ଉପ-ନିର୍ବାଚନ ପୂର୍ବରୁ ତିର୍ତ୍ତୋଲରେ ଜୋରଧରିଲା ଦଳଡିଆଁ ରାଜନୀତି । ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ, କଂଗ୍ରେସ ଭୋଟକୁ ଭାଗ କରିବା ପାଇଁ ବିଜେଡି ଓ ବିଜେପିର ଉଦ୍ୟମ ।

739

କନକ ବ୍ୟୁରୋ : ନିର୍ବାଚନ ଆସିଲେ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ଆରମ୍ଭ ହୋଇଯାଏ । କର୍ମୀଙ୍କଠାରୁ ଆରମ୍ଭ କରି ନେତାଙ୍କ ଯାଏଁ ହୋଇପଡନ୍ତି ଚଳଚଞ୍ଚଳ । ଠିକ୍ ସେହିଭଳି ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଦଳଡିଆଁ ରାଜନୀତି । ପୂର୍ବ ଦୁଇଟି ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ଆଜି ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ।

ମୁଣ୍ଡ ଉପରେ ତିର୍ତ୍ତୋଲ ଉପ ନିର୍ବାଚନ । ଆଉ ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ଦଳ ଡିଆଁ ପର୍ବ । ୨୦୧୯ ନିର୍ବାଚନରେ ବିଜେପିର ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ଥିବା ଡକ୍ଟର ରମାକାନ୍ତ ଭୋଇ ବିଜେପିକୁ ବାଏ ବାଏ କରିଛନ୍ତି । ରମାକାନ୍ତଙ୍କ ଅଭିଯୋଗ ହେଲା ଦଳରେ ତାଙ୍କୁ ଅଣଦେଖା କରାଯାଇଛି । ୨୦୧୯ ନିର୍ବାଚନରେ ଏହି ଆସନରୁ ଲଢି ୫୩ ହଜାର ଭୋଟ ପାଇଥିଲେ ରମାକାନ୍ତ । ୨୦୧୪ରେ ବି ଏହି ଆସନରୁ ଦଳୀୟ ଟିକେଟରେ ଲଢିଥିଲେ । ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି ରମାକାନ୍ତ ।

ସେପଟେ ବିଜେଡି ଓ ବିଜେପି କଂଗ୍ରେସ ଭୋଟକୁ ଭାଗ ଭାଗ କରିବା ପାଇଁ ଉଦ୍ୟମ କରୁଛନ୍ତି । ଜଣଙ୍କ ପରେ ଜଣେ ପୁରୁଖା ନେତା କଂଗ୍ରେସ ଛାଡି ବିଜେଡି ଏବଂ ବିଜେପି ମୁହାଁ ହୋଇଛନ୍ତି । ୨ ସପ୍ତାହ ତଳେ ୨୦୦୯ ଏବଂ ୨୦୧୪ରେ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା ବିଜେପିରେ ମିଶିଥିବା ବେଳେ ପୂର୍ବତନ ବିଧାୟକ କୈଳାସ ମଲ୍ଲିକ ଦଳ ଛାଡିଥିଲେ । ଗତକାଲି ପିସିସି ଅନୁସୂଚିତ ସେଲ ଆବାହକ ଦେବେନ୍ଦ୍ର ମଲ୍ଲିକ ଏବଂ ପୂର୍ବତନ ପିସିସି ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ସମେତ ଶତାଧିକ କର୍ମୀ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ସେହିପରି ବିରିଛି ଓ ରଘୁନାଥପୁରର କଂଗ୍ରେସ କର୍ମୀ ବିଜେପିରେ ମିଶିଛନ୍ତି । ଯାହାକୁ ନେଇ କଂଗ୍ରେସର ଚିନ୍ତା ବଢିଛି ।

ସମୟ ଥିଲା ଯେତେବେଳେ କଂଗ୍ରେସର ଗଡ ଥିଲା ତିର୍ତ୍ତୋଲ । ପ୍ରତିନିଧିତ୍ୱ କରୁଥିଲେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ । ୧୯୮୦ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଲଗାତାର କଂଗ୍ରେସ ଜିତିଥିଲା । ୨୦୦୦ରେ ବିଜେଡି ଏବଂ ୨୦୦୪ରେ ଚିରଞ୍ଜିବୀ ବିଶ୍ୱାଳ ପୁଣି କଂଗ୍ରେସକୁ ଜିତାଇଥିଲେ । କିନ୍ତୁ ୨୦୦୯ରେ ତିର୍ତୋଲ ଆସନ ସଂରକ୍ଷିତ ହେବା ପରେ କ୍ରମାଗତ ଭାବେ ବିଜେଡି ଜିତିଆସୁଛି । ଆଉ ଏବେ କଂଗ୍ରେସ ଛାଡି ପୁରୁଖା ନେତା ବିଜେଡି ଏବଂ ବିଜେପିରେ ସାମିଲ ହେବା ଦ୍ୱାରା ବର୍ଷ ବର୍ଷର ଭୋଟ ବ୍ୟାଙ୍କ ଭାଗ ଭାଗ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।