ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ବାଜିଲା ନିର୍ବାଚନୀ ବିଗୁଲ! ସଭାପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କଲା ଏବିଭିପି

Advertisment
ରମାଦେବୀ  ମହିଳା ବିଶ୍ୱ ବିଦ୍ୟାଳୟରେ ବାଜିଲା ନିର୍ବାଚନୀ ବିଗୁଲ! ସଭାପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କଲା ଏବିଭିପି

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ବିଭିନ୍ନ କଲେଜ କ୍ୟାମ୍ପସ ଏବେ ସରଗରମ । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ କଲେଜରେ ଏବେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳୁଛି । ଏସବୁ ଭିତରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନିର୍ବାଚନୀ ବିଗୁଲ ବାଜିଛି । ପୂର୍ବରୁ ଛାତ୍ର ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏବେ ଋଣାଙ୍ଗନକୁ ଓହ୍ଲାଇଛି ଏବିଭିପି । ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ସଭାପତି ଓ ସଂପାଦିକା ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସଭାପତି ପ୍ରାର୍ଥୀ ଭାବେ ପିଜି ଛାତ୍ରୀ ତନ୍ମୟୀ ହୋତା ଓ ସାଧାରଣ ସଂପାଦକ ପଦ ପାଇଁ ସ୍ୱପ୍ନା ସମର୍ଥାଙ୍କୁ ପ୍ରାର୍ଥୀ କରିଛି ଏବିଭିପି ।

ତେବେ ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ବିଜେଡି ଏଠାରେ ଆଗୁଆ ରହିଛି । ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର କିଛିଦିନ ମଧ୍ୟରେ ବିଜେଡି ଏଠାରେ ପିଜି ଛାତ୍ରୀ ସୋଭାଗ୍ୟ ସୋମ୍ୟାଶ୍ରୀ ସାମଲଙ୍କୁ ସଭାପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ପ୍ରାର୍ଥୀ ଘୋଷଣା ସଙ୍ଗେ ସଙ୍ଗେ ଆରମ୍ଭ ହୋଇଥିଲା କ୍ୟାମ୍ପେନ । ତେବେ ଆଜି ଏବିଭିପି ପ୍ରାର୍ଥୀ ଘୋଷଣା କରିବା ପରେ ରମାଦେବୀରେ ଜୋର ଧରିଛି ନିର୍ବାଚନୀ ପ୍ରଚାର ।

ପୂର୍ବରୁ ତନ୍ମୟୀ ଛାତ୍ର ବିଜେଡି ସହ ଜଡିତ ଥିଲେ ମାତ୍ର ଗତବର୍ଷ ନିର୍ବାଚନରେ ବଦଳି ଯାଇଥିଲା ଚିତ୍ର । ସଭାପତି ପଦ ପାଇଁ ଆଶାୟୀ ଥିବା ତନ୍ମୟୀଙ୍କୁ ବିଜେଡି ପ୍ରାର୍ଥୀ କରିବା ବଦଳରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିଥିଲା । ବାସ ଏଇଠୁ ବିଜେଡି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ ତନ୍ମୟୀ । ଜନ୍ମ ନେଇଥିଲା ଷ୍ଟୁଡେଣ୍ଟ ଭଏସ ଭଳି ଏକ ଛାତ୍ର ସଂଗଠନ । ହେଲେ କ୍ଲାସରେ ଉପସ୍ଥାନ କମ୍ ଥିବା ଯୋଗୁଁ ପ୍ରାର୍ଥୀ ହୋଇ ପାରିନଥିଲେ ତନ୍ମୟୀ । କିନ୍ତୁ ନିଜ ପସନ୍ଦର ପ୍ରାର୍ଥୀ ଠିଆ କରାଇ ବିଜେଡି ଗଡକୁ ଭାଙ୍ଗିଥିଲେ । ପ୍ରଥମ ନିର୍ବାଚନ ଲଢୁଥିବା ଷ୍ଟୁଡେଣ୍ଟ ଭଏସ ବିପୁଳ ଭୋଟରେ ବିଜୟୀ ହୋଇ ବିଜେଡିକୁ ଦେଇଥିଲା ଚକମା ।

କିନ୍ତୁ ଏଥର ପଟ ପରିବର୍ତ୍ତନ କରିଛନ୍ତି ତନ୍ମୟୀ । ଷ୍ଟୁଡେଣ୍ଟ ଭଏସର ହାତ ଛାଡି ଏବିଭିପିରୁ ପ୍ରାର୍ଥୀ ହୋଇଛନ୍ତି । ତନ୍ମୟୀ ଏବିଭିପିରୁ ପ୍ରାର୍ଥୀ ହେବା ପରେ ଷ୍ଟୁଡେଣ୍ଟ ଭଏସ କିଛି ଜଣ ପୁଣିଥରେ ପୁରୁଣା କ୍ୟାମ୍ପକୁ ଫେରି ଆସିଛନ୍ତି । ତେବେ ଷ୍ଟୁଡେଣ୍ଟ ଭଏସରୁ ଗତଥର ସଭାପତି ଓ ସାଧାରଣ ସଂପାଦକ ଜିତିଥିବା ଛାତ୍ରୀ ଏଥର ଛାତ୍ର ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି । ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ କ୍ୟାମ୍ପସ ଭିତରେ ଏବେଠୁ ଭୋଜି ଭାତର ଆସର ଦେଖିବାକୁ ମିଳିଲାଣି ।

ନିବାର୍ଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ କଂଗ୍ରେସର ଏପର୍ଯ୍ୟନ୍ତ ପ୍ରାର୍ଥୀ ଖୋଜା ସରିନି । ତେବେ ଆଜି ଏବିଭିପି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ରମାଦେବୀରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପୋଷ୍ଟର ଚିରା ଯାଇଛି । ଏହି ଘଟଣା ପାଇଁ ଏବିଭିପିକୁ ସିଧାସଳଖ ଦାୟୀ କରିଛି ବିଜେଡି । ଚଳିତବର୍ଷ ନିର୍ବାଚନରେ ରମାଦେବୀରେ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳିବ । ତେଣୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe