ନାମାଙ୍କନ ପତ୍ର ଦାଖଲ ବେଳେ ରିଟର୍ଣ୍ଣିଂ ଅଫିସରଙ୍କ ରୁମରେ ପ୍ରାଣାୟମ କଲେ ବାବା ରାମଦେବ । ଭିଡିଓ ହେଲା ଭାଇରାଲ

238

ଯୋଗକୁ ଏକ ନୂଆ ପରିଚୟ ଦେଇଥିବା ବାବା ରାମଦେବଙ୍କୁ କିଏ ବା ନ ଜାଣିଛି । ଟିଭି ଇଣ୍ଟରଭ୍ୟୁ ଠାରୁ ଆରମ୍ଭ କରି ଅନେକ ଲୋକପ୍ରିୟ ସୋ’ରେ ସୁଯୋଗ ମିଳିଲେ ରାମଦେବ ଯୋଗ କରିବାକୁ ପଛାନ୍ତି ନାହିଁ । କିନ୍ତୁ ଆଜି ଏଭଳି ଏକ ସ୍ଥାନରେ ବାବା ରାମଦେବ ଯୋଗ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦେଶରେ ଏବେ ନିର୍ବାଚନ ମାହୋଲ ଚାଲିଥିବା ବେଳେ ବାବା ରାମଦେବ ରିଟର୍ଣ୍ଣିଂ ଅଫିସରଙ୍କ ରୁମରେ ହିଁ ପ୍ରାଣାୟମ କରିବା ଆରମ୍ଭ କରିଥିଲେ । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ମଙ୍ଗଳବାର ବାବା ରାମଦେବ ବିଜେପି ପ୍ରାର୍ଥୀ ରାଜବର୍ଦ୍ଧନ ସିଂ ରାଠୋରଙ୍କ ନାମାଙ୍କନପତ୍ର ଦାଖଲରେ ସାମିଲ ହୋଇଥିଲେ । ରାଜବର୍ଦ୍ଧନ ରାଜସ୍ଥାନର ଜୟପୁର ସିଟରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଉ ରାଜବର୍ଦ୍ଧନଙ୍କୁ ସମର୍ଥନ କରିବାକୁ ରାମଦେବ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ଏହି ସମୟରେ ବାବାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ରିଟର୍ଣ୍ଣିଂ ଅଫିସରଙ୍କ ରୁମରେ ହିଁ ପ୍ରାଣାୟମ କରିବା ଆରମ୍ଭ କରିଥିଲେ ରାମଦେବ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ନାମାଙ୍କନ ପତ୍ର ଦାଖଲ ପରେ ରାଜବର୍ଦ୍ଧନଙ୍କ ବିଜୟ ପାଇଁ କାମନା କରିଥିଲେ ବାବା ରାମଦେବ । ଏହାଛଡା ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ ବେଶ ପ୍ରଂଶସା କରିଥିଲେ ରାମଦେବ । ବିଶ୍ୱରେ ଥିବା ଭାରତର ଶତ୍ରୁ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁନାହାନ୍ତି କିନ୍ତୁ ମୋଦିଙ୍କ ବ୍ୟକ୍ତିତ୍ୱ ହିମାଳୟ ଭଳି ଉଚ୍ଚ । ଆଉ ଏଭଳି କହି ମୋଦିଙ୍କୁ ପ୍ରଂଶସାରେ ପୋତି ପକାଇଥିଲେ ବାବା ରାମଦେବ ।