ଚୀନକୁ ନଯାଉ ଗୋଟିଏ ଟଙ୍କା । ଚୀନକୁ ଚକମା ଦେବାକୁ ରାମଦେବଙ୍କ ‘ରାମବାଣ’ । ଚାଇନା ସାମଗ୍ରୀ ବର୍ଜନ କର, ଚୀନକୁ ପରାସ୍ତ କର । ନିଜ ଚକ୍ରବ୍ୟୁହରେ ଫସି ଚିତପଟାଙ୍ଗ ମାରିବ ଚୀନ୍ ।

2,499

କନକ ବ୍ୟୁରୋ: ଭାରତର-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଚୀନକୁ ଚକମା ଦେବାକୁ ରାମଦେବ ଛାଡିଛନ୍ତି ‘ରାମବାଣ’ । ଚତୁର ଚୀନକୁ କଡା ଜବାବ ଦେବାକୁ ବଡ ଆହ୍ୱାନ ଦେଇଛନ୍ତି ଯୋଗଗୁରୁ । ସାମଗ୍ରୀ ବହିସ୍କାର କର, ଚୀନକୁ ପରାସ୍ତ କର । ମୁହଁତୋଡ ଜବାବ ପାଇଁ ଚୀନ ସାମଗ୍ରୀ ବର୍ଜନ ହିଁ ଏକମାତ୍ର ମାଧ୍ୟମ ବୋଲି ରାମଦେବ କହିଛନ୍ତି ।

ସୀମାରେ ଡ୍ରାଗନ ସେନାକୁ ମାତ ଦେବାକୁ ଭାରତୀୟ ସେନା ସକ୍ଷମ ଅଛନ୍ତି । ଦେଶକୁ ସୁରକ୍ଷା ଦେବାକୁ ଯବାନମାନେ ସଜାଗ ରହିଛନ୍ତି ସତ କିନ୍ତୁ ଅସ୍ତ୍ରଶସ୍ତ୍ର ଅପେକ୍ଷା ଆମେ ଯଦି ସାମଗ୍ରୀ ବର୍ଜନକୁ ବ୍ରହ୍ମାସ୍ତ୍ର କରନ୍ତେ ତେବେ ଚୀନ ଚିତ୍ ହୋଇ ପଡନ୍ତା । କାରଣ ଭାରତରୁ ଚୀନ ପାଖାପାଖି ୧୫ରୁ ୨୦ ଲକ୍ଷ କୋଟି ଟଙ୍କାର କାରବାର କରୁଛି । ଘରର ଛୁଞ୍ଚି ଠାରୁ ଆରମ୍ଭ କରି ଛତା ପର୍ଯ୍ୟନ୍ତ, ମୋବାଇଲ ଠାରୁ ଆରମ୍ଭ କରି ଖେଳନା ପର୍ଯ୍ୟନ୍ତ ଚାଇନା ସାମଗ୍ରୀର ବ୍ୟବସାୟ ହେଉଛି । ଯଦି ସେସବୁ ସାମଗ୍ରୀକୁ ଦେଶବାସୀ ବିରୋଧ କରନ୍ତେ, ବର୍ଜନ କରିବାକୁ ସଂକଳ୍ପ ନିଅନ୍ତେ ତେବେ ଚାଇନା ଆର୍ଥିକ ସଂକଟ ଦେଇ ଗତିକରନ୍ତା ଆଉ ଧିରେଧିରେ ଦୁର୍ବଳ ହୋଇଯାନ୍ତା ବୋଲି ରାମଦେବ କହିଛନ୍ତି ।

 

ବିଗତ ୩ ଦଶନ୍ଧି ଧରି ରାମଦେବ ଚୀନ ସାମଗ୍ରୀ ବର୍ଜନ କରିଆସିଛନ୍ତି । ଜବାହର ଲାଲ ନେହେରୁଙ୍କ ସମୟରେ ଭାରତ-ଚୀନ ଭାଇ ଭାଇର ନାରା ଦେଇ ଲୁଟି ଚାଲିଛି ଚୀନ । ତେବେ ଏହା ହିଁ ପ୍ରକୃତ ସମୟ ଚୀନକୁ ପାନେ ଚଖେଇବାକୁ । ଘରୁ ଘରୁ ଲୋକେ ସାମଗ୍ରୀକୁ ଛି ଛି କଲେ ଚୀନ ବଳେ ବାଟକୁ ଆସିବ ବୋଲି ଦେଶବାସୀଙ୍କୁ ରାମଦେବ ଆହ୍ୱାନ ଦେଇ ସଂକଳ୍ପ ନେବାକୁ କହିଛନ୍ତି ।

ତେବେ ବିଦେଶୀ ସାମଗ୍ରୀକୁ ବର୍ଜନ କରି ସ୍ୱଦେଶୀ ସାମଗ୍ରୀ ଗ୍ରହଣ କଲେ ଚୀନର ଚେତାପଶିବ । ପତଞ୍ଜଳୀ ଭଳି ଯଦି ଦେଶରେ ସ୍ୱଦେଶୀ ସାମଗ୍ରୀ ତିଆରି ପାଇଁ ଅନେକ କମ୍ପାନୀ ଗଢି ଉଠିବ ତେବେ ଚୀନ ସାମଗ୍ରୀକୁ ଲୋକେ ଆଉ ପସନ୍ଦ କରିବେ ନାହିଁ । ସେପଟେ ଚୀନକୁ ଆର୍ଥିକ ଲଢେଇରେ ପରାସ୍ତ କରିବା ପାଇଁ ସରକାରଙ୍କୁ ୩ଟି ଅସ୍ତ୍ର ଦେଇଛନ୍ତି ରାମଦେବ । ରାମଦେବ କହିଛନ୍ତି, ଯଦି ଚୀନକୁ ଟକ୍କର ଦେବାକୁ ଭାରତରେ କେହି କମ୍ପାନୀ ସ୍ୱଦେଶୀ ସାମଗ୍ରୀ ତିଆରି କରିବାକୁ ଚାହୁଁଛି ତେବେ ସରକାର ତାକୁ ଅନୁମତି ଦିଅନ୍ତୁ ଆଉ କିିଛି ଛାଡ କରନ୍ତୁ । ସେହିପରି ଚୀନରୁ ଆସୁଥିବା ସାମଗ୍ରୀ ଉପରେ ସରକାର ଏମିତି ଟିକସ ଲଗାନ୍ତୁ ଯେମିତି ଲୋକେ ଉକ୍ତ ଜିନିଷକୁ କିଣିବା ଆଗରୁ ଶହେ ଥର ଭାବିବେ । ତେବେ ଦେଶରେ ସରକାର ସ୍ୱଦେଶୀ ସାମଗ୍ରୀ ଉତ୍ପାଦନର ମାହୋଲ ତିଆରି କଲେ ଲୋକେ ବିଦେଶୀକୁ ଭୁଲି ଦେଶୀ ସାମଗ୍ରୀକୁ ଆପଣେଇବେ ଯାହା ଚୀନ ଭଳି ଦେଶକୁ ଚେକ ଦେବାରେ ବଡ ଭୁମିକା ଗ୍ରହଣ କରିବ ।