ ଦେଖିବା ଉଚିତ ।

‘ରାମନାମୀ ସମ୍ପ୍ରଦାୟ’ର ଉତ୍ପତ୍ତି:
ସମ୍ପ୍ରଦାୟର ଜଣେ ବୟୋବୃଦ୍ଧଙ୍କ କହିବା ଅନୁସାରେ, ଏହି ସମାଜର ଗଠନ ୧୮୯୦ରେ ହୋଇଥିଲା । ଏହା ପଛରେ ରହିଛି ଏକ କାରଣ । ଦଳିତ ହୋଇଥିବାରୁ ସେ ସମୟରେ ଏମାନଙ୍କୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରବେଶ କରିବାକୁ ଦିଆଯାଉନଥିଲା । ସବୁ ଧାର୍ମିକ କାର୍ଯ୍ୟ ପ୍ରତି କଟକଣା କରଯାଉଥିଲା । ତେଣୁ ସେତେବେଳର ଜଣେ ଦଳିତ ବ୍ୟକ୍ତି ପର୍ଶୁରାମ ଏହି ସମାଜର ଗଠନ ପାଇଁ ଆଗକୁ ବଢିଥିଲେ ।

ତାଙ୍କ କହିବା ଅନୁସାରେ ଈଶ୍ୱର ସବୁ ସ୍ଥାନରେ ସମସ୍ତଙ୍କ ଶରୀରରେ ଅଛନ୍ତି । ଶ୍ରୀରାମ ମନୁଷ୍ୟର ପ୍ରତି ଧମନୀରେ ରହିଛନ୍ତି । ତାଙ୍କୁ ଅନୁଭବ କରିବାକୁ ପଡିବ । ସକାଳୁ ଉଠିଲେ ରାମ ନାମ ଓ ମଣିଷର ଶେଷ ସମୟରେ ମଧ୍ୟ ରାମ ନାମ କୁହାଯାଏ । ତେଣୁ ଏହି ସମାଜ ସେବେଠୁ ନିଜ ମନପ୍ରାଣ, ଶରୀରକୁ ଶ୍ରୀରାମଙ୍କୁ ସମର୍ପିତ କରି ବଞ୍ଚିଆସୁଛନ୍ତି ।

ଏହି ସମାଜରେ ୩ ପ୍ରକାର ଲୋକ ରୁହନ୍ତି । କିଛି ଲୋକ ନିଜ ମଥାରେ ଦୁଇଥର ରାମ ନାମ ଲେଖାନ୍ତି ,ସେମାନଙ୍କୁ ଶିରୋମଣୀ କୁହାଯାଏ । କିଛି ନିଜର ସର୍ବାଙ୍ଗରେ ରାମନାମ କୁଟାନ୍ତି ସେମାନଙ୍କୁ ନଖ ଶିଖା ରାମନାମୀ କୁହାଯାଏ । ଆଉ କିଛି ଲୋକ ପୁରା ମଥାରେ ରାମ ନାମ ଲେଖାନ୍ତି ସେମାନଙ୍କୁ ସର୍ବାଙ୍ଗ ରାମନାମୀ କୁହାଯାଏ । ଏମାନେ ରାମଚରିତ ମାନସ ଓ ରାମାୟଣ ପାଠ କରିବା ସହ ରାମ ନାମକୁ ଆଶ୍ରା କରି ଜୀବନ ଅତିବାହିତ କରନ୍ତି ।