କନକ ବ୍ୟୁରୋ : ବିଜେଡି ଶିବିରରେ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ । ହାତ ଧରାଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାମନାଥ କୋବିନ୍ଦ । ଶୁକ୍ରବାରର ଏଭଳି ଦୃଶ୍ୟ ବିଗତ ଦିନର ବିଜେପି-ବିଜେଡି ସଂପର୍କକୁ ତାଜା କରିଦେଇଛି । କିଛିଦିନ ହେଲା ବିଜେପି ଓ ବିଜେଡି ମଧ୍ୟରେ ଜାରି ରହିଥିବା ତିକ୍ତତା ଭିତରେ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ । ବିନା ସର୍ତ୍ତରେ ବିଜେପି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଜଣାଇ ରାଷ୍ଟ୍ରପତି ନିର୍ବାଚନ, ରାଜନୀତିର ଉର୍ଦ୍ଧ୍ୱରେ ବୋଲି କହିଛି ବିଜୁ ଜନତା ଦଳ । ଆଉ ନବୀନଙ୍କ ନେତୃତ୍ୱାଧୀନ ବିଜେଡିର ଅକୁଣ୍ଠ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି କୋବିନ୍ଦ ।
ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ । ନବୀନଙ୍କୁ ଭେଟି ଭଲ ଲାଗିଲା ଏବଂ ଓଡିଶାର ଖାଦ୍ୟ ସ୍ୱାଦିଷ୍ଟ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ କୋବିନ୍ଦଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ । ଗତ ନିର୍ବାଚନବେଳେ ବିଜେଡିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେପି ସମର୍ଥନ ଜଣାଇଥିବାରୁ ଏବେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଦଳୀୟ ବିଧାୟକ ଓ ସାଂସଦମାନଙ୍କୁ କୁହାଯାଇଛି । ତେଣୁ ନବୀନଙ୍କ ନିର୍ଦ୍ଦେଶକୁ କେହି ଅମାନ୍ୟ କରିବେ ନାହିଁ ବୋଲି କହିଛନ୍ତି ବିଜେଡି ନେତା ।
୨୦୦୦ ମସିହାରୁ ହାତ ଧରାଧରି ହୋଇ ସରକାରରେ ରହିବା ପରେ ୨୦୦୯ରେ ସାଂପ୍ରଦାୟିକ ଦଳ କହି ବିଜେପିର ହାତ ଛାଡିଦେଇଥିଲା ବିଜୁ ଜନତା ଦଳ । ଏହାପରେ ତିକ୍ତତା ବଢିଛି ସିନା କମିନାହିଁ । କେତେବେଳେ ବିଜେଡି ସରକାର ଉପରେ ଖୁବ ବର୍ଷିଛି ରାଜ୍ୟ ବିଜେପି, ତ କେତେବେଳେ କେନ୍ଦ୍ରୀୟ ଅବହେଳା ଅଭିଯୋଗ ଆଣି ବିଜେପିକୁ ସମାଲୋଚନା କରିଛି ବିଜେଡି । ଆଉ ଏବେ ଦୀର୍ଘଦିନର ବ୍ୟବଧାନ ପରେ ଜଣେ ବିଜେପି ପ୍ରାର୍ଥୀଙ୍କୁ ନିଃସର୍ତ୍ତ ସମର୍ଥନ ଜଣାଇ ଅନେକ ପ୍ରଶ୍ନ ଛିଡା କରିଛନ୍ତି ନବୀନ ।
ଦେଖନ୍ତୁ ଏହି ଭିଡ଼ିଓ -