କାହାର ସାହସ ନାହିଁ ଆମକୁ ଅଟକାଇ ଦେବ ! ମହାନଦୀ ପ୍ରସଙ୍ଗରେ ନବୀନଙ୍କୁ ନାଲିଆଖି ଦେଖାଇଲେ ରମଣ

47

କନକ ବ୍ୟୁରୋ : ମହାନଦୀକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଖୋଲା ଚ୍ୟାଲେଞ୍ଜ । ଛତିଶଗଡ଼ କାମକୁ କେହି ଅଟକାଇ ପାରିବେ ନାହିଁ । ଏପରିକି ମହାନଦୀର ପାଣିକୁ ବ୍ୟବହାର କରିବାକୁ ଛତିଶଗଡ଼କୁ କେହି ଅଟକାଇ ପାରିବେ ନାହିଁ । ସାମ୍ବାଦିକ ସମ୍ମିଳନୀରେ ଏଭଳି ଦୃଢ଼ୋକ୍ତି ଦେଖାଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ଆମର ଯେତିକି ଦରକାର ତାହା ଉପଯୋଗ କରିସାରିଛୁ । ଆହୁରି ଅଧିକ ଉପଯୋଗ କରିବାର ଆବଶ୍ୟକ ରହିଛି ଓ ଏଥିପାଇଁ କୌଣସି କେନ୍ଦ୍ରୀୟ ଜଳ ଆୟୋଗ ଆମକୁ ଅଟକାଇ ପାରିବେନି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ରମଣ ଏଭଳି ନାଲିଆଖି କାହା ସାହସରେ ଦେଖାଉଛନ୍ତି । ରମଣଙ୍କୁ ସାହାସ ଦେଉଛି କିଏ । ନା ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରମଣ ସିଂହ ମହାନଦୀ ପାଣିକୁ ନେଇ ରାଜନୀତି କରୁଛନ୍ତି । ଗୋଟିଏ ପଟେ ମହାନଦୀକୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ମହାସଂଗ୍ରାମ ଆରମ୍ଭ କରିଥିବା ବେଳେ ରମଣ ସିଂହଙ୍କ ଏଭଳି ବୟାନ ଏବେ ରାଜନୀତିକୁ ଉଷ୍ମ କରିଛି । ଏହାସହ ଦୁଇ ରାଜ୍ୟ ମଧ୍ୟରେ ବିବାଦର ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ରମଣ ।

MAHANADI WEB_00000ସବୁଠୁ ବଡ଼ କଥା ହେଲା କଟକ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ମହାନଦୀ ବିବାଦ ପାଇଁ ରାଜ୍ୟ ସରକାରଙ୍କ ଉପରେ ସମସ୍ତ ଦୋଷ ଲଦି ଦେଇଥିଲେ । ଏପରିକି ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବେଳେ ରାଜ୍ୟ ପଛଘୁଞ୍ଚା ଦେଉଛି ବୋଲି ମୋଦି ଜୋର ଦେଇ କହିଥିଲେ । କିନ୍ତୁ ଛତିଶଗଡ଼ର ନିର୍ମାଣଧୀନ ପ୍ରକଳ୍ପ ଉପରେ ପଦୁଟିଏ ମଧ୍ୟ କହିନଥିଲେ । ଯାହା ଛତିଶଗଡ଼ ଓ ଓଡ଼ିଶା ପ୍ରତି କେନ୍ଦ୍ରର ଥିବା ମନୋଭାବକୁ ସ୍ପଷ୍ଟ ଦର୍ଶାଇଥିଲା । ଏହାଛଡ଼ା ମହାନଦୀ ପ୍ରସଙ୍ଗରେ କଟକରେ ଓଡିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ ବୋଲି ମଧ୍ୟ ରମଣ କହିଛନ୍ତି । ଯାହ ଦର୍ଶାଉଛି ମୋଦିଙ୍କ ଭାଷଣରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି । ଆଉ ଏଭଳି ବିବାଦୀୟ ବୟାନ ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି ।

mahanadi riverଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ମହାନଦୀକୁ ମାରି ଦେବାକୁ ରମଣ ସିଂହ ଦୀର୍ଘ ଦିନ ହେଲା ଭୟଙ୍କର ଷଡ଼ଯନ୍ତ୍ର ରଚୁଛନ୍ତି । । ଯେପରି ଓଡ଼ିଶାରେ ପ୍ରବାହିତ ହେଉଥିବା ମହାନଦୀକୁ ପାଣି ନ ଆସିବ ସେଥିପାଇଁ ଉପରମୁଣ୍ଡରେ ୨ ଶହରୁ ଅଧିକ ବଡ଼ ବଡ଼ ଡ଼୍ୟାମ ନିର୍ମାଣ କରୁଛନ୍ତି ରମଣ ସରକାର । ଏହି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଓଡ଼ିଶା ସରକାର ବାରମ୍ବାର ଦାବି କରୁଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ଯେମିତି ଏଥିପାଇଁ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇଛନ୍ତି । ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାର ନାଁ ଧରୁନାହିଁ କେନ୍ଦ୍ର ସରକାର । ଆଉ ଏଭଳି ସମୟରେ ଛତିଶଗଡର ଏକପାଖିଆ କାମକୁ ବିରୋଧ କରି ଓଡିଶା ସରକାର ଗୋଟିଏ ପଟେ ନ୍ୟାୟିକ ଲଢେଇ କରୁଥିବାବେଳେ ଅନ୍ୟପଟେ ଜନଆନ୍ଦୋଳନକୁ ଜୋରଦାର କରିଛନ୍ତି । ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ବୁଲିଛି ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ । ହେଲେ ଏହାକୁ ରାଜନୈତିକ ଭେଳିକି କହି ରମଣ ସିଂ ଯେଉଁ ବୟାନ ରଖିଛନ୍ତି ସେଥିରୁ ବାରି ହୋଇପଡୁଛି ଯେ, ପରୋକ୍ଷରେ ବିଜେଡି ଏବଂ ଓଡିଶା ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

