ପାକିସ୍ତାନରେ ଦୁର୍ବିସହ ହେଉଛି ଆର୍ଥିକ ସଂକଟ, ଖର୍ଚ୍ଚ କାଟ କରିବାକୁ ପିସିବିକୁ ଏମିତି ନିର୍ଦ୍ଦେଶ ଦେଲେ ରମିଜ୍ ରାଜା

120

କନକ ବ୍ୟୁରୋ : ପାକିସ୍ତାନର ଆର୍ଥିକ ସଂକଟ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଧର୍ମ ଓ ଆତଙ୍କବାଦକୁ ଜାବୁଡି ଧରିଥିବା ପାକିସ୍ତାନ ଏବେ ପୁରା କାଙ୍ଗାଳ । ଏହାରି ଭିତରେ ଏକ ଖବର ଆପଣମାନଙ୍କୁ ଚକିତ କରିଦେବ । ଯେତେବେଳେ ସାରା ବିଶ୍ୱର କ୍ରିକେଟ ଖେଳାଳୀ ଓ କ୍ରିକେଟ ବୋର୍ଡ ଦଳର ଖେଳାଳୀ ଓ ଅନ୍ୟ କର୍ମଚାରୀଙ୍କୁ କୋଟି କୋଟି ଟଙ୍କା ଦରମା ଦେବା ସହ ବିଳାସ ବ୍ୟସନରେ ଜୀବନ ଅତିବାହିତ କରିବାର ସୁଯୋଗ ଦେଉଛି ସେତେବେଳେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତାର ଖେଳାଳୀଙ୍କ ସହ କର୍ମଚାରୀଙ୍କ ଚା ପିଇବା ଉପରେ ରୋକ ଲଗାଉଛି । ଏଥିରୁ ଅନୁମେୟ ଯେ କିଭଳି ଆର୍ଥିକ ସଂକଟରେ ରହିଛି ପାକିସ୍ତାନ ।

ରମିଜ୍ ରାଜା ପିସିବିର ଚେୟାରମ୍ୟାନ ପଦ ସମ୍ଭାଳିବା ପରେ ଅନେକ ଜିନିଷ ବଦଳାଇବାକୁ ଚେଷ୍ଟା କରିଛନ୍ତି । ପ୍ରଥମେ ନ୍ୟୁଜିଲାଣ୍ଡ ଓ ପରେ ଇଂଲଣ୍ଡର ପୁରୁଷ ଓ ମହିଳା କ୍ରିକେଟ ଟିମ୍ ପାକିସ୍ତାନ ଗସ୍ତ ରଦ୍ଦ କରିବାକୁ ନେଇ ରାଜାଙ୍କୁ ବଡ ଝଟକା ଲାଗିଥିଲା ଓ ସେ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଥିଲେ । ଅନ୍ୟପଟେ ଏବେ ଜଣାପଡିଛି ଯେ ରମିଜ ରାଜା ବୋର୍ଡର ଅଧିକାରୀ ଓ କର୍ମଚାରୀଙ୍କ ଖର୍ଚ୍ଚ କାଟ୍ କରି ପିସିବିର ବିକାଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରମିଜ୍ ରାଜା ବୋର୍ଡର ଅଧିକାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କହିଛନ୍ତି କି ଆମ ସ୍ଥିତିକୁ ନଜରରେ ରଖି କାମ କରିବାର ଅଛି, ଆମକୁ ବୋର୍ଡର ଖର୍ଚ୍ଚ କାଟ କରିବାକୁ ହେବ ବୋଲି ରମିଜ କହିବା ସହ କର୍ମଚାରୀଙ୍କ ପାଇଁ ଏକ ଗାଇଡ ଲାଇନ ଜାରି କରିଛନ୍ତି । ସେ କହିଛନ୍ତି କି କର୍ମଚାରୀମାନେ ଦୈନିକ ଦୁଇକପ୍ ଚା ପିଇବା ପରିବର୍ତ୍ତେ ୧ କପ ଚା ପିଅନ୍ତୁ , ଯଥା ସମ୍ଭବ ଏସିର ବ୍ୟବହାର କମ କରନ୍ତୁ । ଯେତେବେଳେ ଅଫିସରୁ ବାହାରକୁ ଯାଉଛନ୍ତି ରୁମର ଲାଇଟ ଓ ଫ୍ୟାନ ବନ୍ଦ କରନ୍ତୁ । କହିରଖୁ କି ରମିଜ୍ ରାଜାଙ୍କ ନିଯୁକ୍ତି ପରେ ପାକିସ୍ତାନ କ୍ରିକେଟରେ ଏକ ନୂଆ ଉତ୍ସାହ ଦେଖିବାକୁ ମିଳିଛି । ସେ ଅନ୍ୟମାନଙ୍କ ଠାରୁ ଭଲ କାମ କରିବାକୁ ପ୍ରୟାସ କରିଛନ୍ତି ।