କରୋନା କାଳରେ ଲକଡାଉନ, ସଟଡାଉନ ସହ ରୋଗୀ ସମସ୍ୟାର କରୁଣ କାହାଣୀ କହିଲେ କୋରାପୁଟର ରମଣ । ଗୋଟିଏ ଗୀତରେ ଗରିବ, ଖଟିଖିଆର କଥା…

289

କନକ ବ୍ୟୁରୋ: କରୋନା ପାଇଁ ରମଣଙ୍କ ରାପ୍ । ପୁଣି ଚର୍ଚ୍ଚାକେ ରାପ୍ ବୟ ରମଣ । ଯେତେବେଳେ କରୋନା ପାଇଁ ଗରିବ, ଖଟିଖିଆ, ଦିନ ମଜୁରିଆଙ୍କ ପେଟରେ ତାଲାପଡିଲା । ଆଉ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇପଡିଲା ଠିକ ସେତେବେଳେ ରମଣ ଗାଇଲେ ପ୍ରତିବାଦର ଗୀତ । ଗରିବର ଗୀତ ଗାଇ, ଶ୍ରମିକର ସ୍ୱର ସାଜି ସରକାରଙ୍କ କାନରେ ପକାଇଲେ କୋରାପୁଟର ଯୁବକ ରମଣ କୁମାର…

କୋରାପୁଟ ସିମିଳିଗୁଡାର ଇଞ୍ଜିନିୟରିଂ ଛାତ୍ର ରମଣ କୁମାର, ରାପର ରକି ଆରକେ ଭାବେ ସୋସିଆଲ ମିଡିଆରେ ବେଶ ଜଣାଶୁଣା । ବିଭିନ୍ନ ସମସ୍ୟାକୁ, ହକ ପାଇଁ ଉପୁଜିଥିବା ବିବାଦକୁ ନେଇ ରାପ କରୁଥିବା ରମଣ ଏବେ କରୋନା ବେଳେ ଲୋକେ କେମିତି ହଇରାଣ ହେଉଛନ୍ତି ଏବଂ ସଂକ୍ରମଣର ଏ ସଙ୍କଟ ବେଳେ କେମିତି ଅକ୍ସିଜେନ ଠୁ ବେଡର ଅଭାବ ରହୁଛି ତା ଉପରେ ରାପ କରିଛନ୍ତି ।

ଓଡିଶା, ହିନ୍ଦୀ, ଇଂରାଜୀ ଓ କୋରାପୁଟିଆ ଭାଷାରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ରାପ କରିଛନ୍ତି ରମଣ । ଯେତେବେଳେ ସିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିଲା ସେତେବେଳେ ଜଙ୍ଗଲ ସୁରକ୍ଷା ପାଇଁ ସେ ଏକ ସଚେତନତା ଧର୍ମୀ ଭିଡିଓ କରିଥିଲେ । ଖାଲି ସେତିକି ନୁହେଁ କୋଟିଆ ବିବାଦକୁ ନେଇ ବି ଆନ୍ଧ୍ର- ଓଡିଶା କାହାଣୀ କହିଥିଲେ ରମଣ ।

ଓଡିଆ ପରମ୍ପରା, ଓଡିଶାର ଗାଥା ଗୌରବକୁ ନେଇ ରାପ କରୁଥିବା ରମଣ କରୋନା ଯୋଦ୍ଧାଙ୍କ ସହ ଏବେ କରୋନାରେ ସମସ୍ୟା ଭୋଗୁଥିବା ପ୍ରତିଟି ଜୀବନର ଜଳଛବିକୁ ନିଜ ରାପରେ ସ୍ଥାନିତ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।