MAHANADI WATERଏଭଳି ଖୋଲା ଚ୍ୟାଲେଞ୍ଜ ଦେବା ସହିତ ଓଡିଶା ସରକାରଙ୍କୁ ସମାଲୋଚନା କରିଛନ୍ତି ରମଣ । କହିଛନ୍ତି କେବଳ ନିର୍ବାଚନ ସମୟ ଆସିଲେ ଓଡିଶାରେ ଏହି ପ୍ରସଙ୍ଗ ଉଠେ । ମହାନଦୀ ପ୍ରସଙ୍ଗ ଉଠାଇ କେବଳ ଏହାର ଫାଇଦା ନେବାକୁ ଚାହୁଁଛନ୍ତି ନବୀନ ସରକାର । ପୂର୍ବରୁ ମଧ୍ୟ ବିଜେଡି ମହାନଦୀ ପ୍ରସଙ୍ଗରେ ଆନ୍ଦୋଳନ କରିଥିଲା । ତେବେ ମହାନଦୀକୁ ନେଇ ରମଣଙ୍କ ଏଭଳି ଦାଦାଗିରିକୁ କଡ଼ା ସମାଲୋଚନା କରିଛି ବିଜେଡ଼ି । ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାନଦୀ ଉପରେ ଛତିଶଗଡ଼ର ଯେତିକି ଅଧିକାର ଅଛି ଓଡ଼ିଶାର ମଧ୍ୟ ସେତିକି ଅଧିକାର ରହିଛି । ମହାନଦୀ ଜଳକୁ ନେଇ ଛତିଶଗଡ଼ ଏଭଳି ଦାଦାଗିରି କରି ପାରିବ ନାହିଁ । ଓଡ଼ିଶାର ୪.୫ କୋଟି ଲୋକଙ୍କର ଅଧିକାର ମହାନଦୀ ଉପରେ ଅଛି ଏଥିରୁ ଆମକୁ କେହି ବଞ୍ଚି ତ କରି ପାରିବେ ନାହିଁ । ଏପରିକି ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶାର ଜନସାଧାରଣ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ । ମହାନଦୀକୁ ଛତିଶଗଡ଼ର ବନ୍ଦୀଶାଳରୁ ମୁକ୍ତି ନ ଦେବା ପର୍ଯ୍ୟନ୍ତ ବିଜେଡ଼ି ଲଢ଼େଇ ଜାରି ରଖିବ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

no water in mahanadiସେହିଭଳି ମହାନଦୀକୁ ନେଇ ରମଣ ସିଂହଙ୍କ ବୟାନକୁ କଡ଼ା ନିନ୍ଦା କରିଛନ୍ତି ବିଜୟ ମହାପାତ୍ର । ବିଜୟ ମହାପାତ୍ର କହିଛନ୍ତି ନଦୀ ଉପରେ କୋ÷ଣସି ସରକାର ଅଧିକାର ସାବ୍ୟସ୍ତ କରିବା ଉଚିତ୍ ନୁହେଁ । ଏନେଇ ସୁପ୍ରିମକୋର୍ଟ ପୂର୍ବରୁ ରାୟ ଦେଇ ସାରିଛନ୍ତି । କିନ୍ତୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହା ସୁପ୍ରିମକୋର୍ଟଙ୍କ ବିରୋଧଚରଣ କରୁଛି । ମହାନଦୀ ଉପରେ ଛତିଶଗଡର ଯେତିକି ଅଧିକାର ଅଛି ଓଡିଶାର ମଧ୍ୟ ସେତିକି ଅଧିକାର ରହିଛି । ତେବେ ରମଣ ସିଂ ସବୁବେଳେ ଓଡିଶା ବିରୋଧରେ ଷଡ଼ଯନ୍ତ୍ର କରି ଆସିଛନ୍ତି । ବେଆଇନ ଭାବେ ମହାନଦୀର ପାଣିକୁ ଅଟକାଇ ରଖିଛନ୍ତି । ତେଣୁ ତାଙ୍କର ଏଭଳି କହିବାର କୌଣସି ନୈତିକ ଅଧିକାର ନାହିଁ ।

ତେବେ ରମଣ ସିଂହଙ୍କ ବୟାନକୁ ନେଇ ରାଜ୍ୟ ବିଜେପି କହିଛି ମହାନଦୀ ପ୍ରସଙ୍ଗ ଏବେ ଟ୍ରିବ୍ୟୁନାଲରେ ବିଚାରଧିନ ଅଛି । ତେଣୁ ଏଥିରେ କିଛି କହିବାର ନାହିଁ । ଯାହା ନିଷ୍ପତି ହେବ ଟ୍ରିବ୍ୟୁନାଲରେ ହେବ ଏଥିପାଇଁ ରାଜ୍ୟ ସରକାର ନଥିପତ୍ର ନେଇ ଯାଆନ୍ତୁ । କିନ୍ତୁ ପ୍ରଶ୍ନ ଉଠୁଛି ଟ୍ରିବ୍ୟୁନାଲରେ ଏହି ମାମଲା ଥିବା ବେଳେ ରମଣ କିପରି ମହାନଦୀ ଉପରେ ଏକଚାଟିଆ ଅଧିକାର ଜାହିର କରୁଛନ୍ତି ।