ରାଜ୍ୟସଭା ରେସରେ ନିଜକୁ ସାମିଲ କଲେ ରମେଶ । କହିଲେ, ଏଥର ଯଦି ନବୀନ ଚାହିଁବେ ରାଜ୍ୟସଭା ପଠାଇବେ ।

250

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ବିଜେଡି ଶିବିର ବେଶ ଚଳଚଞ୍ଚଳ । କାରଣ ଖାଲି ପଡୁଥିବା ଆସନ ଗୁଡିକ ପୁଣିଥରେ ବିଜେଡି ଖାତାକୁ ଆସିବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ଆଉ ଏଭଳିସ୍ଥଳେ ଦିଲ୍ଲୀ ଯିବାକୁ ଆଶା ବାନ୍ଧିଥିବା ଦଳର କିଛି ନେତା ଏବେ ନିଜ ନିଜ ସ୍ତରରେ ଲବି ଆରମ୍ଭ କରିଛନ୍ତି । ଯେଉଁଥିରେ ଅନେକ ନୂଆ ମୁହଁ ଓ କିଛି ପୁରୁଣା ଚେହେରା ରହିଛନ୍ତି । ଆଉ ରାଜ୍ୟସଭା ଯିବାକୁ ଆଶାବାଦୀ ଥିବା ସେହିଭଳି ଜଣେ ଚେହେରା ହେଉଛନ୍ତି ବିଜେଡିର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।

ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି, ଗତ ୨୦୧୯ ନିର୍ବାଚନରେ ଟିକେଟ କଟିବା ପରେ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ମିଳିଥିଲା । ତେଣୁ ଏଥର ରାଜ୍ୟସଭା ପାଇଁ ଆଶା ରହିଛି । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି । ତେଣୁ ଯଦି ଏଥର ଚାହିଁବେ ତେବେ ରାଜ୍ୟସଭା ପଠାଇବେ ।

ଏହାଛଡା ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ସୂଚାରୁ ରୂପେ ତୁଲାଉଛି । ବିଜେଡି ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଛି । ବୟସ ଅଧିକ ହେଲେ ବି ମୁଁ ସବୁକିଛି କରିପାରୁଛି ଓ କରିପାରିବି । ସେ ମନୋବଳ ମୋର ରହିଛି । ଯଦି ବିଜେଡି ସୁପ୍ରିମୋ ମୋତେ ରାଜ୍ୟସଭା ପଠାନ୍ତି ତେବେ ରାଜ୍ୟର ଯାହା ସ୍ୱାର୍ଥ ଅଛି ତାହାକୁ ଉପସ୍ଥାପନ କରିବି । ଲୋକଙ୍କ ସେବା କରିବି ।

ରାଜ୍ୟସଭା ରେସରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାଁକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେବା ପଛର କାରଣ ହେଲା ପୌର ନିର୍ବାଚନରେ ଗଞ୍ଜାମରେ ବିଜେଡିକୁ ମିଳିଥିବା ସଫଳତା । ଜିଲ୍ଲା ବିଜେଡିର ସଭାପତି ଭାବେ ରମେଶଙ୍କ ଗୋଟିଚାଳନାରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା । ତେଣୁ ଦଳ ତାଙ୍କୁ ପୁରସ୍କାର ସ୍ୱରୂପ ଦିଲ୍ଲୀ ପଠାଇପାରେ ବୋଲି କୁହାଯାଉଛି ।