ଦେହସାରା ଖାଲି ରାମ ହିଁ ରାମ… ରାମ ନାଁରେ ସକାଳ ପାହେ, ରାମ ନାଁରେ ସଞ୍ଜ ସରେ… ଭାରତରେ ଏମିତି କିଛି ଗାଁ ଅଛି ଯେଉଁଠି ଲୋକେ ଦେହସାରା ଲେଖିଛନ୍ତି ଶ୍ରୀରାମ ଶ୍ରୀରାମ… ରାମ ମନ୍ଦିର ଭୂମି ପୂଜନ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ସଂପ୍ରଦାୟ ।

1,152

କନକ ବ୍ୟୁରୋ: ରାମମୟ ହୋଇ ଉଠିଛି ସାରା ଦେଶ । ପ୍ରଭୁ ରାମଙ୍କ ଭକ୍ତିର ଭାବସାଗରେ ବୁଡିଛି ସାରା ଭାରତ । ରାମଲାଲଙ୍କ ପାଇଁ ଅଯୋଧ୍ୟାରୁ ଆମେରିକା ଯେତେବେଳେ ରାମ ନାମ ଜପିଛି, ଭୂମିପୂଜା ପରେ ଦେଉଳ ପାଇଁ ଅପେକ୍ଷା କରିଛି ଠିକ ସେତିକି ବେଳେ ସାମ୍ନାକୁ ଆସିଛି ଏଭଳି ଏକ ସଂପ୍ରଦାୟର କାହାଣୀ । ଯେଉଁ ସଂପ୍ରଦାୟର ଲୋକେ ନିଜ ଜୀବନକୁ ରାମଙ୍କ ନାଁରେ ଲେଖି ଦେଇଛନ୍ତି । ନିଜ ଦେହର ତାଳୁରୁ ତଳିପା ଯାଏଁ ଶରୀରର ସବୁ ଅଙ୍ଗରେ ପ୍ରଭୁଙ୍କ ନାମ ଲେଖିଛନ୍ତି ।

ରାମ ନାମରୁ ଆରମ୍ଭ ହୁଏ ସକାଳ, ରାମ ନାମରେ ସଞ୍ଜ ସରେ । ରାମଙ୍କ ଭକ୍ତିରେ ଉବୁଟୁବୁ ଭକ୍ତ ତ ଅନେକ ମିଳିବେ ହେଲେ ନିଜ ଦେହରେ, ମନରେ, ଆତ୍ମାରେ ଆଉ ରକ୍ତରେ ରାମଙ୍କ ନାମ ଲେଖିଥିବା ଲୋକ ଖୁବ କମ୍ ମିଳିବେ । ଆଉ ଏସବୁ ଦୃଶ୍ୟ କେବଳ ରାମନାମୀ ସଂପ୍ରଦାୟର ଲୋକଙ୍କ କ୍ଷେତ୍ରରେ ହିଁ ଦେଖିବାକୁ ମିଳେ । ତେବେ ଛତିଶଗଡକୁ ମାତା କୌଶଲ୍ୟାଙ୍କ ଜନ୍ମସ୍ଥାନ କୁହାଯାଉଥିବା ବେଳେ ଛତିଶଗଡର ରାୟଗଡ, ଜଞ୍ଜଗିର, ଚାପା, ବିଲାସପୁର, ବୋଲଣ୍ଡବଜାର ଏବଂ ରାୟପୁର ଆଦି ୬ଟି ଜିଲ୍ଲାରେ ରାମ ନାମର ବହୁଳ ପ୍ରଚାର ଏବଂ ରାମଭକ୍ତ ରୁହନ୍ତି ।

ତେବେ କିମ୍ବଦନ୍ତୀ କୁହେ ପର୍ଶୁରାମ ଭରଦ୍ୱାଜ ନାମକ ଜଣେ ବ୍ୟକ୍ତିଙ୍କ ମଥାରେ ସ୍ଥାନୀୟ ଜମିଦାର ଜୋର ଜବରଦସ୍ତ ରାମ ନାମ ଚିତା କୁଟାଇ ଦେଇଥିଲେ । ବାସ୍ ତାପରେ ସେ ରାମ ନାମର ପ୍ରଚାର ପ୍ରସାର କରିବା ସହ ତାଙ୍କ ଠାରୁ ଆରମ୍ଭ ହୋଇଥିଲା ରାମନାମୀ ସଂପ୍ରଦାୟ । ତେବେ ୫ ପିଢି ପରେ ବି ଘୁଙ୍ଗୁର ବଜାଇ ଏବେବି ଲୋକେ ରାମ ନାମ ଜପି ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ।
ପୂର୍ବରୁ ଇଂରେଜ ଏବଂ ମୋଗଲମାନଙ୍କ ବାରମ୍ବାର ଆକ୍ରମଣ ଓ ଶାସନ ଚାଲୁଥିବାରୁ ମନ୍ଦିର ଭାଙ୍ଗି ଦେଉଥିବାର ନଜିର ରହିଛି ତେଣୁ ପ୍ରତିମୂର୍ତ୍ତୀ କିମ୍ବା ଫଟୋ ପୂଜାର ବିଶ୍ୱାସ କରନ୍ତିନି ରାମନାମ ସଂପ୍ରଦାୟର ଲୋକେ । ମନ୍ଦିର କିମ୍ବା ମୂର୍ତ୍ତି ସିନା ଭାଙ୍ଗି ଦେବେ ହେଲେ ଆତ୍ମରୁ ରାମଙ୍କୁ ଲିଭେଇ ପାରିବେନି, ସେଥିପାଇଁ ସମସ୍ତେ ନିଜ ଦେହରେ ରାମଙ୍କ ନାଁରେ ଚିତା କୁଡାଇଛନ୍ତି । ସେପଟେ ନୂଆପିଢି ଦେହରେ ଚିତା କୁଟାଇବାକୁ ସିନା ପସନ୍ଦ କରୁନାହାନ୍ତି ହେଲେ ସେମାନଙ୍କ ଆତ୍ମରେ ଲେଖା ରାମଙ୍କ ନାମ ।