କନକ ବ୍ୟୁରୋ : ଆଇପିଏଲର ଜବରଦସ୍ତ ସଫଳତା ପରେ ବିଶ୍ୱର ଅଧିକାଂଶ ଦେଶ ନିଜ ଦେଶରେ ଭିନ୍ନ ଭିନ୍ନ ଲିଗ୍ ଆରମ୍ଭ କରିଛନ୍ତି । ଏହି ଲିଗ୍ ଦ୍ୱାରା କେବଳ ଯେ କ୍ରିକେଟର କ୍ରେଜ ବଢୁଛି ତାହା ନୁହେଁ ବରଂ ବୋର୍ଡ ଗୁଡିକ ମଧ୍ୟ ଅଧିକରୁ ଅଧିକ ରେଭିନ୍ୟୁ ହାସଲ କରୁଛି । ଆଉ ଆଇପିଏଲକୁ ଦେଖି ପାକିସ୍ତାନ କ୍ରିକେଟ ବୋର୍ଡ ପିଏସଏଲ ମଧ୍ୟ ଆରମ୍ଭ କରିଛି । ପାକିସ୍ତାନରେ ପିଏସଲକୁ ନେଇ କ୍ରେଜ୍ ବଢୁଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ୍ ରମିଜ ରାଜା ଆଇପିଏଲକୁ ନେଇ ବଡ ବୟାନ ଦେଇଛନ୍ତି ।
ପାକିସ୍ତାନର ରେଭିନ୍ୟୁ ବଢାଇବା ପାଇଁ ପିଏସଏଲରେ ବଡ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ରମିଜ । ଏବେ ପିଏସଏଲ ଆୟୋଜନ ପାଇଁ ସ୍ପନସରସିପ ଓ ଆଇସିସି ଉପରେ ନିର୍ଭର କରୁଛି । କିନ୍ତୁ ପିଏସବି ଅଧିକ ରେଭିନ୍ୟୁ ପାଇଁ ଆଇପିଏଲ ମଡେଲକୁ ଆପଣାଇପାରେ । ଅଥାର୍ତ ଆଗାମୀ ସିଜିନରୁ ପିଏସଏଲ ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଏବେ ଫ୍ରାଞ୍ଚାଇଜ ମାନେ ଖେଳାଳୀଙ୍କୁ ଡ୍ରାଫ୍ଟ ଜରିଆରେ ନିଜ ଦଳରେ ସାମିଲ କରୁଛନ୍ତି । କିନ୍ତୁ ଆଗାମୀ ବର୍ଷରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବା ଦ୍ୱାରା ପିଏସଏଲର କ୍ରେଜ ଯଥେଷ୍ଟ ଅଧିକ ବଢିବ ।
ଆଉ ଏହାସହ ଆଇପିଏଲକୁ ଟାର୍ଗେଟ କରି ରମିଜ ରାଜା କହିଛନ୍ତି, ଏହା ଏବେ ଟଙ୍କାର ଖେଳ ହୋଇଯାଇଛି । ଯେତେବେଳେ ପିଏସଏଲ ମାଧ୍ୟମରେ ପାକିସ୍ତାନ କ୍ରିକେଟ ବୋର୍ଡର ଅର୍ଥବ୍ୟବସ୍ଥା ସୁଦୃଢ ହେବ ସେତେବେଳେ ବିଶ୍ୱରେ ଆମର ମଧ୍ୟ ସମ୍ମାନ ବଢିବ । ଯଦି ଆମେ ପିଏସଏଲକୁ ନିଲାମୀ ପ୍ରକ୍ରିୟାରେ ସାମିଲ କରିବା ସହ ଅଧିକ ଟଙ୍କାର ବଜେଟ ବ୍ୟୟବରାଦ କରିବା ତେବେ ଆଇପିଏଲ ଖେଳାଯାଉଥିବା ସମୟରେ ହିଁ ପିଏସଏଲ ଖେଳାଯିବ । ସେତେବେଳେ ଦେଖିବା କିଏ ପିଏସଏଲକୁ ଛାଡି ଆଇପିଏଲ ଖେଳିବାକୁ ଯିବ ।
ପିଏସଏଲ ଏବେ ସୁଦ୍ଧା ୭ମ ସଂସ୍କରଣ ଶେଷ କରିଛି । ଆଇପିଏଲରେ ପାକ୍ ଖେଳାଳୀଙ୍କ ଖେଳିବା ଉପରେ କଟକଣା ଲାଗିଥିବା ବେଳେ ନିଜ ଦେଶରେ ପିଏସଏଲ ଆରମ୍ଭ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଆଉ ପାକିସ୍ତାନରେ ମଧ୍ୟ ପିଏସଏଲର କ୍ରେଜ ଧୀରେ ଧୀରେ ବଢିବା ଆରମ୍ଭ ହୋଇଛି । କାରଣ ଏବେ ପିଏସଏଲରେ କିଛି ବିଦେଶୀ ଖେଳାଳୀ ମଧ୍ୟ ସାମିଲ ହୋଇଛନ୍ତି ।