କନକ ବ୍ୟୁରୋ : ବାପା ମାଆଙ୍କ କଥା କିପରି ପାଳନ କରାଯାଏ ତାହା ପ୍ରଭୁ ଶ୍ରୀରାମଙ୍କ ଠାରୁ ଶିଖିବା ଉଚିତ୍ । ବଡ ଭାଇଙ୍କୁ କିଭଳି ସମ୍ନାନ ଦେବା ଏବଂ ତାଙ୍କ ପ୍ରତ୍ୟେକ କଥାକୁ ମାନିବା ଏହା ଲକ୍ଷ୍ମଣ ଓ ଭରତଙ୍କ ଠାରୁ ଶିଖିବା ଉଚିତ୍ । ସ୍ୱାମୀଙ୍କ ସହ ସୁଖ, ଦୁଃଖ ସବୁ ପରିସ୍ଥିତି ଛିଡା ହେବା ଏହା ଦେବୀ ସୀତାଙ୍କ ଠାରୁ ଶିଖିବା ଉଚିତ୍ । ପ୍ରକୃତରେ ପୌରଣିକ କଥାବସ୍ତୁ ରାମାୟଣ ଆମକୁ ଅନେକ ଶିକ୍ଷା ଦେଇଥାଏ । ରାମାୟଣରେ ଭଗବାନ ରାମଚନ୍ଦ୍ର ଜଣେ ଆଦର୍ଶ ପୁଅ, ଆଦର୍ଶ ସ୍ୱାମୀ, ଆଦର୍ଶ ଭାଇ ଭାବେ ନିଜକୁ ପ୍ରଦର୍ଶିତ କରିଛନ୍ତି । ଯାହାକୁ ଆମେ ସମସ୍ତେ ଅନୁସରଣ କରିବା ଉଚିତ୍ । ମର୍ଯ୍ୟାଦା ପୁରୁଷୋତମ ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଛବି ଯୁଗେ ଯୁଗେ ରହିଥିବ ।

Advertisment

ଆମେ କାହିଁକି ପାଳନ କରୁଛେ ଶ୍ରୀରାମନବମୀ? ଶ୍ରୀରାମନବମୀ ପାଳନ ପଛରେ କ’ଣ ରହିଛି ମୂଳ ଉଦ୍ଦେଶ୍ୟ? ପ୍ରକୃତରେ ରାମନବମୀ ପାଳନର ଉଦ୍ଦେଶ୍ୟ ହେଉଛି ଶ୍ରୀରାମଙ୍କ ଆଦର୍ଶକୁ ମନେ ପକାଇବା । ଆମ ନିତିଦିନିଆ ଜୀବନରେ ଏହାକୁ ପାଳନ କରିବା । ଆଜି ଆମ ସମାଜରେ ଦେଖା ଦେଉଥିବା ଅନେକ ସମସ୍ୟାର ସମାଧାନ ପାଇଁ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଆଦର୍ଶକୁ ମାନିବା ଜରୁରୀ । ଆଜି ପିଲାମାନେ ବାପାମାଆଙ୍କୁ ମାନୁ ନାହାଁନ୍ତି ।

ତାଙ୍କ କଥା ଶୁଣୁ ନାହାଁନ୍ତି । ସ୍ତ୍ରୀ, ନିଜ ସ୍ୱାମୀଙ୍କୁ ହତାଦର କରି ପରପୁରୁଷରେ ମନ ବଳାଉଛି । ସ୍ୱାମୀ ମଧ୍ୟ ସ୍ତ୍ରୀକୁ ଅବହେଳା କରୁଛି । ବାପାମାଆଙ୍କୁ ନିର୍ଯାତନା ଦେଇ ଘରୁ ତଡି ଦେଉଛି ପୁଅ । ଭାଇ- ଭାଇ ଭିତରେ ହଣାକଟା ଭଳି ଖବର ବି ସାମ୍ନାକୁ ଆସୁଛି । ମାନବିକତା ହରାଉଛି ମଣିଷ, ସଂସ୍କାର ଭୁଲିଯାଉଛନ୍ତି ଆଜିର ଯୁବପିଢୀ । ଏଥିପାଇଁ ଶ୍ରୀରାମଙ୍କ ଆଦର୍ଶ ପାଳନ କରିବା ଜରୁରୀ । ଶ୍ରୀରାମ ନବମୀ ପାଳନର ଉଦ୍ଦେଶ୍ୟ ରାମାୟଣର ଆଦର୍ଶ ଗୁଡିକୁ ମନେ ପକାଇବା, ଅନୁସରଣ କରିବା ଆଉ ନିତିଦିନିଆ ଜୀବନରେ ତାହାକୁ ପ୍ରୟୋଗ କରିବା ।

ଶ୍ରୀରାମ ନବମୀର ବାର୍ତ୍ତା

- ପିତୃ ଓ ମାତୃଭକ୍ତି ଶିଖାଉଛି ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚରିତ୍ର
- ରାମାୟଣର ଆଦର୍ଶକୁ ଗ୍ରହଣ କଲେ ସବୁ ସମସ୍ୟାର ହେବ ସମାଧାନ
- ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ଠାରୁ ଶିଖି ପାରିବା ଭାଇ, ଭାଇ ଭିତରେ କେମିତି ରହେ ସମ୍ପର୍କ
- ରାମାୟଣରେ ପ୍ରଭୁ ଶ୍ରୀରାମ ଆଦର୍ଶ ପୁତ୍ର, ଆଦର୍ଶ ସ୍ୱାମୀ ଓ ଆଦର୍ଶ ଭାଇର ପରିଚୟ ଦେଇଛନ୍ତି
- ଦେବୀ ସୀତାଙ୍କ ତ୍ୟାଗ ଆମକୁ ସ୍ୱାମୀ ପାଇଁ ସ୍ତ୍ରୀର ପ୍ରେମ ଓ କର୍ତ୍ତବ୍ୟକୁ ଦର୍ଶାଇଛି
- ସୁସ୍ଥ ସମାଜ ଗଠନ ପାଇଁ ରାମଚନ୍ଦ୍ରଙ୍କ ଆଚରଣ ଦେଉଛି ଦିଗ୍ଦର୍ଶନ