ବ୍ରହ୍ମପୁର ବିଜେଡିରୁ କିଏ ? ନବୀନ ନିବାସରେ ଦଳପତିଙ୍କୁ ଭେଟିଲେ ବ୍ରହ୍ମପୁର ବିଧାୟକ, କହିଲେ ସୁପ୍ରିମୋ ନେବେ ଶେଷ ନିଷ୍ପତି ।

142

କନକ ବ୍ୟୁରୋ: ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ଟିକେଟ ଆଶାୟୀ ରମେଶ ଚ୍ୟାଉପଟ୍ଟନାୟକ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲଢିବା ପାଇଁ ଆଶା ପ୍ରକଟ କରିଛନ୍ତି । ତେବେ ଏଥର ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ଲଢ଼ିବା ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗି ରହିଥିବାବେଳେ ରମେଶ ସବୁକିଛି ଦଳର ସୁପ୍ରିମୋଙ୍କ ଉପରେ ଛାଡ଼ିଦେଇଛନ୍ତି ବୋଲି କହିଛନ୍ତି । ଏପରିକି ଯଦି ନବୀନ ଟିକେଟ ଦେବେ ତେବେ ଲଢିବି ନଚେତ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ କାମ କରିବି ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ।

ବିଜେଡି ଜନ୍ମ ହେବା ପରଠାରୁ ଏହି ବିଧାନସଭା କ୍ଷେତ୍ରକୁ ଦଳ ପାଇଁ ସୁରକ୍ଷିତ ଭାବେ ବଜାୟ ରଖିଛନ୍ତି ରମେଶ । ତେବେ ଏଥର ଦଳରୁ ଟିକେଟ୍ ନମିଳିଲେ ଅନ୍ୟ କେଉଁ ଦଳକୁ ଯିବି ନାହିଁ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ରମେଶ । କାରଣ ଅନ୍ୟଦଳ କଥା ଉଠିଲେ ବିଜୁ ପରିବାର ସଦସ୍ୟ କେବେ ବି ଏହାକୁ ଗ୍ରହଣ କରିପାରିବେ ନାହିଁ ବୋଲି ରୋକ ଠୋକ୍ କହିଛନ୍ତି ବ୍ରହ୍ମପୁର ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।

ଅନ୍ୟପଟେ ଆସନ୍ତାକାଲି ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ବିଜେଡି ଶିବିରରେ ଚର୍ଚ୍ଚା ହେଉଛି । ତେବେ ଏପ୍ରିଲ ୧୧ ତାରିଖରେ ହେବାକୁଥିବା ୪ଟି ଲୋକସଭା କ୍ଷେତ୍ର ମଧ୍ୟରେ ରହିଛି ୨୮ଟି ବିଧାନସଭା କ୍ଷେତ୍ର । ଯେଉଁଥିରେ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ କିଏ ପ୍ରାର୍ଥୀ ହେବ ତାହା ଉପରୁ ମଧ୍ୟ ପରଦା ଉଠାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୋଲି ଆଲୋଚନା ହେଉଛି ।