୧୭ରେ ଶତ୍ରୁ ୨୨ରେ ବନ୍ଧୁ: ଦଳ ପାଇଁ ଏକାଠି ଝାଳ ବୁହାଉଛନ୍ତି ରମେଶ ମାଝୀ ଓ ପ୍ରଦୀପ ମାଝୀ

176

କନକ ବ୍ୟୁରୋ: କାହା ଦଖଲ କୁ ଯିବ ନବରଙ୍ଗପୁର ଜିଲ୍ଲା ପରିଷଦ । ଯେଉଁ ପ୍ରସଙ୍ଗ କୁ ନେଇ ଯେତିକି ସରଗରମ ନବରଙ୍ଗପୁର ରାଜନୀତି ତା ଠାରୁ ଅଧିକ ଚର୍ଚ୍ଚା ବିଜେଡି ରେ ବୃଦ୍ଧି ହେବ କାହାର ପତିଆରା । ଦଳ ଭିତରେ ନିଜ ନିଜ ପତିଆରା ଜାହିର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ହେଭିବେଟ ନେତା ରମେଶ ମାଝୀ ଓ ପ୍ରଦୀପ ମାଝୀ ।ଏହା ଆମେ କହୁନୁ, କହୁଛନ୍ତି ବିରୋଧୀ, ବିଜେଡି ରେ ନିଜ ପତିଆରା ବୃଦ୍ଧି ପାଇଁ ପ୍ରଦୀପ ଓ ରମେଶ ଙ୍କ ଭୂମିକା କୁ ନେଇ ସବୁଠି ଚର୍ଚ୍ଚା । ବିଜେଡି ରେ ନିଜ ପତିଆରା ଜାହିର କରିବା ପାଇଁ ପ୍ରଦୀପ ସମସ୍ତ ନିଜ ଅନୁଗତ ଙ୍କୁ ନେଇ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ନବରଙ୍ଗପୁର ରାଜନୀତିରେ କିଏ ଦେଖେଇବ ପତିଆରା । ଏହି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡିବା ପରେ କୈାଣସି ନିର୍ବାଚନରେ ପ୍ରଥମ ଥର ପାଇଁ ଶଙ୍ଖ ଫୁଙ୍କିବାକୁ ବାହାରିଛନ୍ତି । ପାରମ୍ପାରିକ ପ୍ରତିଦ୍ୱନ୍ଦୀ ବର୍ତମାନର ସାଂସଦ ରମେଶ ମାଝୀ ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ବିଜେଡି ପାଇଁ ଟ୍ରମ୍ପକାର୍ଡ ରହିଆସିଛନ୍ତି । ତେଣୁ ପ୍ରଥମ ଇନିଂସରେ ପ୍ରଦୀପ ନିଜର ଭାବମୂର୍ତି ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଦୁଇ ଆଦିବାସୀ ଯୁବ ଚେହେରାଙ୍କ ଭିତରୁ କିଏ ହାଇକମାଣ୍ଡଙ୍କ ବିଶ୍ୱାସଭାଜନ ହୋଇପାରିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ୨୦୧୭ ପଂଚାୟତ ନିର୍ବାଚନରେ ପ୍ରଦୀପ ଉଭୟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ କଂଗ୍ରେସର ମଙ୍ଗ ସମ୍ଭାଳିଥିବା ବେଳେ ରମେଶ ମଧ୍ୟ ଏହି ଦୁଇ ଜିଲ୍ଲା ଦାୟିତ୍ୱ ନିର୍ବାହ କରିଥିଲେ । ତେଣୁ କାହା ଅନୁଗତଙ୍କୁ ଟିକେଟ ମିଳିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନରେ ରମେଶ ଓ ପ୍ରଦୀପ ପରଷ୍ପର ବିରୋଧରେ ଜବରଦସ୍ତ ଲଢେଇ ଲଢିଥିବା ବେଳେ ଏବେ ଦୁଇ ନେତାଙ୍କୁ ସହଯୋଗ କରିବାକୁ ଏକ ଟିମ ଗଠନ କରାଯାଇଛି । କିନ୍ତୁ ଜିଲ୍ଲାର ରାଇଘର ଆସନ ପୂର୍ବରୁ ବିଜେପି କବ୍ଚାରେ ରହିଆସିଥିବାରୁ ଏବେ ତାହାକୁ ଉଡାଇ ଆଣିବା ଦୁଇ ନେତାଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ୟସେପଟେ ଏହି ଦୁଇ ନେତାଙ୍କ ପତିଆରା ଲଢେଇରୁ ଫାଇଦା ନେବାକୁ ଚେଷ୍ଟା ଆରମ୍ଭ କରିଦେଇଛି କଂଗ୍ରେସ । ପ୍ରାର୍ଥୀ ଚୟନ ଓ ନାମାଙ୍କନ ପରେ ଅସନ୍ତୁଷ୍ଟ କର୍ମୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା କରାଇ ଭୋଟ ହାତେଇବାକୁ ଉଦ୍ୟମ ଆରମ୍ଭ କରିଦେଇଛି ।