ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରମେଶ । ସ୍ୱାମୀଙ୍କୁ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ସ୍ତ୍ରୀ ସ୍ମିତା । ଚିକିତ୍ସା ପାଇଁ ଲୋଡିଲେ ସହାୟତା ।

413

କନକ ବ୍ୟୁରୋ: ମହାମାରୀରେ କରୋନା ବାପାଙ୍କୁ ଛଡେଇ ନେଇଛି । ଏବେ ପୁଅ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଘରର ଜଣେ ପୁରୁଷ ଆରପାରିକୁ ଚାଲିଯିବା ପରେ ଆଉ ଜଣେ ଏବେ ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଆଉ ସ୍ୱାମୀଙ୍କୁ ସୁସ୍ଥ କରି ଡାକ୍ତରଖାନାକୁ ଘରକୁ ଫେରାଇ ଆଣିବା ପାଇଁ ସଂଘର୍ଷ କରୁଛନ୍ତି ସ୍ତ୍ରୀ ଓ ଭଉଣୀ । ଘରେ ପୁରୁଷ ନାହାନ୍ତି, କିନ୍ତୁ ଦୁଇ ଜଣ ମହିଳା ହାରି ନାହାନ୍ତି, ସାହାସର ସହ ପରିସ୍ଥିତିର ମୁକାବିଲା କରୁଛନ୍ତି । ଆଉ ସହାୟତା ପାଇଁ ନିବେଦନ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଂଚଳର ରମେଶ ସାହୁ ଗତ କିଛି ଦିନ ତଳେ କରୋନା ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଭଞ୍ଜନଗର ପରେ ଭୁବନେଶ୍ୱରରେ ଚିକିତ୍ସା କରାଯାଉଥିଲା । ହେଲେ ଦିନକୁ ଦିନ ରମେଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇସିଏମଓ ଚିକିତ୍ସାର ଆବଶ୍ୟକତା ପଡିଲା । ରମେଶଙ୍କ ସ୍ତ୍ରୀ ସ୍ମିତା ନିଜେ ଏୟାର ଆମ୍ବୁଲାନ୍ସ ଯୋଗାଡ କରି ୧୫ ଲକ୍ଷ ଟଙ୍କା ଦେଇ ସ୍ୱାମୀଙ୍କୁ କୋଲକାତା ନେଇଛନ୍ତି । ମେ ୧୮ ତାରିଖରୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ।

ରମେଶଙ୍କ ଫୁସଫୁସ ସଂକ୍ରମଣ ଅଧିକ ମାତ୍ରାରେ ହୋଇଥିବାରୁ କୋଲକାତାର ଆମ୍ରି ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି । ଇସିଏମ୍ଓ ଚିକିତ୍ସା ଜାରି ରହିଥିବା ବେଳେ ଆଗକୁ ଆହୁରି ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି ।  ପ୍ରତିଦିନ ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ ହେଉଛି ଆଉ ଏବେ ସୁଦ୍ଧା ୪୦ ଲକ୍ଷ ଟଙ୍କା ଖର୍ଚ ହୋଇ ସାରିଲାଣି । କିନ୍ତୁ ଏବେ ଆଉ ପାଖରେ ଅର୍ଥ ନାହିଁ, ତଥାପି ସାହାସ ହାରି ନାହାନ୍ତି ରମେଶଙ୍କ ପତ୍ମୀ ଓ ତାଙ୍କ ଭଉଣୀ । ଏଥିପାଇଁ କିଟୋ ପେଜରେ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି  ତାଙ୍କ ପତ୍ନୀ ସ୍ମିତା ନାୟାର ।

ରମେଶ ସାହୁ, ମହାରାଷ୍ଟ୍ରରେ ଚାକିରି କରି ପରିବାର ପ୍ରତିପୋଷଣ କରୁଥିଲେ । କୁନି ଝିଅ, ସ୍ତ୍ରୀ, ବାପା-ମାଆଙ୍କୁ ନେଇ ବେଶ ହସଖୁସି ଚାଲୁଥିଲା ତାଙ୍କ ସଂସାର । ଏହି ମହାମାରୀ ରମେଶଙ୍କ ପରିବାରକୁ ଅସହାୟତା ଭିତରକୁ ଠେଲି ଦେଇଛି । ଛୁଟି କାଟିବାକୁ ସ୍ତ୍ରୀ ଓ ୧୦ ବର୍ଷର ଝିଅ ସହ ଭଂଜନଗର ଆସିିଥିଲେ । ପୁଣି କର୍ମସ୍ଥଳକୁ ଫେରି ଯିବା ପାଇଁ ଟିକେଟ କରିଥିଲ । କିନ୍ତୁ ଯିବା ସମୟରେ ବାପା କାଳୁଚରଣ ସାହୁଙ୍କୁ ଜ୍ୱର ହେଲା, ସେ କରୋନାରେ ଆକ୍ରାନ୍ତ ହେଲେ । ବାପାଙ୍କ ସେବା କରୁ କରୁ କରୋନାରେ ଆକ୍ରାନ୍ତ ହେଲେ ରମେଶ । କିଛି ଦିନର ଚିକିତ୍ସା ପରେ ବାପା କାଳୁଚରଣ ସାହୁ ପ୍ରାଣ ହରାଇ ଥିବା ବେଳେ ରମେଣଙ୍କ ଅବସ୍ଥା ବର୍ତମାନ ଗୁରୁତର ରହିଛି ।

ତେବେ ଆପଣ ଯଦି ରମେଶଙ୍କ ପାଇଁ ସାହାଯ୍ୟର ହାତ ବଢାଇବାକୁ ଚାହୁଁଥାନ୍ତି ତେବେ ଆଇସିଆସିଆଇ ବ୍ୟାଙ୍କ ଆକାଉଂଟ ନମ୍ବର-୦୦୫୭୦୧୫୬୨୩୯୮,ଆଇଏଫସି କୋଡ-ଆଇସିଆଇସିଆଉ ୦୦୭୪୨୪ କିମ୍ବା ଗୁଗୁଲ ପେ ନମ୍ବର- ୯୭୬୮୩୦୨୬୬୩ ସହାୟତା କରିପାରିବେ ।